ନୂଆଦିଲ୍ଲୀ: କେନ୍ଦ୍ରରେ ଶାସକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଙ୍ଗଳବାର ପୂର୍ବ ୟୁପିଏ (କଂଗ୍ରେସ ନେତୃତ୍ୱାଧୀନ) ସରକାର ଉପରେ ବର୍ଷିଛନ୍ତି । କୋରୋନା ବିଶ୍ବ ମହାମାରୀ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ 6 ଥର କଥା ହୋଇଛନ୍ତି, ହେଲେ ୟୁପିଏ ସରକାରର ପ୍ରଧାନମନ୍ତ୍ରୀ (ମନମୋହନ ସିଂହ) କେବେ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ ନାହାନ୍ତି ବୋଲି ବିଜେପି ଅଧ୍ୟକ୍ଷ କହିଛନ୍ତି ।
ଆସାମରେ ଏକ ନିର୍ବାଚନୀ ରାଲିକୁ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧନ କରୁଥିବା ବେଳେ ନଡ୍ଡା ଏଭଳି କହିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ବାରା 20 ଲକ୍ଷ କୋଟିର ଆତ୍ମ ନିର୍ଭର ଭାରତ ଅଭିଯାନ ଜରିଆରେ ଦେଶର ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି ।
ଏହି ଅବସରରେ କୋରୋନା ମହାମାରୀର ମୁକାବିଲାର ସଫଳତା ବାବଦରେ ନଡ୍ଡା କହିଛନ୍ତି । ମାର୍ଚ୍ଚ 24ରେ ଲକଡାଉନ୍ ଘୋଷଣା ହୋଇଥିଲା । ସେତେବେଳେ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ନଥିଲା । ଏବେ କିନ୍ତୁ ଦେଶରେ 1000 କୋଭିଡ୍ ହସ୍ପିଟାଲ ରହିଥିବା ସେ କହିଛନ୍ତି । ମୋଟ୍ 2 ଲକ୍ଷ ବେଡ୍ ଏବଂ 21 ହଜାର ଭେଣ୍ଟିଲେଟର ଏଯାବତ ରହିଥିବା ନଡ୍ଡା କହିଛନ୍ତି ।