ଲକ୍ଷ୍ନୌ: ଆମେରିକାର ମାସଚସେଟସର ବାସବନ କଲେଜରେ ପଢ଼ୁଥିବା ଉତ୍ତରପ୍ରଦେଶର ଜଣେ ଛାତ୍ରୀ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଯାହାକୁ ନେଇ ବିବାଦ ବଢିବାରେ ଲାଗିଛି । ଆମେରିକାରେ ପଢିବା ପାଇଁ 3.83 କୋଟି ଟଙ୍କା ଛାତ୍ରବୃତ୍ତି ପାଇଥିବା ଉତ୍ତରପ୍ରଦେଶର ସୁଦିକ୍ଷା ଭାଟିଙ୍କ ମୃତ୍ୟୁକୁ ନେଇ ବିଧାୟକ ତେଜପାଲ ସିଂ ନାଗର ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ଲେଖି ନ୍ୟାୟ ଦାବି କରିଛନ୍ତି। ସୁଦିକ୍ଷା ଭାଟି କିଛି ଦୁଷ୍କର୍ମକାରୀଙ୍କ ଦ୍ବାରା ନିର୍ଯ୍ୟାତାରୁ ରକ୍ଷା ପାଇବାକୁ ଚେଷ୍ଟା କରୁଥିବାବେଳେ ଦୁର୍ଘଟଣା ଘଟିଥିଲା ବୋଲି ବିଧାୟକ କହିଛନ୍ତି । ଏଥିସହ ଏହି ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ସେ ।
ନିର୍ଯାତନା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଉଲ୍ଲେଖ କରି ପୀଡିତାଙ୍କ ପରିବାରକୁ ଶୀଘ୍ର ନ୍ୟାୟ ପ୍ରଦାନ କରାଯିବା ଉଚିତ ବୋଲି ବିଧାୟକ କହିଛନ୍ତି । ପୀଡିତାଙ୍କ ପରିବାରର ଆର୍ଥିକ ସ୍ଥିତିକୁ ଦର୍ଶାଇ ନାଗର ଲେଖିଛନ୍ତି ଯେ, ସୁଦିକ୍ଷାଙ୍କ ପରିବାର ଆର୍ଥିକ ସ୍ଥିତି ସେତେଟା ଭଲ ନୁହେଁ । ତେଣୁ ସେମାନଙ୍କୁ 25 ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବା ଉଚିତ ବୋଲି ସେ କହିଛନ୍ତି ।
ତେବେ ଉତ୍ତର ପ୍ରଦେଶର ବିରୋଧୀ ଦଳ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଘଟଣାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି । ସେପଟେ ଏହି ଘଟଣାର ତଦନ୍ତ ପାଇଁ ବୁଲନ୍ଦ ସହରର ବରିଷ୍ଠ ପୋଲିସ ଅଧୀକ୍ଷକ ସର୍କଲ ଅଫିସର ଦିଶା ସିଂଙ୍କ ନେତୃତ୍ବରେ ତିନିଜଣିଆ ଏସଆଇଟି ଗଠନ କରିଥଛନ୍ତି।
ଅନ୍ୟପକ୍ଷରେ ପୋଲିସ ଏହାକୁ ଏକ ସାଧାରଣ ଦୁର୍ଘଟଣା ବୋଲି କହିଛି । ନିର୍ଯ୍ୟାତନା ସମ୍ପର୍କରେ ସୁଦିକ୍ଷାଙ୍କ ଭାଇ ପୋଲିସକୁ କିଛି କହିନଥିବା ଏଏସପି ଶ୍ରୀବାସ୍ତବ କହିଛନ୍ତି
ସୂଚନାଯୋଗ୍ୟ ଯେ, ସୁଦିକ୍ଷା ଭାଟି ଛୁଟିରେ ଭାରତ ଆସିଥିଲେ ଏବଂ ଅଗଷ୍ଟ 20 ରେ ଆମେରିକା ଫେରିଯିବାର ଥିଲା। ୧୯ ବର୍ଷ ବୟସ୍କା ଏହି ଛାତ୍ରୀ ଜଣକ ଦୁଇ ଚକିଆ ଯାନରେ ବୁଲନ୍ଦଶହରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା I ତାଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ, ସେ ସୋମବାର ସନ୍ଧ୍ୟାରେ ସ୍କୁଟିରେ ତାଙ୍କ ମାମୁଁଙ୍କ ସହ ଦାଦ୍ରିରୁ ଯାଉଥିଲେ ଏବଂ ସେତେବେଳେ ମୋଟରସାଇକେଲରେ ଦୁଇଜଣ ବ୍ୟକ୍ତି ସେମାନଙ୍କୁ ଅନୁସରଣ କରିବା ଆରମ୍ଭ କରିଥିଲେ। ତାଙ୍କ ମାମୁଁ ସତ୍ୟେନ୍ଦ୍ର ଭାଟି କହିଛନ୍ତି, ଏହି ବ୍ୟକ୍ତିମାନେ ସୁଦିକ୍ଷା ଙ୍କୁ କମେଣ୍ଟ କରିଥିଲେ ଏବଂ ତାଙ୍କୁ ପ୍ରଭାବିତ କରିବା ପାଇଁ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ସହ ତାଙ୍କ ଗାଡିକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ। ହଠାତ୍ ସେମାନଙ୍କ ବୁଲେଟ୍ ସୁଦିକ୍ଷାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା ଏବଂ ସେ ଭାରସାମ୍ୟ ହରାଇଥିଲେ। ସୁଦିକ୍ଷା ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।