ନୂଆଦିଲ୍ଲୀ: ଦେଶବ୍ୟାପୀ ଏବେ ଦ୍ରୁତଗତିରେ ମାଡି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ହାର ବଢିବା ସହ ତାଳ ଦେଇ ବଢି ଚାଲିଛି ଟେଷ୍ଟ ହାର ଏବଂ ସୁସ୍ଥ ହାର । ଏହିକ୍ରମରେ ଦେଶରେ କୋଭିଡ୍ ପରୀକ୍ଷା କରିବାରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ଉତ୍ତରପ୍ରଦେଶ । ଶୁକ୍ରବାର ସୁଦ୍ଧା ରାଜ୍ୟରେ କୋଭିଡ୍ ପରୀକ୍ଷଣ ଆକଳନ 36 ଲକ୍ଷରେ ପହଞ୍ଚିଛି । ଦୈନିକ ପ୍ରାୟ 1 ଲକ୍ଷ କୋଭିଡ ପରୀକ୍ଷା କରାଯାଉଛି ।
ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ଅତି କମରେ 9ଟି ଜିଲ୍ଲାରେ 100ରୁ ଅଧିକ ନୂତନ କୋଭିଡ ସଂକ୍ରମଣ ରେକର୍ଡ ହୋଇଥିବା ବେଳେ ଆଜି ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା 50,000 ଅତିକ୍ରମ କରିଛି । ଶୁକ୍ରବାର ରାଜ୍ୟରେ ଚିହ୍ନଟ 4,600 ନୂତନ ସକରାତ୍ମକ ମାମଲା ପରେ ବର୍ତ୍ତମାନ ରାଜ୍ୟରେ 50,426 ସକ୍ରିୟ ମାମଲା ରହିଛି । ତେବେ ଶୀର୍ଷରେ ଥିବା ଲକ୍ଷ୍ନୌରେ ସର୍ବାଧିକ 7,188 ସକ୍ରିୟ ମାମଲା ରହିଛି । 4,000ରୁ ଅଧିକ ସକ୍ରିୟ ମାମଲା ସହିତ କାନପୁର ଦ୍ୱିତୀୟ ସ୍ଥାନରେ ଅଛି । ସୂଚନାନୁସାରେ ଲକ୍ଷ୍ନୌରେ ସର୍ବାଧିକ 652ଟି ନୂଆ ମାମଲା ଦେଖିବାକୁ ମିଳିଛି ।
ସେହିପରି ଗତ 24 ଘଣ୍ଟା ମଧ୍ୟରେ କୁଶିନଗର, ଦେଓରିଆ, ଗୋରଖପୁର, ବାରାଣାସୀ ଏବଂ ପ୍ରୟାଗରାଜ ଭଳି ଜିଲ୍ଲାରେ 100ରୁ ଅଧିକ ମାମଲା ଚିହ୍ନଟ ହେବା ସହ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୃତ୍ୟୁ ସଂଖ୍ୟା 2,335ରେ ପହଞ୍ଚିଛି। 92,000ରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି ।