ହାଇଦ୍ରାବାଦ: ନା ଅଛି ଚକୋଲେଟ, କେକ ନା ଫ୍ରେଣ୍ଡସିପ ବ୍ୟାଣ୍ଡ । ଆଉ ନା ଅଛି ବଡ ବଡ ପାର୍ଟି କିମ୍ବା ମଲରେ ସାଙ୍ଗସାଥୀଙ୍କ ଭିଡ । କୋଭିଡ ସ୍ଥିତିରେ ଫିକା ପଡିଛି ବନ୍ଧୁତ୍ବ ଦିବସ । ହେଲେ, ତଥାପି ଘରେ ରହି ଫୋନ ମାଧ୍ୟମରେ ଓ୍ବିସ କରିବାକୁ ଭୁଲିନାହାନ୍ତି ସାଙ୍ଗମାନେ । ଆଜି ଅନ୍ତର୍ଜାତୀୟ ବନ୍ଧୁତ୍ବ ଦିବସରେ ଉଭୟ ଉଭୟଙ୍କୁ ଦେଇ ଚାଲିଛନ୍ତି ବନ୍ଧୁତ୍ବ ଦିବସର ବାର୍ତ୍ତା । ଏହାସହ କୋରୋନା କାଳରେ ସଜାଗ ସହ ସାହାସର ମଧ୍ୟ ଧାଗା ପିନ୍ଧାଉଛନ୍ତି ପରସ୍ପରକୁ ।
ତେବେ ବିଶ୍ବବାସୀ ବନ୍ଧୁତା ଏବଂ ବନ୍ଧୁମାନଙ୍କ ମଧ୍ୟରେ ଥିବା ସମ୍ପର୍କର ମହତ୍ତ୍ବକୁ ନେଇ ଏହି ଦିନ ପାଳନ କରିଥାନ୍ତି । ସାଧାରଣତଃ ଗ୍ରିଟିଙ୍ଗ କାର୍ଡ ଏବଂ ସାଙ୍ଗମାନଙ୍କ ସହିତ ପାର୍ଟି କରି ଏହି ଦିବସ ପାଳନ କରାଯାଏ । ହେଲେ ଚଳିତବର୍ଷ ମହାମାରୀ କୋରୋନା ଭାଇରସ କାରଣରୁ ଏହା ସାଧାରଣତଃ ଆଡମ୍ବର ସହକାରେ ପାଳନ କରିନପାରି, ଲୋକେ ନିଜ ଘରେ ରହି ସୁରକ୍ଷାର ସହ ଏହାକୁ ପାଳନ କରୁଛନ୍ତି ।
2011ରେ, ମିଳିତ ଜାତିସଂଘର ସାଧାରଣ ସଭା ବନ୍ଧୁ ରୂପରେ ମାନବ ଏକତାକୁ ପ୍ରୋତ୍ସାହିତ କରିବା ପାଇଁ ଜୁଲାଇ 30କୁ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ଭାବରେ ମନୋନୀତ କରିଥିଲା । ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପଛରେ ଜାତିସଂଘର ଧାରଣା ଥିଲା ଶାନ୍ତି ପ୍ରୟାସକୁ ପ୍ରେରଣା ଦେବା ଏବଂ ସମ୍ପ୍ରଦାୟ ମଧ୍ୟରେ ଏକ ଅତୁଟ ସେତୁ ନିର୍ମାଣ କରିବା ।
ଆନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସରେ ମିଳିତ ଜାତିସଂଘ ସମଗ୍ର ବିଶ୍ୱରେ ସରକାର ଏବଂ ସଂଗଠନଗୁଡ଼ିକୁ ଇଭେଣ୍ଟ ଏବଂ କାର୍ଯ୍ୟକଳାପ ଆୟୋଜନ କରିବାକୁ ପ୍ରୋତ୍ସାହିତ କରେ ଯାହା ସଭ୍ୟତା, ଏକତା, ପାରସ୍ପରିକ ବୁଝାମଣା ଏବଂ ସାମଞ୍ଜସ୍ୟ ମଧ୍ୟରେ କଥାବାର୍ତ୍ତାକୁ ଆଗକୁ ନେଇଥାଏ ।