ଇସଲାମାବାଦ: ପାକିସ୍ତାନର ସିନ୍ଧ ରାଜ୍ୟରେ ଶୁକ୍ରବାର ମଧ୍ୟରାତ୍ରିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରୋହରୀ ରେଳ ଷ୍ଟେସନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍ ଏବଂ ବସ୍ ମଧ୍ୟରେ ଧକ୍କା ହେବା ଫଳରେ ଅତି କମରେ 30 ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାରେ 60 ଜଣ ଆହତ ହୋଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ, କରାଚୀରୁ ସରଗୋଧା ଅଭିମୁଖେ ଯାଉଥିବା ବସ୍ଟି ରେଲୱେ ଫାଟକକୁ ଅତିକ୍ରମ କରୁଥିଲା । ଏହି ସମୟରେ କରାଚିଠାରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିବା ପାକିସ୍ତାନ ଏକ୍ସପ୍ରେସ ଟ୍ରେନ ବସ୍ ଉପରେ ମାଡ଼ିଯାଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବସ୍ ତିନି ଭାଗରେ ବିଭକ୍ତ ହୋଇଯାଇଥିଲା । ଟ୍ରେନଟି ବସ୍କୁ ପାଖାପାଖି 150 ରୁ 200 ଫୁଟ ଘୋଷାଡି ନେଇଥିଲା ।
ଦୁର୍ଘଟଣାରେ ଅତିକମରେ30 ଜଣଙ୍କ ମୃତ୍ୟୁ ଘଟିଥିବା ସୁକ୍କୁର କମିଶନର ଶଫିକ ଅହମଦ ମହେସନ ସ୍ପଷ୍ଟ କରିଛନ୍ତି । ଏହା ବ୍ୟତୀତ 60 ଜଣ ଆହତଙ୍କୁ ସୁକ୍କୁରସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।