ରାୟପୁର: ଛତିଶଗଡ଼ର ନାରାୟଣପୁର କହିଲେ ସମସ୍ତଙ୍କ ମନରେ ଆସେ ମାଓ ଇଲାକା ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ ଅଧିକାଂଶ ପାଠ ମଧ୍ୟ ପଢିନଥାନ୍ତି ମାଓବାଦୀଙ୍କ ଭୟରେ। ସବୁଥିରେ ପଛୁଆ ମାଓପ୍ରବାଣ ଅଞ୍ଚଳ। କିନ୍ତୁ ଏସବୁକୁ ଭୁଲ ପ୍ରମାଣ କରି ଦେଖାଇଛନ୍ତି 23 ବର୍ଷୀୟ ଆଦିବାସୀ ଯୁବତୀ କୀର୍ତ୍ତା ଦୋର୍ପା । ମାଓଙ୍କ ଗଡ଼ କହିଲେ ଅବୁଝମାର ଘଞ୍ଚ ଜଙ୍ଗଲକୁ ବୁଝାଏ। ଏହି ଅଞ୍ଚଳରେ କୀର୍ତ୍ତୀ ନିଜର ଏକ ଔଷଧ ଦୋକାନ ଖୋଲି ସାଉଁଟିଛନ୍ତି ଅସୁମାରୀ ପ୍ରଶଂସା।
ମୁରିଆ ଆଦିବାସୀ ସମ୍ପ୍ରଦାୟର କୀର୍ତ୍ତା ଦୋର୍ପା ନାରାୟଣପୁର ଜିଲ୍ଲାର ଓର୍ଚା ଗ୍ରାମରେ ସାହସ ପୂର୍ବକ ଏକ ଔଷଧ ଦୋକାନ ଖୋଲିଛନ୍ତି। ଯାହାକି ଏହି ଅଞ୍ଚଳ ପାଇଁ ନିତ୍ୟନ୍ତ ଆବଶ୍ୟକ ଥିଲା। ପାଖାପାଖି 3,900 ବର୍ଗ କିମି ବିଶିଷ୍ଟ ଅବୁଝମାର ଘଞ୍ଚ ଜଙ୍ଗଲ। ଏହି ଅଞ୍ଚଳରେ ସରକାରଙ୍କ କୌଣସି ଯୋଜନା କିମ୍ବା ସୁବିଧା ପହଞ୍ଚି ପାରୁନାହିଁ । ସ୍ଥାନୀୟ ବାସିନ୍ଦାଙ୍କୁ ସାମାନ୍ୟ ଔଷଧ କିଣିବାକୁ ହେଲେ ସେମାନେ ଗାଁଠାରୁ ପ୍ରାୟ 70 କିମି ଦୂର ନାରାୟଣପୁର ଜିଲ୍ଲାକୁ ଯାଆନ୍ତି ।
କୀର୍ତ୍ତାଙ୍କର ଏହି ଔଷଧ ଦୋକାନଟି ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ନିକଟରେ ଅର୍ଥାତ ଉକ୍ତ ଘଞ୍ଚ ଜଙ୍ଗଲର ମଧ୍ୟଭାଗରେ ରହିଛି । ତେବେ ଏହି ଅଞ୍ଚଳରେ ପୂର୍ବରୁ ଏକ ଛୋଟିଆ ଔଷଧ ଦୋକାନ ଖୋଲାଯାଇଥିଲା ଯାହାକି କିଛି ମାସ ପୂର୍ବେ ବନ୍ଦ ହୋଇଗଲା। ଏହା ପୁଣିଥରେ ଖୋଲାଯିବାର କୌଣସି ସଂକେତ ନଥିଲା । ଏଭଳି ପରିସ୍ଥିତି ଦେଖି କୀର୍ତ୍ତା ପ୍ରଥମେ ବିଚାର କଲେ ଏବଂ ଔଷଧ ଦୋକାନ ଖୋଲିବା ନେଇ ଗାଁ ଲୋକଙ୍କୁ ପଚାରି ବୁଝିଥିଲେ। ତେବେ ଗାଁ ଲୋକଙ୍କ ସହମତିରେ କୀର୍ତ୍ତା ଏହି ଦୋକାନଟି ଖୋଲିପାରିଛନ୍ତି ।
କୀର୍ତ୍ତା ଓର୍ଚା ସ୍କୁଲରେ ପାଠ ପଢିଛନ୍ତି। କୀର୍ତ୍ତାଙ୍କ କହିବା କଥା ହେଲା ମାଓ ଗଡରେ ଏଭଳି ଘଞ୍ଚ ଜଙ୍ଗଲରେ ଔଷଧ ଦୋକାନ ଖୋଲିବା ସହଜ ନଥିଲା । କିନ୍ତୁ ଗାଁ ଲୋକଙ୍କ ଅସୁବିଧାକୁ ଦେଖି ସେ ଏଭଳି ପଦକ୍ଷେପ ନେଇଛନ୍ତି । ସେ ଏଠାରେ ଦୋକାନ ଖୋଲି ବହୁତ ଖୁସି ଅଛନ୍ତି । କୀର୍ତ୍ତା ପୁଣି କହିଛନ୍ତି, ଏଠାରେ ଔଷଧ ଦୋକାନ ଖୋଲିବା ଦ୍ବାରା ଗାଁ ଲୋକଙ୍କର ସମୟ ବଞ୍ଚିଯିବ। ଟଙ୍କା ମଧ୍ୟ କମ୍ ଖର୍ଚ୍ଚ ହେବା ସହ ଜୀବନ ମଧ୍ୟ ବଞ୍ଚିଯିବ । ଏହାସହ ଓର୍ଚା ବିଭାଗରେ ଥିବା ଡାକ୍ତରଖାନାରୁ ଏହି ଔଷଧ ଦୋକାନରେ ମାଗଣାରେ ଔଷଧ ଦିଆଯିବ। ଫଳରେ କୀର୍ତ୍ତା ଗାଁ ଲୋକଙ୍କୁ ସ୍ବାସ୍ଥ୍ୟ ସମ୍ପର୍କରେ ସମସ୍ତ ପ୍ରକାର ସୁବିଧା ଯୋଗେଇ ପାରିବେ ।