ଜଣେ ଶ୍ବେତାଙ୍ଗ ପୋଲିସ ଅଧିକାରୀଙ୍କ ନିର୍ମମ ଆକ୍ରମଣର ଶିକାର ହୋଇ ଜର୍ଜ ଫ୍ଲୋଏଡ ନାମକ ଆମେରିକାର ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରତିବାଦରେ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବିଶ୍ବର ଅନ୍ୟାନ୍ୟ ପ୍ରମୁଖ ସହରରେ ବ୍ୟାପକ ଆନ୍ଦୋଳନ ମୁଣ୍ଡ ଟେକିଛି ।
ମେ 25 ତାରିଖ ଦିନ ମିନେସୋଟା ଅନ୍ତର୍ଗତ ମିନିଆପୋଲିସ୍ର ଏକ ଦୋକାନ ବାହାରେ ଗିରଫ ହୋଇଥିବା ଫ୍ଲୋଏଡ୍ଙ୍କୁ ଡେରିକ୍ ସାଭିନ୍ ନାମକ ଜଣେ ଶ୍ବେତାଙ୍ଗ ପୋଲିସ ଅଧିକାରୀ ତଳେ ପକାଇ ପ୍ରାୟ ନଅ ମିନିଟ୍ ଯାଏ ତାଙ୍କ ବେକକୁ ଆଣ୍ଠୁରେ ଚାପି ରଖିଥିଲେ ଏବଂ ପରେ ଶ୍ବାସରୁଦ୍ଧ ହୋଇ ଫ୍ଲୋଏଡଙ୍କ ମୃତ୍ୟୁ ଘଟିଥିଲା । ସେତେବେଳେ ‘ମୁଁ ପ୍ରଶ୍ବାସ ନେଇପାରୁନି’ ବୋଲି ଫ୍ଲୋଏଡ କହିବାରେ ଲାଗିଥିଲେ । ପରବର୍ତ୍ତୀ ସମୟରେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ଏବଂ କୋଭିଡ୍-19 ବିଶ୍ବ ମହାମାରୀର ପ୍ରାଦୁର୍ଭାବ ମଧ୍ୟରେ ହିଁ ସାରା ଆମେରିକାରେ ଆଫ୍ରିକୀୟ ବଂଶୋଦ୍ଭବ ଆମେରିକୀୟ ଏବଂ କୃଷ୍ଣକାୟ ସଂପ୍ରଦାୟକୁ ନ୍ୟାୟ ଦେବା ଦାବିରେ ତୀବ୍ର ପ୍ରତିବାଦ ଆରମ୍ଭ ହୋଇଯାଇଥିଲା । ମଙ୍ଗଳବାର ଦିନ ଫ୍ଲୋଏଡ୍ଙ୍କ ସମ୍ମାନାର୍ଥେ ବିଦାୟକାଳୀନ ପ୍ରାର୍ଥନାସଭା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଅନ୍ତିମ ସଂସ୍କାର ସମାବେଶରେ ଆମେରିକା ଇତିହାସରେ କୃଷ୍ଣକାୟ ବ୍ୟକ୍ତିମାନଙ୍କ ସଂଘର୍ଷର ବିବରଣୀ ସହିତ ଶହ ଶହ ବର୍ଷ ଧରି ପ୍ରଚଳିତ କ୍ରୀତଦାସ ପ୍ରଥାର ଯୁଗ ଏବଂ ନାଗରିକ ଅଧିକାର ଆନ୍ଦୋଳନର ସ୍ମୃତିଚାରଣ କରାଯାଇଥିଲା ।
ଗତ କିଛି ବର୍ଷ ମଧ୍ୟରେ, ତାମିର ରାଇସ୍, ମାଇକେଲ ବ୍ରାଉନ୍ ଏବଂ ଏରିକ୍ ଗାର୍ଣ୍ଣରଙ୍କ ଭଳି କୃଷ୍ଣକାୟ ବ୍ୟକ୍ତିମାନଙ୍କର ଅନୁରୂପ ଢଙ୍ଗରେ ମୃତ୍ୟୁ ହେବା ପରେ, ସମଗ୍ର ଆମେରିକାରେ ‘କୃଷ୍ଣକାୟଙ୍କ ଜୀବନ ଅର୍ଥପୂର୍ଣ୍ଣ’ ବା ‘ବ୍ଲାକ୍ ଲାଇଭ୍ସ ମ୍ୟାଟର୍’ ଏକ ପ୍ରତିବାଦର ସ୍ବର ଭାବେ ରହିଆସିଛି । ନ୍ୟୁୟର୍କରେ ସର୍ବାଧିକ କୋଭିଡ୍ ସଂକ୍ରମଣ ଜନିତ ମୃତ୍ୟୁ ହୋଇଛି ଏବଂ ଏଥିପାଇଁ ଜାରି କଟକଣାକୁ କିଛିଟା କୋହଳ କରାଯାଇଥିବା ସମୟରେ ହିଁ ଏହି ସଦ୍ୟତମ ପ୍ରତିବାଦ ଆନ୍ଦୋଳନ ଆୟୋଜିତ ହୋଇଥିବାରୁ ପ୍ରତିବାଦକାରୀଙ୍କ ଭିଡ଼ କାରଣରୁ ଭୂତାଣୁ ଆହୁରି ବ୍ୟାପିବାର ଆଶଙ୍କା ରହିଛି । ଏହା ସହିତ, ବେକାରଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ବୃଦ୍ଧି ଏବଂ ଅର୍ଥବ୍ୟବସ୍ଥା ନିମ୍ନମୁଖୀ ହୋଇଥିବା ସମୟରେ ଏବଂ 1930 ଦଶକର ମହା ମାନ୍ଦାବସ୍ଥା ପରବର୍ତ୍ତୀ ସମୟର ସର୍ବାଧିକ ଖରାପ ସ୍ଥିତିରେ ଆମେରିକା ଥିବାବେଳେ ଏହି ଆନ୍ଦୋଳନ ସଂଘଟିତ ହୋଇଛି ।
ଆମେରିକାରେ ପ୍ରାୟ ଦୁଇ ଦଶନ୍ଧି ଧରି ରହିଥିବା ବରିଷ୍ଠ ସାମ୍ବାଦିକ ଏବଂ ସ୍ତମ୍ଭକାର ସୀମା ସିରୋହୀଙ୍କ ମତରେ, ଏଥରର ପ୍ରତିବାଦ କିଛିଟା ଭିନ୍ନ ଏବଂ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ । ସେ କହନ୍ତି ଯେ, ଅତୀତର ବିଭିନ୍ନ ଘଟଣାରେ ପୋଲିସ ବର୍ବରତା ଯୋଗୁଁ କୃଷ୍ଣକାୟ ସଂପ୍ରଦାୟର ଲୋକେ ପ୍ରାଣ ହରାଇଥିବା ଅଭିଯୋଗର ସ୍ପଷ୍ଟ ପ୍ରମାଣ ହୁଏତ ଥିଲା କିମ୍ବା ନଥିଲା । କିନ୍ତୁ ଜର୍ଜ ଫ୍ଲୋଏଡ୍ଙ୍କ ମୃତ୍ୟୁ ଘଟଣାର ଭିଡିଓ ଦୃଶ୍ୟ ବେଶ ସ୍ପଷ୍ଟ ଏବଂ ଏହାକୁ ଦେଖିବା ଯନ୍ତ୍ରଣାଦାୟକ ହୋଇଥିବା କାରଣରୁ ଏଥର ଲୋକଙ୍କ ଆକ୍ରୋଶ ଖୁବ୍ ଅଧିକ ମାତ୍ରାରେ ପ୍ରକାଶ ପାଇଛି ।
“ଏ ପର୍ଯ୍ୟନ୍ତ ଏହା ଶାନ୍ତିପୂର୍ଣ୍ଣ ରହିଛି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଲଗାତାର ପ୍ରତିବାଦର ଏହି ଧାରା ପାଖାପାଖି ଏକାଦଶ କି ଦ୍ବାଦଶ ଦିନରେ ପହଞ୍ଚିଛି । ଆମେରିକାର ବିଭିନ୍ନ ପ୍ରମୁଖ ସହରରେ ଏହା ଦିନ ପରେ ଦିନ ଧରି ଲାଗି ରହିଛି । ଲୋକେ ଏବେ କିଛି ବାସ୍ତବଧର୍ମୀ ପରିବର୍ତ୍ତନ ପାଇଁ ଦାବି କରୁଛନ୍ତି । ଗୋଟିଏ ଦାବି ହେଲା ଯେ ପୋଲିସକୁ ପାଣ୍ଠି ଯୋଗାଣ ବନ୍ଦ ହେଉ । ଆଉ ଗୋଟିଏ ହେଉଛି ଯେ, ପୋଲିସର କାର୍ଯ୍ୟଧାରାରେ ସଂସ୍କାର ଅଣାଯାଉ । ଏଭଳି କେତେକ ସମସ୍ୟାର ସମାଧାନ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିନିଧି ସଭା ବା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ରେ ଏକ ବିଲ୍ ଆଗତ କରିବାକୁ ଡେମୋକ୍ରାଟ୍ ଦଳର ସଦସ୍ୟମାନେ ପ୍ରସ୍ତାବ ଦେଇଛନ୍ତି । ଏତେ ଦିନ ଧରି ପ୍ରତିବାଦ ଆନ୍ଦୋଳନ ଜାରି ରହିବାର ଅର୍ଥ ହେଉଛି ଯେ ଏଥର ଲୋକେ ଓହରି ଯିବାକୁ ଚାହୁଁନାହାନ୍ତି ।”
ୱାଶିଂଟନ୍ ଡିସିରୁ ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କ ସହ କଥାବାର୍ତ୍ତା ସମୟରେ ସିରୋହୀ ଆହୁରି କହିଛନ୍ତି ଯେ, “ବିଶ୍ବ ମହାମାରୀ ସମୟରେ ଏହା ଦେଖାଦେଇଛି । ବେକାରଙ୍କ ସଂଖ୍ୟା ଖୁବ୍ ବେଶୀ, 4 କୋଟି ଆମେରିକୀୟ ବେକାର । ସମାଜରେ ଯାହା ଘଟୁଛି, ତାହା ପରଖି ଦେଖିବାକୁ ଲୋକେ ବାଧ୍ୟ ହେଉଛନ୍ତି ଏବଂ ଯେଉଁ ଘଟଣା ଘଟିଲା ସେ ସଂପର୍କିତ ଭିଡିଓ ଏତେ ସ୍ପଷ୍ଟ ଯେ ଲୋକେ ଏ ବାବଦରେ ଦ୍ବିଧାଗ୍ରସ୍ତ ହେବାର ଅବକାଶ ନାହିଁ ।”
ପ୍ରତିବାଦକାରୀମାନଙ୍କର ଏକ ପ୍ରମୁଖ ଦାବି ମଧ୍ୟରୁ ଗୋଟିଏ ହେଲା ଆମେରିକା ପୋଲିସର କାର୍ଯ୍ୟଧାରାରେ ସଂସ୍କାର ଆସୁ । ପୋଲିସ ହିଂସା ଏବଂ ବଂଶଭିତ୍ତିକ ଅବିଚାର ସମସ୍ୟାର ନିରାକରଣ ସକାଶେ ପ୍ରଚଳିତ ଆଇନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପୂର୍ବକ ନୂତନ ନିୟମ ପ୍ରଣୟନ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ବିରୋଧୀ ଡେମୋକ୍ରାଟ୍ ଦଳର ସାଂସଦମାନେ ବିସ୍ତୃତ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି । ଏହି ପ୍ରସ୍ତାବରେ, ପୋଲିସ ସନ୍ଦିଗ୍ଧମାନଙ୍କର ଶ୍ବାସରୋଧ କରିବା କିମ୍ବା ବଂଶ ଭିତ୍ତିରେ ସନ୍ଦିଗ୍ଧମାନଙ୍କୁ ଚିତ୍ରଣ କରିବା ଉପରେ ନିଷେଧାଦେଶ ସମ୍ମିଳିତ ହୋଇଛି । ପୋଲିସକୁ ପାଣ୍ଠି ଯୋଗାଣ ବନ୍ଦ କରିବା ଦିଗରେ ହୋଇଥିବା ତୀବ୍ରତର ଦାବିକୁ ଗ୍ରହଣ କରିବା ପାଇଁ ଟ୍ରମ୍ପ ସ୍ପଷ୍ଟ ଭାବରେ ମନା କରିଦେଇଛନ୍ତି ।
କ୍ରମାଗତ ଭାବେ ପ୍ରତିବାଦ ଆନ୍ଦୋଳନ ଓ ବିକ୍ଷୋଭ ଜାରି ରହିବା ସହିତ ସମସ୍ତ 50ଟି ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳକୁ ମଧ୍ୟ ବ୍ୟାପିବା ଏବଂ ଏଥିରେ ବହୁବିଧ ବଂଶ ଓ ବର୍ଣ୍ଣର ଲୋକେ ସାମିଲ ନେବା ପରେ, ପରିସ୍ଥିତିର ମୁକାବିଲାରେ ଅସଫଳତା ଏବଂ ତାଙ୍କ ବିବାଦୀୟ ମନ୍ତବ୍ୟ ଯୋଗୁଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ତୀବ୍ର ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା । କେତେକ ସ୍ଥାନରେ ଲୋକଙ୍କ ଭିଡ଼ର ସୁଯୋଗ ନେଇ ଅଳ୍ପ ଛୋଟମୋଟ ଚୋରି ଓ ଲୁଟ୍ପାଟ ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ବିକ୍ଷୋଭକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ସେନା ବାହିନୀ ମୁତୟନ କରିବା ଲାଗି ଟ୍ରମ୍ପ୍ଙ୍କ ନିଷ୍ପତ୍ତିକୁ କେନ୍ଦ୍ର କରି ଜେମ୍ସ ମାଟ୍ଟିସ୍ଙ୍କ ସମେତ ବହୁ ପୂର୍ବତନ ପ୍ରତିରକ୍ଷା ସଚିବ, ପୋଲିସ ଓ ସେନା ବାହିନୀର ମୁଖ୍ୟ ପଦାଧିକାରୀମାନେ ସମାଲୋଚନା କରିଥିଲେ । ତଥାପି, ଆଗାମୀ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍ ସ୍ଥିତି ଓଲଟପାଲଟ କରି ଦେଇପାରନ୍ତି ବୋଲି ସୀମା ସିରୋହୀ ମତ ପ୍ରକାଶ କରନ୍ତି । ଏଭଳି କରିବା ପାଇଁ ଟ୍ରମ୍ପ୍ ପୂର୍ବତନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନଙ୍କ ପଦାଙ୍କ ଅନୁସରଣ କରିଛନ୍ତି ଏବଂ ଆଇନ ଓ ଶୃଙ୍ଖଳା ସ୍ଥିତିକୁ ନେଇ ଗୋଟିଚାଳନା କରିଛନ୍ତି ।
ସୀମା ସିରୋହୀ କହନ୍ତି, “ସଂପୂର୍ଣ୍ଣ ସ୍ଥିତିକୁ ନେଇ ଡୋନାଲଡ୍ ଟ୍ରମ୍ପ୍ ଯେଉଁ ଚାଲ୍ ଚଳାଇଛନ୍ତି, ତାହା ତାଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ । କାରଣ ସେ ନିଜକୁ ନିଜେ ଏବେ ଜଣେ ଆଇନ ଓ ଶୃଙ୍ଖଳା ରକ୍ଷାକାରୀ ରାଷ୍ଟ୍ରପତି ରୂପେ ଉପସ୍ଥାପନ କରିବା ଆରମ୍ଭ କରିଦେଇଛନ୍ତି । 1968ରେ ରିଚାର୍ଡ ନିକ୍ସନ ଠିକ୍ ତାହା ହିଁ କରିଥିଲେ । ରିଚାର୍ଡ ନିକ୍ସନ ବିଜୟୀ ହୋଇଥିଲେ କାରଣ, ଅଧିକାଂଶ କୃଷ୍ଣକାୟଙ୍କ ସମେତ ବହୁ ଆମେରିକୀୟ ନାଗରିକ ପୋଲିସକୁ ପାଣ୍ଠି ଯୋଗାଣ ବନ୍ଦ କରିବା ସପକ୍ଷରେ ନଥିଲେ । ବାସ୍ତବରେ ସେମାନେ ଅଧିକ, କିନ୍ତୁ ଉତ୍ତମ ପୋଲିସ ବ୍ୟବସ୍ଥା ଚାହୁଁଥିଲେ । ଆପଣ ବିନା ପୋଲିସରେ କେମିତି ରହିପାରିବେ ? ଅପରାଧୀମାନେ ଲୋକଙ୍କୁ ହତ୍ୟା କରୁଛନ୍ତି, ଚୋରି ହେଉଛି, ଡକାୟତି ହେଉଛି । ତେଣୁ ଆପଣଙ୍କର ପୋଲିସ ଦରକାର । ତେଣୁ ଉଗ୍ର ବାମପନ୍ଥୀମାନଙ୍କର ଏହା ଏକ ଉଦ୍ଭଟ ଦାବି । ଯାହା ଆବଶ୍ୟକ, ତାହା ହେଲା ପୋଲିସ କାର୍ଯ୍ୟଧାରାରେ ସଂସ୍କାର ।”
ସୀମା ସିରୋହୀଙ୍କ କହିବା ଅନୁସାରେ, ଆଜି ସାରା ବିଶ୍ବରେ ଆମେରିକା, ୟୁକେ, ଫ୍ରାନ୍ସ ଭଳି ବିଭିନ୍ନ ରାଷ୍ଟ୍ରର ରାଜଧାନୀ ନଗରୀରେ ଉତ୍ତ୍ୟକ୍ତ ପ୍ରତିବାଦର ଚିତ୍ର ଦେଖିବାକୁ ମିଳୁଛି ଏବଂ ଏହି ପ୍ରତିବାଦରେ ଅତୀତର ଔପନିବେଶବାଦ ଶାସନ ଅମଳର କ୍ରୀତଦାସ ପ୍ରଥାର ଅବତାରଣା ସହିତ ବର୍ଣ୍ଣବୈଷମ୍ୟ ଭିତ୍ତିରେ ସାଂପ୍ରଦାୟିକ ଭେଦଭାବ ପ୍ରସଙ୍ଗ ପ୍ରତି ଧ୍ୟାନ ଆକର୍ଷଣ କରାଯାଉଛି । ରବିବାର ଦିନ, ସଂଯୁକ୍ତ ଗଣରାଜ୍ୟର ବ୍ରିଷ୍ଟଲ ବନ୍ଦରରେ ସ୍ଥାପିତ 17ଶ ଶତାବ୍ଦୀର କ୍ରୀତଦାସ ବଣିକ ଏଡ୍ୱାର୍ଡ କୋଲଷ୍ଟନ୍ଙ୍କ ପ୍ରତିମୂର୍ତ୍ତିକୁ ବର୍ଣ୍ଣବୈଷମ୍ୟ ବିରୋଧୀ ବିକ୍ଷୋଭକାରୀମାନେ ଭାଙ୍ଗି ଦେଇଛନ୍ତି । ଏଭଳି ସ୍ଥିତିରେ ଆମେରିକାର ରାଜନୈତିକ ମହଲରେ ବେଶ୍ ପତିଆରା ଜମାଇ ସୁଖ୍ୟାତି ଅର୍ଜନ କରିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସଂପ୍ରଦାୟର ଦୋମୁହାଁ ନୀତିକୁ ନେଇ ଅନେକ ଭାରତୀୟ ପ୍ରଶ୍ନ ଉଠାଇଛନ୍ତି । ଆଜି ‘ବ୍ଲାକ୍ ଲାଇଭ୍ସ ମ୍ୟାଟର’ ଆନ୍ଦୋଳନକୁ ନେଇ ମୁଖର ହୋଇଉଠିଥିବା ପ୍ରିୟଙ୍କା ଚୋପ୍ରାଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନେ, ଅତୀତରେ କିଛି ମାସ ଧରି ଯେତେବେଳେ ଭାରତରେ ନାଗରିକତା ସଂଶୋଧନ ଆଇନ ପ୍ରତିବାଦରେ ଆନ୍ଦୋଳନ ଚାଲିଥିଲା ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିସରରେ ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରଛାତ୍ରୀଙ୍କୁ ପୋଲିସ ବର୍ବରତାର ଶିକାର ହେବାକୁ ପଡୁଥିବା ଅଭିଯୋଗ ହେଉଥିଲା, ସେତେବେଳେ କାହିଁକି ନିରବ ରହିଥିଲେ ବୋଲି ଉଦାରପନ୍ଥୀ ଭାରତୀୟମାନେ ପ୍ରଶ୍ନ ଉଠାଇଛନ୍ତି ।
ଭାରତରେ ଧାର୍ମିକ କିମ୍ବା ଆସ୍ଥା ଭିତ୍ତିକ ଭେଦଭାବ ବିରୋଧରେ ପ୍ରତିବାଦ ପ୍ରସଙ୍ଗରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସମାଜରେ ଚାଲିଥିବା ଆଲୋଚନା ଉପରେ ବର୍ତ୍ତମାନର ଏହି ଆନ୍ଦୋଳନର କିଭଳି ପ୍ରଭାବ ପଡ଼ି ବୋଲି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୀମା ସିରୋହୀ କହିଲେ, “ପ୍ରିୟଙ୍କା ଚୋପ୍ରା ଆଜି ‘ବ୍ଲାକ୍ ଲାଇଭ୍ସ ମ୍ୟାଟର’ ସଂପର୍କରେ ଯାହା କହୁଛନ୍ତି କେବଳ କହିବା ପାଇଁ କହୁଛନ୍ତି, କିନ୍ତୁ ଭାରତରେ ପ୍ରତିବାଦ ଆନ୍ଦୋଳନ ସଂପର୍କରେ ସେ ପୂରା ଚୁପ୍ ରହିଥିଲେ । ସାଧାରଣତଃ ସେ ଦକ୍ଷିଣପନ୍ଥୀ ବିଜେପି ସରକାରକୁ ସମର୍ଥନ କରିଆସିଛନ୍ତି । ଦିନେ ଏସବୁର ବିଚାର ହେବ । ଯୁବ ପିଢ଼ିର ଭାରତୀୟ-ଆମେରିକୀୟମାନେ ବେଶ ପ୍ରଗଳ୍ଭ, ଡେମୋକ୍ରାଟ୍ମାନଙ୍କର ବଡ଼ ସମର୍ଥକ ଏବଂ ଖୁବ୍ ବାମପନ୍ଥୀ... ଏବଂ ସେମାନେ ଯେତେବେଳେ ନିଜସ୍ବ ପନ୍ଥାକୁ ଆଦରି ନେବେ, ମୁଁ ଭାବୁଛି, ଭାରତ ସରକାରଙ୍କ ଉପରେ ଚାପ ସୃଷ୍ଟି ହେବ । ମନେ କରନ୍ତୁ ଯେ, ନଭେମ୍ବର ନିର୍ବାଚନରେ ଡେମୋକ୍ରାଟ୍ ଦଳ ବିଜୟୀ ହେଉଛି, ତେବେ ସେବେଳର କଥା ସଂପୂର୍ଣ୍ଣ ଭିନ୍ନ ହେବ ।”
ସ୍ମିତା ଶର୍ମା, ନୂଆଦିଲ୍ଲୀ