ଚଣ୍ଡିଗଡ: ହରିୟାଣାରେ ଖୁ୍ବ ଶୀଘ୍ର ଖୋଲିବ 2000 ଖୁଚୁରା ଆଉଟଲେଟ । ଏନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଖୋଷଣା କରିଛନ୍ତି । ଖୁବ୍ ଶୀଘ୍ର ସହଯୋଗ ବିଭାଗ ମାଧ୍ୟମରେ ଗ୍ରାମ ଏବଂ ସହରରେ 2000 'ଖୁଚୁରା ଆଉଟଲେଟ୍' ଖୋଲାଯିବ । ଯେଉଁଥିରେ ଗାଁ ଓ ସହରର ଯୁବକମାନେ ସେମାନଙ୍କର ଦକ୍ଷତା ଅନୁଯାୟୀ କାର୍ଯ୍ୟ କରିବେ। ଏହି ଖୁଚୁରା ଆଉଟଲେଟ୍ ଗୁଡିକ ମିନି-ଦୋକାନ ବଜାର ଭାବରେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି ।
ଏହି ଖୁଚୁରା ଆଉଟଲେଟ୍ ଗୁଡିକ ରାଜ୍ୟର ଗ୍ରାମ ଏବଂ ସହରଗୁଡିକରେ ସୁପର ବଜାର ଲାଇନରେ ଖୋଲାଯିବ । ଏହି ଆଉଟଲେଟ ଗୁଡ଼ିକରେ ଶସ୍ତା ଏବଂ ଗୁଣାତ୍ମକ ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେବ । ଏଥିରେ ହରିୟାଣା ସହିତ ହିମାଚଳ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ରାଜସ୍ଥାନରେ ପ୍ରସ୍ତୁତ ଦ୍ରବ୍ୟ ମଧ୍ୟ ବିକ୍ରି ହୋଇପାରିବ ।
ତେବେ ବିଶେଷ କଥା ହେଉଛି ରାଜ୍ୟର ଯେକୌଣସି ଯୁବକ ଏହି ଖୁଚୁରା ଆଉଟଲେଟ୍ ପାଇଁ ଆବେଦନ କରିପାରିବେ। ଏହାକୁ ଚଳାଇବା ପାଇଁ ସରକାର ଯୁବକମାନଙ୍କୁ ଦରମା ମଧ୍ୟ ପ୍ରଦାନ କରିବେ। ମନୋହର ଲାଲ କହିଛନ୍ତି ଯେ, ଗ୍ରୀନ୍ ବ୍ରାଣ୍ଡ ନାମରେ ଏହି ଖୁଚୁରା ଆଉଟଲେଟ୍ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଆଉଟଲେଟଗୁଡିକରେ ରାଜ୍ୟର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ରଖାଯିବ । ଯାହା ବଜାରରେ ପୂର୍ଣ୍ଣ ଚାହିଦା ରହିଛି ବୋଲି ସେ କହିଛନ୍ତି । ସେଥିମଧ୍ୟରୁ ଅନେକ ବ୍ରାଣ୍ଡର ଦୁଗ୍ଧ, କୁଲଫି, ରସ, କେକ୍, ବାର୍ଫି, ଘିଅ, ମହୁ, କଦଳୀ, ଆପଲ୍ ରସ, ଆପଲ୍ ଭିନେଗାର, ଚାମଚ ଏବଂ ଅନ୍ୟାନ୍ୟ ଗୁଣାତ୍ମକ ସାମଗ୍ରୀ ରଖାଯିବ ବୋଲି ସେ କହିଛନ୍ତି ।