ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ଅତିଥି ସତ୍କାର ପାଇଁ ଭାରତ ପ୍ରସ୍ତୁତ ହେଉଛି । ଦୁଇଦିନିଆ ଭାରତ ଗସ୍ତରେ ଆସି ଫେବୃଆରୀ 14ରେ ଡୋନାଲ୍ଡ ଟ୍ରମ୍ପ ଭାରତରେ ପହଞ୍ଚିବେ। ଏହି ଗସ୍ତ ସହିତ ଆଗକୁ ଦୁଇ ଦେଶ ମଧ୍ୟରେ ସାମରିକ ସମ୍ପର୍କ ଶକ୍ତିଶାଳୀ ହେବ । ବାଣିଜ୍ୟ, ପ୍ରତିରକ୍ଷା ଏବଂ ମହାକାଶ ସମେତ ଅନେକ କ୍ଷେତ୍ରରେ କେତେକ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ରାଜିନାମା ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି । ଏହି ଗସ୍ତ ପରିପ୍ରେକ୍ଷୀରେ, ଦେଶର ବିଭିନ୍ନ ମହଲରେ ଅନେକ ପ୍ରସଙ୍ଗରେ ଆଲୋଚନା ହେଉଛି ।
ଦୁଇ ଦେଶ ମଧ୍ୟରେ ସମ୍ଭାବ୍ୟ ବାଣିଜ୍ୟ ଚୁକ୍ତି ଉପରେ ସମସ୍ତଙ୍କ ନଜର ରହିଛି । ଏହି ଗସ୍ତ ଅବସରରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଟ୍ରମ୍ପ କହିଥିଲେ ଯେ ଉପଯୁକ୍ତମନେ ହେଲେ ଆଗାମୀ ଗସ୍ତ ସମୟରେ ଭାରତ ସହ ଏକ ବାଣିଜ୍ୟ ଚୁକ୍ତି ସମ୍ଭବ । ଏ ସଂପର୍କରେ ଦୁଇ ଦେଶ ମଧ୍ୟରେ ବିସ୍ତୃତ ଆଲୋଚନା ଚାଲିଛି । ଇସ୍ପାତ ଓ ଆଲୁମିନିୟମ ଉତ୍ପାଦକୁ ଉଚ୍ଚ ଆମଦାନୀ ଶୁଳ୍କ ତାଲିକାରୁ ବାଦ୍ ଦେବା ଏବଂ ସାଧାରଣ ପ୍ରାଥମିକତା ପ୍ରଣାଳୀ (ଜିଏସ୍ପି) ଜରିଆରେ ପ୍ରାଥମିକ ଶୁଳ୍କ ପଦ୍ଧତି ଲାଗୁ କରିବାକୁ ଭାରତ ଦାବି କରୁଛି । କୃଷିଜାତ, ଅଟୋମୋବାଇଲ ଏବଂ ଇଞ୍ଜିନିୟରିଂ ଉତ୍ପାଦ କ୍ଷେତ୍ରରେ ବିପଣନ ଅଂଶ ବୃଦ୍ଧି ଲାଗି ଭାରତ ଅଡ଼ି ବସିଛି। ଅନ୍ୟପକ୍ଷରେ ଆମେରିକା ବି ସେମାନଙ୍କର ଦୁଗ୍ଧଜାତ ଦ୍ରବ୍ୟ ଏବଂ ଡାକ୍ତରୀ ଉପକରଣରେ ବିପଣନ ଅଂଶ ବୃଦ୍ଧି ସହିତ ତଥ୍ୟ ଓ ଯୋଗାଯୋଗ ଜ୍ଞାନକୌଶଳ (ଆଇସିଟି) ଉତ୍ପାଦ ଉପରୁ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ଦାବି କରୁଛି ।
ନିକଟରେ ଭାରତ ସରକାରଙ୍କୁ ଏକ ସମନ୍ବିତ ବାୟୁ ପ୍ରତିରକ୍ଷା ଅସ୍ତ୍ର ପଦ୍ଧତି (ଆଇଏଡିଡବ୍ଲୁଏସ୍)ର ସମ୍ଭାବ୍ୟ ବିକ୍ରି ପ୍ରସ୍ତାବକୁ ଯୁକ୍ତରାଷ୍ଟ୍ର ଆମେରିକାର ପରରାଷ୍ଟ୍ର ବିଭାଗ ଅନୁମୋଦନ କରିଥିଲା । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଆମେରିକା ଭାରତ ସହ 186 କୋଟି ଆମେରିକୀୟ ଡଲାର ଚୁକ୍ତିରେ ସ୍ବାକ୍ଷର କରିବା ଆଶା ରହିଛି । ଆମେରିକୀୟ କମ୍ପାନୀ ଲକ୍ହିଡ୍ ମାର୍ଟିନ୍ ନିକଟରୁ 24 ଟି ବହୁମୁଖୀ ଏମ୍ଏଚ୍ 60 ରୋମିଓ ସିହକ୍ ହେଲିକପ୍ଟର କିଣିବାକୁ ଚୂଡ଼ାନ୍ତ ଚୁକ୍ତି ସଂପାଦିତ ହୋଇପାରେ । ଏହି ଚୁକ୍ତି 260 କୋଟି ଆମେରିକୀୟ ଡଲାର ମୂଲ୍ୟର ହେବ ବୋଲି ଆକଳନ କରାଯାଇଛି । ଭାରତୀୟ ବାୟୁ ସେନାକୁ ଏଫ୍-15 ଇଏକ୍ସ ଇଗଲ୍ ବିମାନ ବିକ୍ରି କରିବା ଲାଗି ଆମେରିକାର ଅନ୍ୟତମ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ବୋଇଂ ଯୋଜନା କରିଛି । ଏଥିପାଇଁ ରପ୍ତାନୀ ଅନୁମତି ମଞ୍ଜୁର କରିବାକୁ ନିକଟରେ ବୋଇଂ ବିଭିନ୍ନ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲା । ଟ୍ରମ୍ପଙ୍କ ଗସ୍ତ ସମୟରେ ଏହି ଚୁକ୍ତି ସଂପର୍କରେ ବି ଆଲୋଚନା ହୋଇପାରେ ।
ଜାମ୍ମୁ ଓ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରି ଆସୁଥିବା ଧାରା 370 ଉଚ୍ଛେଦକୁ ଆମେରିକା କଂଗ୍ରେସର କେତେକ ସଦସ୍ୟ ବିରୋଧ କରିଥିଲେ । ଏ କ୍ଷେତ୍ରରେ ପାକିସ୍ତାନର ଆଭିମୁଖ୍ୟକୁ ସେମାନେ ସମର୍ଥନ କରିଥିଲେ । ଆଗାମୀ ଗସ୍ତ ଜରିଆରେ ଭାରତର ନିଷ୍ପତ୍ତିକୁ ସେ ସମର୍ଥନ କରୁଥିବା କଥାକୁ ଟ୍ରମ୍ପ ସ୍ପଷ୍ଟ କରିଦେଇଛନ୍ତି ବୋଲି ରାଜନୈତିକ ବିଶ୍ଲେଷକମାନେ କହନ୍ତି । କାଶ୍ମୀର ବିବାଦ ସଂପର୍କରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ସେ ପ୍ରସ୍ତୁତ ବୋଲି ଟ୍ରମ୍ପ ପୂର୍ବରୁ ଘୋଷଣା କରିଥିଲେ । ଏହା ଏକ ଦ୍ବିପାକ୍ଷିକ ପ୍ରସଙ୍ଗ ବୋଲି ଭାରତ ସ୍ପଷ୍ଟ କରିଦେବା ପରେ ସେ ଏଥିରେ ହସ୍ତକ୍ଷେପ କରି ନଥିଲେ । 2020 ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସିଲାଣି । ଏଥର ବି ଟ୍ରମ୍ପ୍ ରାଷ୍ଟ୍ରପତି ପଦ ପାଇଁ ଦୌଡ଼ରେ ଅଛନ୍ତି । ବିଶ୍ଲେଷକମାନେ ମନେ କରନ୍ତି ଯେ ଏହି ଗସ୍ତ ଦ୍ବାରା ଭାରତୀୟ-ଆମେରିକୀୟ ମାନଙ୍କର ଭୋଟ ହାସଲ କରିବାକୁ ଟ୍ରମ୍ପ ଉଦ୍ୟମ କରୁଛନ୍ତି । ଏହି ଗସ୍ତ ଅବସରରେ ଏସିଆର ରାଜନୀତି ସଂପର୍କରେ ଆଲୋଚନା ସମ୍ଭାବନା ଉପୁଜିପାରେ ।