ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣିଥରେ ଟ୍ରକ ଏବଂ ଟ୍ରକ ଚାଳକଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଟ୍ରକ ଚାଳକଙ୍କୁ ହତ୍ୟା କରିବା ଉଦ୍ୟମରେ ଟ୍ରକ ଜାଳିଦେଇଛନ୍ତି ସେମାନେ । କିନ୍ତୁ ସୌଭାଗ୍ୟ ବଶତଃ ଟ୍ରକ ଚାଳକ କିମ୍ବା ତାଙ୍କ ସହଯୋଗୀଙ୍କୁ କୌଣସି ପ୍ରକାର କ୍ଷତି ପହଞ୍ଚିନାହିଁ ।
ସୂଚନା ମୁତାବକ, ଶନିବାର ମଧ୍ୟ ରାତ୍ରୀରେ କିଛି ଆତଙ୍କବାଦୀ ତ୍ରାଲର ଅମିରାବାଦ ଗ୍ରାମରେ ଏକ ଟ୍ରକକୁ ଜାଳି ଦେଇଥିଲେ । ତେବେ ଉକ୍ତ ଟ୍ରକରେ ଚାଳକ କିମ୍ବା ତାଙ୍କ ସହଯୋଗୀ ନଥିବାରୁ ସେମାନେ ଘଟଣାରୁ ବର୍ତ୍ତି ଯାଇଥିଲେ । ସେପଟେ ଘଟଣା ସମ୍ପର୍କରେ ଅବଗତ ହେବାପରେ ପୋଲିସ ଏବଂ ସୁରକ୍ଷାକର୍ମୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । କିନ୍ତୁ ଏବେ ସୁଦ୍ଧା ଆତଙ୍କବାଦୀଙ୍କ ସମ୍ପର୍କରେ ବିଶେଷ କିଛି ତଥ୍ୟ ଜଣାପଡିନାହିଁ ।