ଓ୍ଵାଶିଂଟନ୍: ଭାରତ ଆମେରିକାରୁ ୨୪ଟି ଆଣ୍ଟି-ସବ୍ମେରିନ୍ ରୋମିଓ ହେଲିକପ୍ଟର କିଣିବା ଉପରେ ମୋହର ମାରିଛି ଆମେରିକା । ଓ୍ଵାଶିଂଟନ୍ରୁ ଖୁସି ଖବର ମିଳିଛି । ୨. ୪ ବିଲିୟନ୍ ଡଲାର ବିନିମୟରେ ଭାରତକୁ ୨୪ଟି 'ମଲ୍ଟି-ରୋଲ୍ ଏମ୍ଏଚ୍-୬୦ 'ରୋମିଓ' ସିହକ୍ ହେଲିକପ୍ଟର୍' ବିକ୍ରି କରିବା ଲାଗି ଆମେରିକା ଅନୁମୋଦନ କରିଛି । ବୈଦେଶିକ ବିଭାଗ ମଙ୍ଗଳବାର ଏହି ସୂଚନା ଦେଇଛି ।
ମିଳିଥିବା ସୂଚନା ଅନୁସାରେ ଭାରତ ମହାସାଗରରେ ଚୀନର ଉପଦ୍ରବ ବୃଦ୍ଧି ପାଉଥିବାରୁ ଏହାର ମୁକାବିଲା ଲାଗି ଏହି ଅତ୍ୟାଧୁନିକ ହେଲିକପ୍ଟର ଭାରତ ପାଇଁ ଜରୁରୀ ଥିଲା । ୨୪ଟି ଏମ୍ଏଚ୍-୬୦ ମଲ୍ଟି-ମିସନ୍ ହେଲିକପ୍ଟର୍ ବିକ୍ରୟ ଲାଗି ଅନୁମୋଦନ କରିଥିବା କଥା ମଙ୍ଗଳବାର ଟ୍ରମ୍ପ୍ ପ୍ରଶାସନ କଂଗ୍ରେସକୁ ବିଜ୍ଞପ୍ତି ଦେଇଛି । ସମୁଦ୍ର ମଧ୍ୟରେ ଯୁଦ୍ଧପୋତକୁ ଧ୍ବଂସ କରିବା , ନିଖୋଜ ଜାହାଜ ଗୁଡିକର ଉଦ୍ଧାର କରିବା ତଥା ଅନୁସନ୍ଧାନ ଓ ଉଦ୍ଧାର ଅଭିଯାନକୁ ସଫଳ କରିବାର ସମସ୍ତ ନିର୍ମାଣ କୌଶଳ ରୋମିଓରେ ଖଞ୍ଜାଯାଇଥିବା ସୂଚନା ରହିଛି ।
ଏହାର ବିକ୍ରି ଉପରେ ଅନୁମୋଦନ ପରେ ଭାରତ-ଆମେରିକା ଯୁଦ୍ଧନୀତି ସମ୍ପର୍କକୁ ମଜଭୁତ କରିବାରେ ଦୃଢ ପଦକ୍ଷେପ ବୋଲି ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି । ଭାରତ-ଆମେରିକା ସହଭାଗିତାରେ ସୁରକ୍ଷା ପ୍ରସଙ୍ଗରେ ସୁଧାର ପାଇଁ ଏହା ବେଶ୍ ସହାୟକ ହେବ ବୋଲି କୁହାଯାଇଛି । ଏହି ଡିଲ୍ ଦୁଇ ଦେଶର ବୈଦେଶିକ ନୀତି ଓ ଜାତୀୟ ନିରାପତ୍ତାକୁ ସୁଦୃଢ଼ କରିବାରେ ସହାୟକ ହେବା ନେଇ କୁହାଯାଇଛି ।