ଭୋପାଳ: ଆଜି ପବିତ୍ର ଜନ୍ମାଷ୍ଟମୀ । ସାରା ଦେଶ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରିବାରେ ବ୍ୟସ୍ତ । ଲହୁଣୀ ଚୋରି ହେଉ ଅବା ବନ୍ଧୁତ୍ବ ପାଳନ । ଅବା ଗୀତାର ଉପଦେଶ ହେଉ ବା ଧର୍ମର ସ୍ଥାପନା, ସବୁଥିରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସାରଥୀ ଭାବେ ଭକ୍ତମାନେ ପାଇ ଆସିଛନ୍ତି । ଦେଶର କୋଣ ଅନୁକୋଣରେ ତାଙ୍କର ପୂଜା କରାଯାଉଛି । ମଧ୍ୟପ୍ରଦେଶର ଏଭଳି ଏକ ମନ୍ଦିର ରହିଛି ଯେଉଁଠାରେ ଶ୍ରୀକୃଷ୍ଣଙ୍କ ସହିତ ଜଡିତ ଅନେକ କାହାଣୀ ସାମିଲ ରହିଛି ।
ମଧ୍ୟପ୍ରଦେଶର ଧାର ଅନ୍ତର୍ଗତ ଅମଝୋରା ଅଞ୍ଚଳରେ ରହିଛି ଏହି ମନ୍ଦିର । ଅମକା-ଝମକା ଭାବେ ଏହାର ପରିଚୟ ରହିଛି । ପୁରାଣ ଅନୁଯାୟୀ ଏହି ମନ୍ଦିର ଦ୍ବାପର ଯୁଗର । ରୁକ୍ମିଣୀଙ୍କୁ ହରଣ କରିବା ପରେ ଏଠାରେ ସେ ତାଙ୍କୁ ବିବାହ କରିଥିବା ଜଣାଯାଏ । ଦ୍ବାପର ଯୁଗରେ ଏହି ଅଞ୍ଚଳ କୁନ୍ଦନପୁର ଭାବେ ପରିଚୟ ଲାଭ କରିଥିଲା । କୁନ୍ଦନପୁରକୁ ତତ୍କାଳୀନ ରାଜା ଭୀଷ୍ମକ ଶାସନ କରୁଥିଲେ । ରାଜାଙ୍କର 5 ପୁତ୍ର ସହିତ ଗୋଟିଏ ଝିଅ ଥିଲା । ଯାହାର ନାମ ରୁକ୍ମିଣୀ ଥିଲା ।
ତେବେ ରୁକ୍ମିଣୀ ଭଗବାନ ଶ୍ରୀକୃଷ୍ଣଙ୍କୁ ଭଲପାଉଥିଲେ । ତାଙ୍କୁ ସ୍ବାମୀଭାବେ ପାଇବା ପାଇଁ ମନେ ମନେ ସ୍ଥିର କରିଥିଲେ ରୁକ୍ମିଣୀ । କିନ୍ତୁ ଅନ୍ୟପଟେ ରାଜା ଭିଷ୍ମକ ଝିଅ ରୁକ୍ମିଣୀଙ୍କୁ ଚନ୍ଦେରୀ ରାଜ୍ୟର ରାଜା ଶିଶୁପାଳଙ୍କୁ ବିବାହ ଦେବା ପାଇଁ ସ୍ଥିର କରିଥିଲେ । ତେବେ ଏ ବିଷୟରେ ସୂଚନା ପାଇବା ପରେ ରୁକ୍ମିଣୀ ବିଚଳିତ ହୋଇ ପଡ଼ିଥିଲେ ।
ଅଧିକ ପଢନ୍ତୁ: ଜନ୍ମାଷ୍ଟମୀରେ ଯଶୋଦାଙ୍କ ପୂଜା କରନ୍ତି ନିସନ୍ତାନ ମହିଳା
ଏନେଇ ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ସୂଚନା ଦେଇଥିଲେ । ସେ ଶିଶୁପାଳଙ୍କୁ ବିବାହ କରିବାକୁ ଚାହୁଁନାହାନ୍ତି । ତାଙ୍କୁ ବହୁତ ଭଲପାଉଛନ୍ତି ଏବଂ ବିବାହ କରିବାକୁ ଚାହୁଁଛନ୍ତି ବୋଲି ଏକ ପତ୍ର ମାଧ୍ୟରେ ଶ୍ରୀକୃଷ୍ଣଙ୍କ ନିକଟକୁ ରୁକ୍ମିଣୀ ପଠାଇଥିଲେ । ତେବେ ଏହି ସୂଚନା ପାଇବା ପରେ ଶ୍ରୀକୃଷ୍ଣ ଯଥାଶୀଘ୍ର କୁନ୍ଦନପୁରରେ ପହଞ୍ଚିଥିଲେ । ଏହା ସହିତ ସେ ରୁକ୍ମିଣୀଙ୍କୁ ନେଇ ଦ୍ବାରକାପୁରୀକୁ ଚାଲି ଯାଇଥିବା ପୁରାଣରୁ ଜଣାପଡ଼େ ।
ତେବେ ଏହି ମନ୍ଦିର ଆଗରୁ ଶ୍ରୀକୃଷ୍ଣ ରଥରେ ରୁକ୍ମିଣୀଙ୍କୁ ବସାଇ ଦ୍ବାରକାପୁରିକୁ ଚାଲିଯାଇଥିବା ପୁରାଣରୁ ଜଣାପଡ଼େ । ଏହାର ପ୍ରମାଣ ସ୍ବରୂପ ମନ୍ଦିର ପଛପଟେ ରଥ ଚକର ଚିହ୍ନ ଆଜି ମଧ୍ୟ ରହିଛି । ତେବେ ସମୟ ସହିତ ଉକ୍ତ ଚିହ୍ନରେ ମଳିନ ପଡ଼ିଯାଇଛି ।
ଅନ୍ୟପଟେ ମନ୍ଦିରରେ ଯେଉଁ ଭକ୍ତ ଯାହା ମାଗିଥାଏ ତାହା ପୁରଣ ହୋଇଥାଏ ବୋଲି ବିଶ୍ବାସ ରହିଆସିଛି । ଏଠାକୁ ଆସୁଥିବା ସମସ୍ତ ଭକ୍ତଙ୍କ ମନୋସ୍କାମନା ମା' ଅମକା-ଝମକା ପୁରଣ କରିଥାନ୍ତି । ତେବେ ଖାଲି ଏତିକି ନୁହେଁ, ଆହୁରି ଅନେକ ଲୋକକଥା ଓ ପୌରାଣିକ କଥା ମଧ୍ୟ ଶୁଣିବାକୁ ମିଳିଥାଏ । ପାଣ୍ଡବମାନେ ଯେବେ ବନବାସ ଯାଇଥିଲେ, ସେହି ସମୟରେ ମା ଅମକା-ଝମକା ମନ୍ଦିର ଚାରିପଟେ ବୁଲୁଥିବା ଓ ତପସ୍ୟା କରୁଥିବାର ପ୍ରମାଣ ଦେଖିବାକୁ ମିଳେ ।