ହାଇଦ୍ରାବାଦ: ବିଶ୍ବର ପାଖାପାଖି 820 ମିଲିଅନ ଲୋକଙ୍କୁ ଭରପୂର ଖାଦ୍ୟ ମିଳୁନାହିଁ । ଏକଥା ଆମେ ନୁହେଁ ବରଂ ଜାତିସଂଘର 2019 ରିପୋର୍ଟ କହୁଛି । ନିକଟରେ ‘The State Of Food Security And Nutrition In The World’ର ରିପୋର୍ଟକୁ 190ଟି ଦେଶର ଉପସ୍ଥିତିରେ ରିଲିଜ କରାଯାଇଛି । ଏହି 32 ପେଜର ରିପୋର୍ଟରେ ବିଶ୍ବର ଖାଦ୍ୟ ସମସ୍ୟା, ସୁରକ୍ଷା ଓ ପୋଷଣ ବିଷୟରେ ସବିଶେଷ ତଥ୍ୟ ଦିଆଯାଇଛି ।
ରିପୋର୍ଟ ଆସିବା ପରେ ବିଶ୍ବର ଏପରି ସ୍ଥିତି ଦେଖି 2030 ସୁଦ୍ଧା ‘Zero Hunger’ ମିଶନକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବିଶ୍ବରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ପୋଷଣର ଅଭାବ କାରଣରୁ କମ୍ ଓଜନ ଥିବା ଶିଶୁଙ୍କର ଜନ୍ମ ବୃଦ୍ଧି ପାଉଛି । ଏପରିକି କମ୍ ଓଜନ ସମସ୍ୟା ସହ ଆବଶ୍ୟକତାରୁ ଅଧିକ ଓଜନ ଥିବା ଶିଶୁଙ୍କ ସଂଖ୍ୟା ବୃଦ୍ଧି ମଧ୍ୟ ଚିନ୍ତାର ବିଷୟ । ରିପୋର୍ଟ ଅନୁସାରେ, ଏହା ପୋଷଣୀୟ ବିକାଶରେ ମଧ୍ୟ ବାଧକ ସୃଷ୍ଟି କରୁଛି ।
ପୁରୁଷଙ୍କ ଅପେକ୍ଷା ମହିଳାମାନେ ବିଶ୍ବରେ କୁପୋଷଣର ଶିକାର ହେଉଛନ୍ତି । ବିଶ୍ବର ପ୍ରାୟ ସବୁ ଦେଶରେ ଏହି ସମସ୍ୟା ଦେଖାଯାଉଥିବା ବେଳେ ଲାଟିନ୍ ଆମେରିକାରେ ଏହି ପ୍ରଭେଦ ବେଶି ଦେଖିବାକୁ ମିଳେ । ପୋଷଣର ଅଭାବ ସେହି ଦେଶରେ ଅଧିକ ଦେଖାଯାଏ ଯେଉଁ ଦେଶରେ ଆର୍ଥନୈତିକ ଅଭିବୃଦ୍ଧି କମ୍ ଥାଏ । ମୁଖ୍ୟତଃ ମଧ୍ୟମ ଅର୍ଥନୈତିକ ଦେଶ ମାନେ ଅନ୍ତର୍ଜାତୀୟ ସାମଗ୍ରୀ ଉପରେ ନିର୍ଭର କରିଥାନ୍ତି ।
ସଂଯୁକ୍ତ ରାଷ୍ଟ୍ରର ବାର୍ଷିକ ରିପୋର୍ଟ ଅନୁସାରେ ଦେଶରେ ଥିବା ବାସିନ୍ଦାଙ୍କ ମାସିକ ରୋଜଗାରରେ ସମାନତା ଦେଖାଯାଏନି । ଏହି କାରଣ ଯୋଗୁଁ ଦେଶରେ ପୋଷଣରେ ଅଭାବ ଦେଖାଯାଏ । କାରଣ ବଜାରରେ ମିଳୁଥିବା ଦ୍ରବ୍ୟର ମୂଲ୍ୟ ସମସ୍ତଙ୍କ ପାଇଁ ସମାନ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏହା ସମସ୍ୟା ହୋଇଥାଏ । ଜାତିସଙ୍ଘ ମୁତାବକ, ‘ଅର୍ଥନୈତିକ ଦୁର୍ବଳ ବା ଗରିବ ଶ୍ରେଣୀର ଲୋକଙ୍କୁ ମୁଖ୍ୟସ୍ରୋତର ଆଣିବାକୁ ହେଲେ ସୁବ୍ୟବସ୍ଥିତ ପରିଚାଳନା ଜରୁରୀ ତେବେ ଯାଇ ବିଶ୍ବର ଖାଦ୍ୟ ସୁରକ୍ଷା, କୁପୋଷଣରେ ପରିବର୍ତ୍ତନ ଆସିବ ।’
କୁପୋଷଣର ଅଭାବ ମୁଖ୍ୟତଃ ଆଫ୍ରିକା ଓ ଏସିଆରେ ଅଧିକ ଦେଖିବାକୁ ମିଳେ । ଏହା କମିବା ଅପେକ୍ଷା ସମସ୍ତ ଅଞ୍ଚଳରେ ଧିରେଧିରେ ବଢିବାରେ ଲାଗିଛି । ସମଗ୍ର ଆଫ୍ରିକାର ପୂର୍ବ ଅଞ୍ଚଳ ଗୁଡିକରେ ଅଧିକ ଆଫ୍ରିକୀୟଙ୍କୁ ଦେଖିବାକୁ ମିଳେ ଓ ସେଠାରେ ହିଁ ପୋଷଣର ଅଭାବ ଅଧିକ ଦେଖାଯାଇଥାଏ । ଏହାସହ ଆଫ୍ରିକାର ଜଳବାୟୁ ପରିବର୍ତ୍ତନ, ଅର୍ଥନୀତିରେ ଅସ୍ଥିରତା କୁପୋଷଣ ହେବାର କାରଣ । ଅନ୍ୟପକ୍ଷେ ଏସିଆରେ ପ୍ରାୟ 500 ମିଲିଅନରୁ ଅଧିକ ଲୋକଙ୍କ ମଧ୍ୟରେ ଖାଦ୍ୟାଭାବ ଦେଖାଯାଇଥାଏ । ମୁଖ୍ୟତଃ ଦକ୍ଷିଣ ଏସିଆ ଦେଶ ଗୁଡିକରେ ଏହି ସମସ୍ୟା ଦେଖାଯାଇଥାଏ । ଉଭୟ ଏସିଆ ଓ ଆଫ୍ରିକାରେ ବିଭିନ୍ନ ପ୍ରକାର କୁପୋଷଣ ଦେଖିବାକୁ ମିଳେ । ପ୍ରାୟ 10 ଜଣ ଶିଶୁଙ୍କ ମଧ୍ୟରୁ 9 ଜଣ ଶିଶୁଙ୍କ ମଧ୍ୟରେ ଏହି ସମସ୍ୟା ପରିଲିକ୍ଷିତ ହୋଇଥାଏ । ଅସ୍ବାସ୍ଥ୍ୟକର ପରିବେଶରେ ବାସ କରିବା ଓ ଅସ୍ବାସ୍ଥ୍ୟକର ଖାଦ୍ୟ ଗ୍ରହଣ କରିବା ହେଲା ଏହାର ମୁଖ୍ୟ କାରଣ ।
ଭାରତ କଥା କହିବାକୁ ଗଲେ କୁପୋଷଣର ଶିକାର ହେଉଥିବା ବାସିନ୍ଦାଙ୍କ ସଂଖ୍ୟା 2018ରେ କମିଥିବା ଦେଖିବାକୁ ମିଳିଛି । ଏହାସହ ଅତ୍ୟଧିକ ଓଜନ ଥିବା ଶିଶୁଙ୍କ ସଂଖ୍ୟା 2018 ସୁଦ୍ଧା 2.9 ମିଲିୟନରେ ପହଞ୍ଚିଛି ।
ଭାରତ ପାଇଁ ଅର୍ଥନୀତିରେ ବର୍ତ୍ତମାନ ବଡ ପ୍ରତିଯୋଗୀ ଚାଇନା । ଯଦି ଚାଇନା ସହ ଭାରତକୁ ତୁଳନା କରାଯାଏ ତେବେ 1990ରୁ 2017 ମଧ୍ୟରେ ଦୁହିଁଙ୍କ ଅର୍ଥନୈତିକ ଅଭିବୃଦ୍ଧି ବେଶ ଭଲ ରହିଛି । ଦୁଇ ଦେଶରେ ପ୍ରତି ଲୋକ ପିଛା ମୋଟ ଘରୋଇ ଉତ୍ପାଦର ବୃଦ୍ଧିହାର ଯଥାକ୍ରମେ 8.6 ଓ 4.5 ପ୍ରତିଶତ ରହିଛି । କିନ୍ତୁ ଅନ୍ୟପକ୍ଷେ ଦୁଇ ଦେଶର ଜନସଂଖ୍ୟା ବୃଦ୍ଧି ଅଲଗା ଅଲଗା ରହିଛି । ତେବେ ଭାରତ ତୁଳନାରେ ଚାଇନାରେ ଦାରିଦ୍ରତା ହାର ପ୍ରସଂଶନୀୟ । 1981ରେ ଚାଇନାରେ 88 ପ୍ରତିଶତ ଦାରିଦ୍ରତା ଥିବା ବେଳେ ଏହା ହ୍ରାସ ପାଇ 2015ରେ 0.7 ପ୍ରତିଶତ ଥିଲା । ଅନ୍ୟପକ୍ଷେ ଭାରତରେ 1987 ମସିହାରେ 48.9ପ୍ରତିଶତ ଦାରିଦ୍ରତା ହାର ଥିବା ବେଳେ 2011ରେ 21.2ପ୍ରତିଶତ ଦାରିଦ୍ରର ସୀମାରେଖା ତଳେ ଥିଲା ।
ସଂଯୁକ୍ତ ରାଷ୍ଟ୍ରର ଏହି ରିପୋର୍ଟରେ ‘Mahatma Gandhi National Rural Employment Guarantee Scheme, 2005’ବିଷୟରେ ମଧ୍ୟ ଆଲୋଚନା କରାଯାଇଛି । ‘The State Of Food Security And Nutrition In The World’ରିପୋର୍ଟ ଏଫଓ, ଆଇଏଫଏଡି, ୟୁନିସେଫ, ଡବ୍ଲୁଏଫପି, ଡବ୍ଲୁଏଚଓର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି ।