ନୂଆଦିଲ୍ଲୀ: ଲକଡାଉନ୍ ବେଳେ ପ୍ରବାସୀ ଶ୍ରମିକଙ୍କ ପଳାୟନ ବର୍ତ୍ତମାନ ଦେଶ ପାଇଁ ଚିନ୍ତାର କାରଣ । ଲକଡାଉନ୍ ଖୋଲିବା ପରେ ଦେଶର ସବୁଠାରୁ ବଡ ମୁଣ୍ଡ ବିନ୍ଧାର କାରଣ ହେବ ବେରୋଜଗାରୀ । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (CMIE) ର ତଥ୍ୟ ଅନୁଯାୟୀ ଏପ୍ରିଲରେ ବେକାରୀ ହାର 23.5 ପ୍ରତିଶତକୁ ବୃଦ୍ଧି ପାଇଛି। ଏଥି ସହିତ ମେ 3 ସୁଦ୍ଧା ବେକାରୀ ହାର 27.1 ପ୍ରତିଶତରେ ପହଞ୍ଚିଛି।
CMIE ତଥ୍ୟ ଅନୁଯାୟୀ, କେବଳ ଏପ୍ରିଲ ସୁଦ୍ଧା 12.15 କୋଟି ଲୋକ ଚାକିରୀ ହରାଇଛନ୍ତି। ଏଥିମଧ୍ୟରୁ 9.13 କୋଟି ଦିନ ମଜୁରିଆ ଓ କ୍ଷୁଦ୍ର ବ୍ୟବସାୟୀ ଅଛନ୍ତି। ଏହା ବ୍ୟତୀତ 1.82 କୋଟି ବ୍ୟବସାୟୀଙ୍କ ବ୍ୟବସାୟ ହରାଇଛନ୍ତି। ଏହା ବ୍ୟତୀତ 1.78 କୋଟି ବେତନରେ କାମ କରୁଥିବା ନିଯୁକ୍ତ ବ୍ୟକ୍ତିଙ୍କ ନିଯୁକ୍ତି ଏପ୍ରିଲ ମାସ ସୁଦ୍ଧା ଶେଷ ହୋଇଛି। ତେବେ ଏ ମଧ୍ୟରେ ଆଶ୍ବସ୍ତି ଖବର ହେଉଛି 20 ଏପ୍ରିଲ ସୁଦ୍ଧା 58 ଲକ୍ଷ କୃଷକ ଚାଷକାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
CMIE ଆକଳନରୁ ଜଣାପଡିଛି ଯେ ମାର୍ଚ୍ଚ 15 ପର୍ଯ୍ୟନ୍ତ ବେକାରୀ ହାର 6.74 ପ୍ରତିଶତ ଥିଲା। ଏହା ପରେ, ଏପ୍ରିଲ 19 ସୁଦ୍ଧା ଏହି ସଂଖ୍ୟା 26.19 ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ଏପ୍ରିଲ 19 ପରେ ଏକ ସପ୍ତାହରେ ବେକାରୀ ହାର ସାମାନ୍ୟ ହ୍ରାସ ପାଇ 21.05 ପ୍ରତିଶତକୁ ଖସି ଆସିଥିଲେ । ଏହା ପରେ ଏପ୍ରିଲ ଶେଷରେ ବେକାରୀ ହାର 23.5 ପ୍ରତିଶତରେ ପହଞ୍ଚିଛି। ପରେ ମେ 3 ପର୍ଯ୍ୟନ୍ତ ବେକାରୀ ହାର 27.1 ପ୍ରତିଶତକୁ ବୃଦ୍ଧି ପାଇଛି। ଅର୍ଥାତ ଏହି ପରିସଂଖ୍ୟାନକୁ ଦେଖି ବୁଝିହେବ ଯେ ଲକଡାଉନ୍ ହେବା ପରେ ଦେଶରେ ବେକାରୀ ହାର କେତେ ଦ୍ରୁତ ଗତିରେ ବୃଦ୍ଧି ପାଇଛି।
ବେକାରୀ ସମସ୍ୟା ଦେଶର ପ୍ରାୟ ସମସ୍ତ ରାଜ୍ୟକୁ ପ୍ରଭାବିତ କରିଛି। ଯଦି ଆମେ ବଡ ରାଜ୍ୟଗୁଡିକର ଆକଳନ ବିଷୟରେ କହିବା, ବେକାରୀ ହାର ବୃଦ୍ଧି କ୍ଷେତ୍ରରେ ତାମିଲନାଡୁ ପ୍ରଥମ ସ୍ଥାନରେ ଅଛି । ସେହିଭଳି ଝାଡଖଣ୍ଡ ଦ୍ବିତୀୟ ସ୍ଥାନରେ, ବିହାରର ନାମ ତୃତୀୟ ସ୍ଥାନରେ ରହିଛି। ତାମିଲନାଡୁରେ ବେକାରୀ ହାର 49.8 ପ୍ରତିଶତ ରହିଛି। ଏଥି ସହିତ ଝାଡଖଣ୍ଡରେ ଏହି ସଂଖ୍ୟା 47.1 ପ୍ରତିଶତ ହୋଇଥିବାବେଳେ ବିହାରରେ ଏହି ସଂଖ୍ୟା 46.6 ପ୍ରତିଶତ ରହିଛି। ତେବେ ପଞ୍ଜାବରେ ସବୁଠାରୁ କମ୍ ବେକାରୀ ହାର ରହିଛି । ମାତ୍ର 2.9 ପ୍ରତିଶତ ହାର ରହିଛି ।