ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଜି ଭାରତ ଭ୍ରମଣର ଅନ୍ତିମ ଦିନ । ଗତକାଲି ଭବ୍ୟ ସ୍ବାଗତ ଓ ବିଭିନ୍ନ ସ୍ଥାନ ପରିଦର୍ଶନ ସରିବା ପରେ ଆଜି ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଜାରି ରହିଛି । ହାଇଦ୍ରାବାଦ ହାଉସରେ ଦୁଇ ଦେଶ ମଧ୍ୟରେ ଜାରି ରହିଛି ବାଣିଜ୍ୟିକ ଓ ସାମରିକ କ୍ଷେତ୍ରର ବହୁମୂଲ୍ୟ ଚୁକ୍ତି । ସେପଟେ ଗତକାଲି ମୋଟେରା ଷ୍ଟାଡ଼ିୟମରେ ଉଦବୋଧନ ଦେବା ଅବସରରେ ଭାରତ ସହ 300 କୋଟି ଡଲାରର ସାମରିକ ଚୁକ୍ତି କରିଯିବା ନେଇ ଘୋଷଣା କରିଥିଲେ ଟ୍ରମ୍ପ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟ ଦ୍ବିପାକ୍ଷିକ ବାର୍ତ୍ତାଳାପ ମଧ୍ୟ ଜାରି ରହିଛି । ଆମେରିକା ଠାରୁ ଭାରତ ସାମରିକ ଓ ବାଣିଜ୍ୟିକ କ୍ଷେତ୍ରରେ ଅନେକ କିଛି ଆଶା ରଖୁଛି । ସେହିପରି ଦୁଇ ଦେଶର ମିଳିତ ସହଯୋଗରେ ନିଯୁକ୍ତି ସୃଷ୍ଟି କରିବା ନେଇ ପ୍ରସଙ୍ଗ ଉତଥାପନ କରିପାରନ୍ତି ପ୍ରଧାନମନ୍ତ୍ରୀ । ଏହି ବୈଠକରେ ଦୁଇ ଦେଶର ପ୍ରତିନିଧି ମଣ୍ଡଳି ମଧ୍ୟ ଉପସ୍ଥିତ ଅଛନ୍ତି ।
ଆମେରିକା ରାଷ୍ଟ୍ରପତିଙ୍କୁ ପ୍ରଥମେ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ବାଗତ ଦିଆଯିବା ସାଙ୍ଗକୁ ସେନା ଦ୍ବାରା ଗାର୍ଡ ଅଫ ଅନର ମଧ୍ୟ ପ୍ରଦାନ କରାଯାଇଥିଲା । ପରେ ଟ୍ରମ୍ପ ପତ୍ନୀ ମେଲାନିଆଙ୍କ ସହିତ ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠ ରାଜଘାଟ ଯାଇ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ବୃକ୍ଷରୋପଣ ମଧ୍ୟ କରିଥିଲେ ।