ନୂଆଦିଲ୍ଲୀ: ସାରା ବିଶ୍ବରେ ମହାମାରୀ କୋରୋନା ତାଣ୍ଡବ ରଚିଛି । ସବୁ ରାଷ୍ଟ୍ରରେ ଏହା ନିଜ କାୟା ବିସ୍ତାର କରିଛି । ଭାରତରେ ମଧ୍ୟ କୋରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପରିସ୍ଥିତିର ଭୟାବହତା ଦେଖି ସରକାର ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ବିଭିନ୍ନ ଇଣ୍ଡଷ୍ଟ୍ରି ବନ୍ଦ ରହିବା ଫଳରେ ଦେଶର ଅର୍ଥନୀତି ଉପରେ ପ୍ରଭାବ ପଡିବାର ଆଶଙ୍କା ରହିଛି ।
ତେବେ ଏପରି ବିପଦ ସମୟରେ ସହଯୋଗର ହାତ ବଢାଇଛି ଆମେରିକା । ଏହି ମହାମାରୀ ବିରୋଧରେ ସାରା ବିଶ୍ବ ଏକାଠି ହୋଇଛି । ପରସ୍ପରକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ସବୁ ରାଷ୍ଟ୍ର । କୋରୋନା ବିରୋଧୀ ଲଢେଇ ପାଇଁ ଆମେରିକା ଭାରତକୁ 22 କୋଟି 3 ଲକ୍ଷ 78 ହଜାର 250 ଟଙ୍କା(2.9 ମିଲିୟନ ଡଲାର)ର ଆର୍ଥିକ ସାହାଯ୍ୟ ଦେଇଛି । ମାର୍ଚ୍ଚ 28ରେ ଅନ୍ତର୍ଜାତୀୟ ବିକାଶ ପାଇଁ ୟୁଏସ ଏଜେନ୍ସି ଦ୍ବାରା ଆମେରିକା ଏହି ଘୋଷଣା କରିଥିଲା । ଭାରତରେ ଥିବା ଏହାର ଦୂତାବାସ ପକ୍ଷରୁ କୁହାଯାଇଥିଲା ଯେ ଗତ 20 ବର୍ଷ ଧରି ଭାରତକୁ ଏହି ସାହାଯ୍ୟ ଦେଇଆସୁଛି ଆମେରିକା । ଏଥିରେ ଚିକିତ୍ସା କ୍ଷେତ୍ର ପାଇଁ 1.4 ବିଲିୟନ ଡଲାର ରହିଛି ।
ଏହି ରାଶି 2ଟି ଅନ୍ତର୍ଜାତୀୟ ଅନୁଷ୍ଠାନକୁ ଭାରତରେ ବିକାଶମୂଳକ କାମ କରିବା ପାଇଁ ସାହାଯ୍ୟ କରିବ । ସେଥିମଧ୍ୟରୁ ଗୋଟିଏ ହେଉଛି ଝାପିଏଗୋ ଦ୍ବାରା ଆମେରିକାର ଅନ୍ତର୍ଜାତୀୟ ବିକାଶ ପ୍ରକଳ୍ପ ଏବଂ ଅନ୍ୟଟି ହେଉଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଏହା ଭାରତରେ କୋରୋନା ବିରୋଧୀ ଲଢେଇରେ ସ୍ଥାନୀୟ ସରକାରଙ୍କୁ ମଧ୍ୟ ସାହାଯ୍ୟ କରିବ । ଆମେରିକାର ଏହି ସହାୟତା ରାଶି କେବଳ ଭାରତ ପାଇଁ ନୁହେଁ । ପୂର୍ବରୁ ପ୍ରାୟ 18.3 ମିଲିୟନ ଡଲାର ସମସ୍ତ ଏସିଆନ ସଦସ୍ୟ ରାଷ୍ଟ୍ରଙ୍କୁ ପ୍ରଦାନ କରିଛି ଆମେରିକା । ବିଶ୍ବରେ ସ୍ବାସ୍ଥ୍ୟ ଓ ମାନବିକତାର ନେତୃତ୍ବ ନେଇଥିବା ଯୋଗୁଁ ଆମେରିକା ଏପରି ପଦକ୍ଷେପ ନେଇଛି । ଏହି ଅର୍ଥ ସମସ୍ତ ଦେଶରେ କୋରୋନା ବିରୋଧୀ ଲଢେଇରେ ବ୍ୟବହାର ହେବ ।