ଲକ୍ଷ୍ନୌ: ଉତ୍ତରପ୍ରଦେଶର ଜେୱର ବିମାନବନ୍ଦର ନିକଟରେ ଖୋଲିବ ଟ୍ରମା ସେଣ୍ଟର । ନୋଏଡା-ଅଲିଗଡ-ବୁଲନ୍ଦସହରବାସୀ ହେବେ ଉପକୃତ । ଉତ୍ତରପ୍ରଦେଶର ଜେୱରର ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଯାଉଥିବା ଯମୁନା ଏକ୍ସପ୍ରେସୱେରେ ସଡକ ଦୁର୍ଘଟଣା ବୃଦ୍ଧି ହେତୁ ଏହାକୁ 'ଡେଥ ୱେ' ବୋଲି କୁହାଯାଏ। ଏଥି ସହିତ ପେରିଫେରାଲ ଏକ୍ସପ୍ରେସୱେ ଏବଂ ଜାତୀୟ ରାଜପଥରେ କୌଣସି ଦୁର୍ଘଟଣା ହେଲେ ଆହତମାନଙ୍କୁ ଦିଲ୍ଲୀର AIIMS ଟ୍ରମା କେନ୍ଦ୍ରକୁ ନିଆଯାଏ, ଯାହାକି ବହୁତ ଦୂର । କାରଣ, ଯମୁନା ଏକ୍ସପ୍ରେସୱେ ଅଞ୍ଚଳରେ କୌଣସି ବଡ ସୁପର ସ୍ପେସିଆଲିଟି ହସ୍ପିଟାଲ କିମ୍ବା ଟ୍ରମା ସେଣ୍ଟର ନାହିଁ ।
ଜେୱର ବିଧାୟକ ଧୀରେନ୍ଦ୍ର ସିଂ କହିଛନ୍ତି ଯେ, ଜେୱର ବିମାନବନ୍ଦର ଆରମ୍ଭ ହେବା ସହିତ ଲୋକଙ୍କ ବ୍ୟବସାୟ ବୃଦ୍ଧି ପାଇବ, କିନ୍ତୁ ଏହି ସ୍ଥାନରେ ଅଧିକାଂଶ ଦୁର୍ଘଟଣା ହେତୁ ଅନେକ ଆହତ ବ୍ୟକ୍ତିଙ୍କୁ ଦିଲ୍ଲୀ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥାଏ । ତେବେ ଏଭଳି ପରିସ୍ଥିତିରେ ବିମାନବନ୍ଦର ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋହନ ପ୍ରସାଦଙ୍କୁ ଏକ ଟ୍ରମା କେନ୍ଦ୍ର କରିବାକୁ ପ୍ରସ୍ତାବ ଦେଇଛନ୍ତି ଧୀରେନ୍ଦ୍ର । ସରକାର ଏଥିପାଇଁ ନୀତିଗତ ଅନୁମୋଦନ ଦେଇଛନ୍ତି ଏବଂ ଏହି ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ସେ କହିଛନ୍ତି । ଆଉ ଏହି ପ୍ରକଳ୍ପର କାର୍ଯ୍ୟକାରୀ ହେଲେ ଗୌତମବୁଦ୍ଧ ନଗର, ଆଲିଗଡ ଏବଂ ବୁଲଣ୍ଡସହରର ଲୋକମାନେ ବିଶେଷ ଭାବରେ ଉପକୃତ ହେବେ ।
ଯମୁନା ପାର୍ଶ୍ୱରେ ଥିବା ହରିୟାଣାର ଲୋକମାନେ ମଧ୍ୟ ଚିକିତ୍ସା ପାଇଁ ଏଠାକୁ ଆସିପାରିବେ । ଯମୁନା ଏକ୍ସପ୍ରେସୱେ୍ର ଶିଳ୍ପ ବିକାଶ କର୍ତ୍ତୁପକ୍ଷ ଏଥିପାଇଁ ଜମି ଦେବ । ଆଗ୍ରା ସହିତ NCR କୁ ସଂଯୋଗ କରୁଥିବା ଯମୁନା ଏକ୍ସପ୍ରେସୱେକୁ ଏକ୍ସପ୍ରେସୱେ ଅଫ୍ ଡେଥ୍ କୁହାଯାଏ । ସାତ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ମୃତ୍ୟୁର କ୍ରମ ଜାରି ରହିଛି । ତଥ୍ୟ ଅନୁଯାୟୀ, ଅଗଷ୍ଟ 2012 ରୁ ମାର୍ଚ୍ଚ 2019 ପର୍ଯ୍ୟନ୍ତ 5639 ଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାୟ 940 ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ 4550 ଲୋକ ଆହତ ହୋଇଛନ୍ତି।