ପଞ୍ଚାକ୍ଷରର ଧ୍ବନି କୁହକି ପଞ୍ଚାମୃତ, ଗଇସ ଫୁଲର ମାଳା କୁହ କି ବେଲପତ୍ର ହାର, ପ୍ରତି ସୋମବାର ଭୋଳାନାଥଙ୍କ ଦର୍ଶନରୁ ଝରେ ମୁକ୍ତିର ଭାବଭରା ଅନୁକମ୍ପା। ତାଙ୍କ ବେଢାର ପହିଲି ଆଳତୀ ଠାରୁ ସନ୍ଧ୍ୟାର ନୈବେଦ୍ୟ ପର୍ଯ୍ୟନ୍ତ ସବୁଥିରେ ଥାଏ ସ୍ବତନ୍ତ୍ରତା। ସେ ଶିବ, ସତ୍ୟ ଓ ସୁନ୍ଦର । ତାଙ୍କ ତୃତୀୟ ନୟନ ସାରା ସଂସାର ଚଳାଉଛି। ଭାରତ ବର୍ଷର ଅନେକ ସ୍ଥାନରେ ମାଳମାଳ ଶୈବପୀଠ ରହିଛି। ଏହାସହ ଶ୍ରାବଣ ମାସରେ ଶିବଲିଙ୍ଗରେ ଜଳ ଢାଳିବାକୁ ଲକ୍ଷ ଲକ୍ଷ କାଉଡିଆ ଭକ୍ତ ବାହୁଙ୍ଗୀରେ ଜଳ ଧରି ଚାଲିଚାଲି ଯାଇଥାନ୍ତି। କପିଳାଶରୁ ବେଦବ୍ୟାସ , ଆଖଣ୍ତଳମଣୀରୁ ଲୋକନାଥ, ଧବଳେଶ୍ବରରୁ ପଞ୍ଚଲିଙ୍ଗେଶ୍ବର ସବୁଠି ଲାଗିଥାଏ ଭକ୍ତଙ୍କ ଧାଡି। ତେବେ ଅନେକ ଶିବ ମନ୍ଦିର ଭିତରୁ ଅମରନାଥ ମନ୍ଦିର ଓ ଯାତ୍ରା ଅନ୍ୟତମ। ଏହି ମନ୍ଦିରର ରହିଛି କିଛି ସ୍ବତନ୍ତ୍ର ବୈଶିଷ୍ଟ୍ୟ। ତେବେ କଣ ସେହି ରହସ୍ୟମୟ କାହାଣୀ ଆସନ୍ତୁ ଜାଣିବା...
ଅମରନାଥ ମନ୍ଦିର
ହିନ୍ଦୁଧର୍ମର ଏକ ପ୍ରମୁଖ ଧର୍ମପୀଠ। ଭାରତର ଚାରୋଟି ପ୍ରମୁଖ ତୀର୍ଥଯାତ୍ରା ମଧ୍ୟରେ ଅମରନାଥ ଯାତ୍ରା ଅନ୍ୟତମ। ଏହା ଜମ୍ମୁ ଓ କାଶ୍ମୀର ରାଜ୍ୟର ଶ୍ରୀନଗର ସହରର ଉତ୍ତର-ପୂର୍ବ ଦିଗରେ ୧୩୫ କି.ମି ଦୂର ସମୁଦ୍ରପତ୍ତନ ଠାରୁ ୧୩୬୦୦ ଫୁଟ ଉଚ୍ଚତାରେ ଏକ ପାହାଡି ଗୁମ୍ଫାରେ ଅବସ୍ଥିତ। ବର୍ଷକ ବାର ମାସ ବରଫରେ ଆଚ୍ଛାଦିତ ହୋଇ ରହିଥାଏ ଅମରନାଥର ଗୁମ୍ଫା । ଏଠାରେ ଶିବ ଭଗବାନ ଅମରନାଥ ପୂଜା ପାଆନ୍ତି। ଲୋକଙ୍କ ବିଶ୍ବାସ ରହିଛି ଜୀବନରେ ଥରେ ଅମରନାଥ ଯାତ୍ରା କଲେ ମୋକ୍ଷପ୍ରାପ୍ତି ହେବା ସହ ସ୍ବର୍ଗକୁ ଯାତ୍ରା ସୁଗମ ହୋଇଯାଏ।
ପୂର୍ଣ୍ଣିମାରେ ଅମରନାଥଙ୍କ ପୂର୍ଣ୍ଣ ଶିବଲିଙ୍ଗ
ଏହି ଯାତ୍ରା ଏତେ ସହଜ ସାଧ୍ୟ ନୁହେଁ। ଏଠିକୁ ଯାତ୍ରା କରୁଥିବା ଭକ୍ତର ପରୀକ୍ଷା ନେଇଥାନ୍ତି ବାବା ଅମରନାଥ। ତେବେ ଏଠିକାର ଏକ ଚମତ୍କାରିତା ହେଉଛି ବାବାଙ୍କ ଲିଙ୍ଗ ବରଫରୁ ତିଆରି ହୁଏ। ସେହି ସମୟର ଦୃଶ୍ୟ ସଂପୂର୍ଣ୍ଣ ଅବିଶ୍ବସନୀୟ ଏବଂ ଏହା ଲୋକମାନଙ୍କୁ ସେହି ସ୍ଥାନର ପବିତ୍ରତା ଉପରେ ବିଶ୍ବାସକୁ ଦୃଢିଭୂତ କରେ । ତେବେ ଗୁମ୍ଫାର ଉପରିଭାଗରୁ ଜଳ ଧିରେ ଧିରେ ଖସିଯାଏ ଯାହା ବରଫ ସୃଷ୍ଟି କରିବା ସହ ଶିବ ଲିଙ୍ଗର ଆକାର ଧାରଣ କରେ। ଏହା ପୂର୍ଣ୍ଣିମାରେ ସମ୍ପୂର୍ଣ୍ଣ ରୂପ ଧାରଣ କରେ। ଶିବଙ୍କର ଅନେକ ନାମ ରହିଛି, ଯିଏ ତାଙ୍କୁ ଯେଉଁ ନାମରେ ଡାକେ ସେ ଭକ୍ତ ଡାକ ଶୁଣିଥାନ୍ତି। ପରମେଶ୍ବର ବିଶ୍ବକୁ ତିନୋଟି ରୂପରେ ଗ୍ରହଣ କରିଛନ୍ତି ତେଣୁ ତାଙ୍କୁ ତ୍ରିନାଥ କୁହାଯାଏ। ଶାସ୍ତ୍ରରେ ଗୋଟିଏ ପଦ ଅଛି ଏକମ ସତ୍ୟ ବା ଗୋଟିଏ ସତ୍ୟ। ଭଗବାନ ଶିବ ଏକ ଜୀବନ୍ତ ଭଗବାନ ବୋଲି ବିଶ୍ବାସ କରାଯାଏ, ଯାହାର ଉପସ୍ଥିତି ଜ୍ୟୋତିର୍ବିଜ୍ଞାନ, ବୈଦିକ ପୁରାଣ ଏବଂ ଏପରିକି ରୀତିନୀତିରୁ ପ୍ରମାଣିତ ହୋଇଛି।
ଅମରନାଥର ଅମର କଥା
ଭଗବାନ ଶିବଙ୍କ ସହ ଅମରନାଥ ଗୁମ୍ଫାର ଏକ ବିଶେଷ ମହତ୍ତ୍ବ ରହିଛି । କୁହାଯାଏ ଯେ, ଶିବ ସୃଷ୍ଟିର ସଂରଚନା ଏବଂ ଅମରତ୍ବର ରହସ୍ୟକୁ ତାଙ୍କ ପତ୍ନୀ ପାର୍ବତୀଙ୍କୁ ଏହି ଗୁମ୍ଫାରେ ବର୍ଣ୍ଣନା କରିଥିଲେ। ଶାସ୍ତ୍ର ଅନୁସାରେ, ମା ପାର୍ବତୀ କୌତୁହଳପୂର୍ଣ୍ଣ ଭାବେ ଭଗବାନ ଶିବଙ୍କୁ ତାଙ୍କର ମୁଣ୍ଡ ମାଳ ପିନ୍ଧିବା ପଛର କାହାଣୀ ଜାଣିବାକୁ ଚାହିଁଲେ। ଶିବ ଉତ୍ତରେ ପାର୍ବତୀଙ୍କୁ କହିଲେ "ପ୍ରିୟେ ଯେତେବେଳେ ପ୍ରତ୍ୟେକ ଥର ତୁମେ ଜନ୍ମ ନିଅ ସେତେବେଳେ ମୁଁ ଏକ ନୂଆ ମୁଣ୍ଡ ମୋର ମୁଣ୍ଡ ମାଳାରେ ସ୍ଥାନିତ କରେ।" ଏହା ଶୁଣି ପାର୍ବତୀ ଆଶ୍ଚର୍ଯ୍ୟ ହେବା ସହ ପଚାରିଲେ ଏମିତି କାହିଁକି ହୁଏ ଯେ ଆପଣ ଅମର ରହୁଥିବା ବେଳେ ମୋତେ କାହିଁକି ଶରୀର ତ୍ୟାଗ କରିବାକୁ ପଡେ ଓ ମୋର ଶରୀରର ବିନାଶ ଘଟେ। ଏକଥା ଶୁଣି ମହାଦେବ ପାର୍ବତୀଙ୍କୁ ଅମରକଥାର ଗୂଢ ରହସ୍ୟ ବର୍ଣ୍ଣନା କଲେ। ମା ପାର୍ବତୀଙ୍କ କ୍ରମାଗତ ଇଚ୍ଛା ଓ ଜିଦ୍ ଜାଣିବା ପରେ ମହାଦେବ ଏକ ପ୍ରକୃଷ୍ଟ ସ୍ଥାନ ସନ୍ଧାନ ଆରମ୍ଭ କଲେ ଯେଉଁଠି ସେମାନଙ୍କ ବ୍ୟତିତ ଏହି କଥା ଆଉ କେହି ଶୁଣି ପାରିବେ ନାହିଁ ଏବଂ ଯେଉଁଠି ଭଗବାନ ଶିବ ପାର୍ବତୀଙ୍କୁ ସୃଷ୍ଟିର ସଂରଚନା ଓ ଅମରତ୍ବର ରହସ୍ୟ ବର୍ଣ୍ଣନା କରିବେ। ଏହି ସ୍ଥାନ ଥିଲା ଅମରନାଥ। ସେହି ଦିନଠାରୁ ଅମରନାଥ ଗୁମ୍ପାର ଏକ ବିଶେଷ ମହତ୍ତ୍ବ ରହି ଆସିଛି।
ଶ୍ରଦ୍ଧାଳୁଙ୍କ ପାଇଁ ଅମରନାଥ
ଏହି ଅମରନାଥ ଗୁମ୍ପାର ଦର୍ଶନ ପାଇଁ ଆଜିବି ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରତିକୂଳ ପରିବେଶ ସତ୍ତ୍ବେ ବାବାଙ୍କ ଦର୍ଶନ ଅଭିଳାଷେ ଯାତ୍ରା କରିଥାନ୍ତି। ଭକ୍ତ ମନରେ ବିଶ୍ବାସ ଥାଏ ଅମରନାଥ ଦର୍ଶନ ଦ୍ବାରା ସେମାନଙ୍କୁ ସିଦ୍ଧି ଓ ମୋକ୍ଷ ପ୍ରାପ୍ତି ହେବ। ଏହି ଗୁମ୍ପା ଅମରତ୍ବର ରହସ୍ୟକୁ ଧାରଣ କରିଛି । ତେଣୁ ଶ୍ରଦ୍ଧାଳୁଙ୍କ ମନରେ ଏହି ଗୁମ୍ପାର ବାତାବରଣ ଏକ ଭିନ୍ନ ମହତ୍ତ୍ବ ବହନ କରେ। ଭାବର ପ୍ରଭାବ ସତରେ କେଡେ ବିଚିତ୍ର। କାହିଁ କେତେ ଦିନରୁ ଶ୍ରଦ୍ଧାଳୁମାନଙ୍କର ଅମରନାଥ ଗୁମ୍ପା ପ୍ରତି ଥିବା ଶ୍ରଦ୍ଧା ଓ ଭକ୍ତି ଭାରତୀୟ ସନାତନ ତତ୍ତ୍ବକୁ ବିଭିନ୍ନ ସମୟରେ ପ୍ରତିପାଦିତ କରିପାରେ।