ନୂଆଦିଲ୍ଲୀ: ଭାରତ ସେନାରେ ପାରଦର୍ଶିତା ଦେଖାଇବେ ନାରୀଶକ୍ତି। ପ୍ରଥମ ଥର ଲାଗି ମିଲିଟାରୀ ପୋଲିସରେ 100 ଜଣ ମହିଳା ଆରମ୍ଭ ହୋଇଛି ପ୍ରଶିକ୍ଷଣ । ଗତ ଜାନୁଆରୀ 6ରୁ ଏମାନଙ୍କ ପ୍ରଶିକ୍ଷଣ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି ସେନାମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ ।
ଶନିବାର ସେନା ମୁଖ୍ୟ ନରୱାଣେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ଏହି ସମ୍ମିଳନୀରେ ଆର୍ମି ଦିବସରେ ମହିଳାଙ୍କୁ କେତେ ଗୁରୁତ୍ବ ଦିଆଯିବା ସେନେଇ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ସେନା ମୁଖ୍ୟ କହିଥିଲେ ପ୍ରଥମ ବ୍ଯାଚରେ 100 ଜଣ ମହିଳାଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ ହୋଇଯାଇଛି ।
ବର୍ତ୍ତମାନ ମହିଳାଙ୍କୁ ସେନାର ମେଡିକାଲ, ଆଇନଗତ, ଶିକ୍ଷା, ସିଗନାଲ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ନିଯୁକ୍ତ କରାଯାଇଛି । ମିଲିଟାରୀ ପୋଲିସ ଭୂମିକା ପୋଲିସ ଛାଉଣୀ, ସେନା ପ୍ରତିଷ୍ଠା, ସୈନିକଙ୍କ ଦ୍ବାରା ନିୟମ ଓ ବିନିୟମର ଉଲ୍ଲଙ୍ଘନକୁ ରୋକିବା, ସୈନିକ ଗତିବିଦ୍ଧି ଉପରେ ନଜର ରଖିବା ସହ ଶାନ୍ତି ଓ ଯୁଦ୍ଧ ସମୟରେ ନଜର ରଖିଥାନ୍ତି । ଏଥିସହ ଆବଶ୍ୟକ ପଡିଲେ ସିଭିଲ ପୋଲିସଙ୍କୁ ମଧ୍ୟ ସହାୟତା ପ୍ରଦାନ କରିଥାନ୍ତି ।
ଇତିହାସରେ ପ୍ରଥମ ଥର, 2017ରେ ପୂର୍ବତନ ସେନା ମୁଖ୍ୟ ବିପିନ ରାୱତ ମହିଳାଙ୍କୁ ମିଲିଟାରୀ ପୋଲିସ ଫୋର୍ସରେ ନିଯୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହାସହ ଖୁବଶୀଘ୍ର ଭାରତୀୟ ସେନା ବଳର ଶକ୍ତି ବଢାଇବେ ମହିଳା । ଏନେଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି ।