ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପ୍ରଥମ ଭାରତ ଗସ୍ତରେ ଆସି ପାରନ୍ତି ବୋଲି ସୂଚନା ମିଳିଛି । ଟ୍ରମ୍ପ ଆସନ୍ତା ମାସ ଭାରତ ଆସିବାକୁ ବିଚାର କରୁଥିବା ଜଣା ପଡିଛି । ଗତବର୍ଷ ଗଣତନ୍ତ୍ର ଦିବସରେ ଆସିବାକୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭାରତ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ଟ୍ରମ୍ପ ନିଜର କାର୍ଯ୍ୟବ୍ୟସ୍ତତା ଯୋଗୁଁ ଆସିପାରିବେ ନାହିଁ ବୋଲି କହିଥିଲେ ।
ଟ୍ରମ୍ପଙ୍କ ଗସ୍ତ ନେଇ ଦୁଇ ଦେଶେ ଏହାର ରୂପରେଖ ପ୍ରସ୍ତୁତରେ ଲାଗିଥିବା ଜଣାପଡିଛି । ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଦୁଇ ଦେଶ ପକ୍ଷରୁ ସୁବିଧାଜନକ ତାରିଖ ସ୍ଥିର ହେବା ଯୋଜନା ଚାଲିଛି । ଦୀର୍ଘ ଦିନରୁ ଅଟକି ରହିଥିବା ଦ୍ବିପାକ୍ଷିକ ବାଣିଜ୍ୟ ଡିଲ ସହ ସିଭିଲ ଏଭିଏସନ ଉପରେ ଏକ ଚୁକ୍ତି ପତ୍ର ସ୍ବାକ୍ଷରିତ ହେବା ନେଇ ମଧ୍ୟ ସୂଚନା ମିଳୁଛି । ଗତ ବର୍ଷ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତ ସମୟରେ ମୋଦି ଟ୍ରମ୍ପଙ୍କୁ ଭେଟି ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ । ଶେଷଥର ପାଇଁ ଆମେରିକା ରାଷ୍ଟ୍ରପତି ବାରାକ ଓବାମା 2015ରେ ଭାରତ ଗସ୍ତରେ ଆସିଥିଲେ । ସେ ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ଭାରତର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।