ଲକ୍ଷ୍ନୌ: ବର୍ତ୍ତମାନ ଦେଶର ଅଧିକାଂଶ ସ୍ଥାନରେ ଡେଙ୍ଗୁ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ତେବେ ଏହାର ପ୍ରତିକାର ପାଇଁ ଏକ ସରଳ ଉପାୟ ରହିଛି । ଏହାର ସୁରକ୍ଷା ପାଇଁ କୌଣସି ପ୍ରକାରର ଦାମୀ ସ୍ପ୍ରେ କିମ୍ବା କୌଣସି ପ୍ରକାରର କ୍ରିମର ଆବଶ୍ୟକତା ନାହିଁ । ଆଳୁ ଚୋପାରେ ରହିଛି ଏହାର ସରଳ ପ୍ରତିକାର । ୟୁପିଟିଟିଆଇର ବୈଜ୍ଞାନିକମାନେ ଆଳୁ ଚୋପାରୁ ବାହାର କରିଛନ୍ତି ଏହି ପ୍ରତିକାରର ଉପାୟ । ଯାହା ପ୍ରାଣଘାତୀ ରୋଗରୁ ରକ୍ଷା କରିବାରେ ଏହା ସଫଳ ବୋଲି ଜଣାପଡ଼ିଛି ।
ସୂଚନା ଯୋଗ୍ୟ ଏହି ଡେଙ୍ଗୁର ପ୍ରତିକାର ପାଇଁ ବଜାରରେ ଅନେକ ପ୍ରକାରର ଔଷଧ, ମଶାଧୁପ, ତେଲ, ପ୍ରତିକାରକ ସ୍ପ୍ରେ ଆଦି ମିଳୁଛି । ତେବେ ଏଥିରେ ବ୍ୟବହାର ହେଉଥିବା ରସାୟନିକ ଦ୍ରବ୍ୟ ଶରୀର ପାଇଁ ବେଳେ ବେଳେ କ୍ଷତିକାରକ ହୋଇଥାଏ । ଫଳରେ ଏଥିରୁ ରକ୍ଷା ପାଇବା ପାଇଁ ୟୁପିଟିଟିଆଇର ବୈଜ୍ଞାନିକମାନେ ବିଭିନ୍ନ ପ୍ରକାରର ପରିବାକୁ ନେଇ ଗବେଷଣା କରିଥିଲେ । ଆଳୁ, ପିଆଜ ଚୋପାରୁ ଏକ ପ୍ରକାର କ୍ରିମ ପ୍ରସ୍ତୁତ କରିଛନ୍ତି ଏହି ବୈଜ୍ଞାନିକ ମାନେ । ଏହି କ୍ରିମ ବ୍ୟବହାର କରିବା ଫଳରେ ଘରେ ମଶାଙ୍କ ଉପଦ୍ରମ କମିଥାଏ ବୋଲି ଜଣାପଡ଼ିଛି । ତେବେ କେବଳ ମଶା ନୁହଁନ୍ତି, ଘରୁ ମାଛିମାନଙ୍କୁ ମଧ୍ୟ ଘଉଡାଇ ଦିଆଯାଇପାରିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି ।
ତେବେ ଗବେଷଣା କରି ଏହି ପେଷ୍ଟିସାଇଡ଼କୁ ତେଲ, ଜେଲ, ଏବଂ ବଟିକା ଭାବେ ପ୍ରସ୍ତୁତ କରାଯିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ୟୁପିଟିଟିଆଇର ମୁଖ୍ୟ ସୁଷମା କୁହନ୍ତି ଗବେଷଣା ଚାଲିଥିବା ଏହି ପେଷ୍ଟକୁ ତୈଳଯୁକ୍ତ ଏବଂ ଜେଲ୍ ଭାବରେ ଉପଲବ୍ଧ କରାଯିବ । ଏଥିପାଇଁ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି । ଏହା ଶରୀର ପ୍ରତି କୌଣସି କ୍ଷତି ପହଞ୍ଚାଇବ ନାହିଁ ବୋଲି ସେ କହିଛନ୍ତି । ଏହା ମାଧ୍ୟମରେ ମଶା ଓ ମାଛିଙ୍କୁ ଘଉଡ଼ା ଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି ।