ଭୋପାଳ: ଆଜିର ସମାଜରେ ଏକ ଦୁର୍ବଳ ଶ୍ରେଣୀର ଲୋକେ ଅବହେଳାର ଶୀକାର ହୋଇଥାନ୍ତି, ସେଠାରେ ପଶୁପକ୍ଷୀଙ୍କ କଥା ପଚାରେ କିଏ। ମଧ୍ୟପ୍ରଦେଶର ଏପରି ଜଣେ ମହିଳା ଅଛନ୍ତି, ଯାହାଙ୍କ ପଶୁପ୍ରେମ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ।
ମଧ୍ୟପ୍ରଦେଶର କଟନୀ ଜିଲ୍ଲାର ବାସିନ୍ଦା ଅମିତା ଶ୍ରୀବାସ୍ତବ । ବିଗତ 3 ବର୍ଷ ତଳୁ ଅମିତା ପଶୁଙ୍କ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ବିଗତ 3 ବର୍ଷ ତଳେ କଲେଜରୁ ଫେରୁଥିବା ବେଳେ ବାଟରେ ଏକ ବାଛୁରୀକୁ ଗୁରୁତର ଅବସ୍ଥାରେ ଦେଖିଥିଲେ । ଏହା ପରେ ଉକ୍ତ ବାଛୁରୀକୁ ସାହାଯ୍ୟ କରିବାକୁ ମନସ୍ଥ କରିଥିଲେ । ଆଉ କିଛି ବନ୍ଧୁଙ୍କ ସହିତ ମିଶି ଉକ୍ତ ତା’ର ଚିକିତ୍ସା କରିଥିଲେ।
ଏହା ପରେ ସେ ସହରରେ ଅନେକ ଅସହାୟ ଗୁରୁତର ପଶୁପକ୍ଷୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ତେବେ ସେ ଏତେମାତ୍ରାରେ ପଶୁପକ୍ଷୀଙ୍କ ସେବା କଲେ ଯେ, ବର୍ତ୍ତମାନ ଯେଉଁଠାରେ ବି ପଶୁପକ୍ଷୀଙ୍କ ନିମନ୍ତେ ସେବା ଆବଶ୍ୟକ ପଡ଼ିଲେ ଅମିତାଙ୍କୁ ଖୋଜା ପଡ଼େ। ତେବେ ଅମିତାଙ୍କ ଭଲ ପାଇବାର ଫଳ ମଧ୍ୟ ପଶୁପକ୍ଷୀଙ୍କ ନିକଟରୁ ପାଇଥାନ୍ତି ।
ତେବେ ଅମିତା କେବଳ ବୁଲା ଗାଈଗୋରୁ ନୁହନ୍ତି, ନିଜ ଘରେ ମଧ୍ୟ ଅନେକ ପଶୁପକ୍ଷୀ ରଖିଛନ୍ତି । ଅମିତା ନିଜ ଘରେ କଇଁଛ, ଗାଈ ଏବଂ ଏହା ସହିତ ଆହୁରି ଅନେକ ପଶୁ ପକ୍ଷୀ ରଖିଥିବା ଜଣାପଡ଼ିଛି। ଉଚ୍ଚ ଶିକ୍ଷିତା ଅମିତା ସିଲେଇ ଏବଂ ବ୍ୟୁଟି ପାର୍ଲରରୁ ଯାହା ରୋଜଗାର କରିଥାନ୍ତି, ସେଥିରେ ତାଙ୍କର ଘର ଚଳିଥାଏ । ତେବେ ଘର ଚଳିବା ପରେ ଯାହା ଅର୍ଥ ବଳେ ତାହାକୁ ଏହି ପଶୁପକ୍ଷୀଙ୍କ ସେବାରେ ଲଗାଇଥାନ୍ତି ବୋଲି ଜଣାପଡ଼ିଛି ।
ଅମିତା କମର୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ମାତ୍ର ସେ ବର୍ତ୍ତମାନ ଗୋରୁ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଆଉ ପଶୁପକ୍ଷୀଙ୍କ ଉପରେ ପ୍ରଯୁଜ୍ଯ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛାପ୍ରକାଶ କରିଛନ୍ତି । ସେପଟେ ଅମିତାଙ୍କ ଏହି ସେବା ଦେଖି ତାଙ୍କଠାରୁ ଅନେକ ପ୍ରେରଣା ପାଇଛନ୍ତି । ଅନେକ ଲୋକ ମଧ୍ୟ ସହରରେ ପଶୁ ସେବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି।