ନୂଆଦିଲ୍ଲୀ: ଦିନେ ସଂସଦ ସାମ୍ନାରେ ଜିନ୍ସ ପ୍ୟାଣ୍ଟରେ ପୋଜ ଦେଇ ଫଟୋ ଉଠାଇବା ଯୋଗୁଁ ଟ୍ରୋଲ ହୋଇଥିଲେ ତୃଣମୂଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀ ଏବଂ ନୁସରତ ଜାହାନ । ଆଉ ଆଜି ଶପଥ ନେବା ସମୟରେ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ସେମାନେ । ନୁସରତ ଜାହାନ ଓ ମିମି ଚକ୍ରବର୍ତ୍ତୀ ଆଜି ଲୋକସଭାରେ ସାଂସଦ ଭାବେ ଶପଥ ନେଇଛନ୍ତି। ଅଭିନେତ୍ରୀରୁ ସାଂସଦ ହୋଇଥିବା ଏହି ଦୁଇ ଷ୍ଟାର ଶପଥ ନେବାପରେ ବାଚସ୍ପତି ଓମ ବିର୍ଲାଙ୍କ ପାଖକୁ ଯାଇ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।
ସଂସଦୀୟ ଅଧିବେଶନରେ ନୁସରତ ଜାହାନ ପାରମ୍ପରିକ ବେଶଭୂଷାରେ ନଜର ଆସିଥିଲେ । ନୂଆକରି ବିବାହ କରିଥିବା ନୁସରତ ମଥାରେ ସିନ୍ଦୁର ଏବଂ ହାତରେ ଚୁଡା ସହ ଶାଢ଼ୀରେ ନଜର ଆସିଥିଲେ । ସେପଟେ ମିମି ଚକ୍ରବର୍ତ୍ତୀ ମଧ୍ୟ ଏକ ସାଲୱାର ସୁଟରେ ନଜର ଆସିଥିଲେ । ଦୁହେଁ ବଙ୍ଗଳା ଭାଷାରେ ଶପଥ ନେଇଥିଲେ । ତେବେ ଶପଥ ପାଠ ପରେ ଉଭୟ ବନ୍ଦେ ମାତାରମ, ଜୟ ହିନ୍ଦ ଏବଂ ଜୟ ବଙ୍ଗଳାର ନାରା ଦେଇଥିଲେ।
ସୂଚନା ଯୋଗ୍ୟ ଯେ, ସମସ୍ତ ନବନିର୍ବାଚିତ ସାଂସଦମାନେ ଶପଥ ନେଇସାରିଛନ୍ତି । କିନ୍ତୁ ନୁସରତ ନିଜର ବିବାହ ପାଇଁ ତୁର୍କୀ ଯାଇଥିବାରୁ ଶପଥ ନେଇପାରି ନଥିଲେ। ସେହିପରି ତାଙ୍କ ପ୍ରିୟ ବାନ୍ଧବୀ ମିମି ବିବାହରେ ଯୋଗ ଦେବାପାଇଁ ତାଙ୍କ ସହ ତୁର୍କୀ ଯାଇଥିବାରୁ ସେ ମଧ୍ୟ ଶପଥ ନେଇପାରି ନଥିଲେ ।