ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ କେଇଟା ଦିନ ବାକିଥିବା ବାଳେ ପ୍ରଚାର ପ୍ରସାର ଜୋରଦାର କରିଛନ୍ତି ସମସ୍ତ ରାଜନୈତିକ ଦଳ । ଏହି କ୍ରମରେ ଦିଲ୍ଲୀର ଉତ୍ତମନଗର ଏବଂ ମଟିୟାଲାରେ ରୋଡ ଶୋ ଏବଂ ରାଲି କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଏହି ସମୟରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ କଡା ସମାଲୋଚନା କରିଛନ୍ତି । ଯଦି ମିଥ୍ୟା ପ୍ରତିଶୃତି ପ୍ରତିଯୋଗୀତା ଆୟୋଜିତ ହୁଏ, ତାହେଲେ କେଜ୍ରିୱାଲଙ୍କୁ ପ୍ରଥମ ପୁରସ୍କାର ମିଳିବ ବୋଲି ଶାହ କହିଛନ୍ତି ।
କେଜ୍ରିୱାଲଙ୍କୁ ଟାର୍ଗେଟ କରି ଶାହ କହିଛନ୍ତି, 'କେଜ୍ରିୱାଲ ଯାହା ସବୁ ପ୍ରତିଶୃତି ଦେଇଥିଲେ ସେସବୁ ସେ ଭୁଲି ଯାଇଛନ୍ତି । କିନ୍ତୁ ତାଙ୍କର ଏହି ପ୍ରତିଶୃତି ଦିଲ୍ଲୀବାସୀ ଭୁଲିନାହାଁନ୍ତି କି ବିଜେପି ଭୁଲିନାହିଁ । ଏହିସବୁ ପ୍ରତିଶୃତି ମନେ ପକାଇଦେବାକୁ ମୁଁ ଆଜି ଆସିଛି । କେଜ୍ରିୱାଲ ଅନ୍ନା ହଜାରେଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀ ହେଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ହେବାପରେ ସେ ଲୋକପାଳ ପାଇଁ ଆଇନ୍ ପ୍ରଣୟନ କରିନଥିଲେ । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଏହି ଆଇନ୍ ପ୍ରଣୟନ କଲେ, କେଜ୍ରିୱାଲ ଏହାକୁ ଦିଲ୍ଲୀରେ ଲାଗୁ ହେବାକୁ ଦେଲେ ନାହିଁ ।'
ଏହା ବ୍ୟତୀତ ଶାହ ଧାରା 370 ଉଚ୍ଛେଦକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ' ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବାପରେ ରାହୁଲ ଏବଂ ସହଯୋଗୀ ତୁରନ୍ତ ଏହାକୁ ବିରୋଧ କରିଥିଲେ । ଏଭଳି କରିବା ଦ୍ବାରା ରକ୍ତର ନଦୀ ବହିବ ବୋଲି ସେମାନେ କହିଥିଲେ । କିନ୍ତୁ ମୋଦି ସରକାରଙ୍କ ଯୋଗୁଁ ସେଠାରେ ଗୋଟିଏ ଗୁଳି ମଧ୍ୟ ଚାଲିନାହିଁ । ଏବେ ଜମ୍ମୁ-କାଶ୍ମୀର ସମ୍ପୂର୍ଣ୍ଣ ଭାବରେ ଭାରତରେ ସାମିଲ ହୋଇଛି ।'