ନ୍ୟୁୟର୍କ: ଗରିବୀ ହଟାଇବା ପାଇଁ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରିସ ସମଗ୍ର ବିଶ୍ବକୁ ପ୍ରସ୍ତାବ ଦେଇଛନ୍ତି । ଗୁରୁବାର ବିଶ୍ବ ଗରିବୀ ହଟାଅ ଦିବସ ଉପଲକ୍ଷେ ନିଜର ଅଭିଭାଷଣ ରଖିବା ଅବସରରେ ସେ ଏହା କହିଛନ୍ତି । ଏନେଇ ସେ କହିଛନ୍ତି ଯେ, ବିଶ୍ବରେ ଶିଶୁ ଶ୍ରମିକ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଯାହା ଗରିବୀର ଏକ ପ୍ରମୁଖ କାରଣ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶିଶୁ ଶ୍ରମିକଙ୍କ ମଧ୍ୟରେ ଝିଅଙ୍କ ସଂଖ୍ୟା ଅଧିକ ରହିଛି। ଏହା ନିଶ୍ଚିତ ଭାବେ ଚିନ୍ତାଜନକ ବିଷୟ । ଏହି ପରିବର୍ତ୍ତନରେ ସେମାନଙ୍କ ଭୂମିକା ଗୁରୁତ୍ବ ରଖେ । ମହିଳା ଓ ଝିଅ ଶ୍ରମିକକୁ ବନ୍ଦ କରିବାକୁ ପ୍ରଥମେ ପଡ଼ିବ ବୋଲି ଗୁଟେରେସ କହିଥିଲେ । ଆହୁରି ମଧ୍ୟ ସେ କହିଥିଲେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତାକୁ ବଢାଇବାକୁ ପଡ଼ବ । ବାଳିକାଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷା ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ। ଅଧାରୁ ପାଠ ଛାଡୁଥିବା ଝିଅଙ୍କୁ ଖୁବ କମ ବୟସରେ ବିବାହ କରି ଦିଆଯାଉଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ଗରିବୀ ବଢିବାର ଅନ୍ୟ ଏକ କାରଣ ବୋଲି ସେ ନିଜ ମନ୍ତବ୍ୟରେ ପ୍ରକାଶ କରିଥିଲେ ।
ଗୁଟେରିସ ଆହୁରି ମଧ୍ୟ କହିଥିଲେ ଯେ, ଗରିବୀକୁ ସମାପ୍ତ କରିବାର ପ୍ରକ୍ରିୟା ସମସ୍ତେ ନିଜ ଘରୁ ଆରମ୍ଭ କରିବାକୁ ପଡିବ । ଏହି ପ୍ରକ୍ରିୟା ଯେହେତୁ ବ୍ୟକ୍ତିଗତ ସ୍ତରରୁ ଆରମ୍ଭ ହୋଇଥାଏ, ସେଥିପାଇଁ ଏହାକୁ ସେହି ସ୍ତରରେ ସମାପ୍ତ କରିବାକୁ ପଡ଼ିବ ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ କି, ସାମାଜିକ କାର୍ଯ୍ୟ ତଥା ସମାଜର ମୌଳିକ କାର୍ଯ୍ୟରେ ପିଲାଙ୍କ ଯୋଗଦାନ ସମ୍ପର୍କରେ ସୂଚନା ଦେବାକୁ ହେବ । ଏହା ଫଳରେ ସେମାନଙ୍କ ସାମାଜିକ ସୁରକ୍ଷା ଏବଂ ଦାୟିତ୍ବବୋଧ ସମ୍ପର୍କରେ ଜ୍ଞାନ ବଢିବ । ଆଜି ବି ଦୁଇ ତୃତୀୟାଂଶ ପିଲାଙ୍କୁ ସାମାଜିକ ସୁରକ୍ଷାର ଅଭାବ ରହିଥିବା ସେ କହିଥିଲେ।
ପିଲାଙ୍କ ମାନସିକ ସନ୍ତୁଳନ ରକ୍ଷା ସମ୍ପର୍କରେ ସେ କହିଥିଲେ କି, ସେମାନଙ୍କୁ ପରିବାରର ସମର୍ଥନ, ପିତାମାତାଙ୍କ ଦାୟିତ୍ବ ଏବଂ ଭଲ ପାଇବା ଓ ଚାଇଲ୍ଡ କେୟାର ସପୋର୍ଟ ରହିବା ଆବଶ୍ୟକ । ସୂଚନାଯୋଗ୍ୟ 1993 ମସିହା ଅକ୍ଟୋବର 17 ତାରିଖରୁ ଅନ୍ତର୍ଜାତୀୟ ଗରିବୀ ହଟାଅ ଦିବସ ପାଳିତ ହୋଇଆସୁଛି।