ୱାଶିଂଟନ: ଭାରତର ନାଗରିକତା ସଂଶୋଧନ ବିଲ ବିରୋଧରେ ମନ୍ତବ୍ୟ ଦେବାକୁ ଜାତିସଂଘ ଅଗ୍ରାହ୍ୟ କରିଛି । ନିଜ ସୁରକ୍ଷା ପାଇଁ ସରକାର ଅଣ-ଭେଦଭାବ ସୃଷ୍ଟିକାରୀ ଆଇନ ପ୍ରଣୟନ କରିପାରିବେ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି ।
ଜାତିସଂଘର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରେସ କହିଛନ୍ତି, ‘ଯାହା ମୋତେ ଜଣା ଅଛି । ଏହି ଆଇନ ଏକ ବ୍ୟବସ୍ଥାପକ ପ୍ରକ୍ରିୟା ମଧ୍ୟ ଦେଇଯାଉଛି’ । ଦେଶୀୟ ବ୍ୟବସ୍ଥାପିକାରେ ଏହା କରାଯାଇଥିବାରୁ ଏଥିରେ ଆମେ ବିବୃତି ଦେବା ଠିକ ନୁହେଁ ବୋଲି ସେ କହିଛନ୍ତି । ସେହିପରି ଉପ ମୁଖପାତ୍ର ଫରାନ ହକ କହିଛନ୍ତି, ‘ବିଭିନ୍ନ ଦେଶର ସରକାରମାନେ ଅଣଭେଦଭାବ ସୃଷ୍ଟିକାରୀ ଆଇନ ପ୍ରଣୟନ କରିପାରିବେ’ ।
ଏହି ଐତିହାସିକ ଆଇନ ସୋମବାର ଲୋକସଭାରେ ପାରିତ ହୋଇଛି । ପାରିତ ସମୟରେ ସପକ୍ଷରେ 311 ଭୋଟ ମିଳିଥିବାବେଳେ ବିପକ୍ଷରେ 80ଟି ଭୋଟ ମିଳିଥିଲା । ଏହି ବିଧେୟକରେ ପାକିସ୍ତାନ, ବାଲାଂଦେଶ ଓ ଆଫଗାନିସ୍ଥାନରୁ ଆସିଥିବା ଅଣମୁସଲମାନ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇପାରିବ ।
ଏହି କ୍ରମରେ 2014 ଡିସେମ୍ବର 31 ମଧ୍ୟରେ ଭାରତକୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ନାଗରିକତା ପ୍ରଦାନ କରାଯିବ । ସେହିପରି ବୁଧବାର ଏହି ଆଇନ ରାଜ୍ୟସଭାରେ ପାରିତ କରାଯିବ । ଏଥିରେ ଏନଡିଏ ଅତିକମରେ 123 ସାଂସଦଙ୍କ ସମର୍ଥନ ଆବଶ୍ୟକ ରହିଛି ।