ନୂଆଦିଲ୍ଲୀ: ପିଏମ କେୟାର ଫଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ କଂଗ୍ରେସକୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି। କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ପିଏମ କେୟାର ଫଣ୍ଡ ବିଷୟରେ ସବିଶେଷ ତଥ୍ୟ ରଖିଛନ୍ତି । ମହାମାରୀ କୋରୋନା ବିରୋଧରେ ଜାରି ଯୁଦ୍ଧରେ ଏହି ପାଣ୍ଠି ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି। ରାଜୀବ ଗାନ୍ଧୀ ଫାଉଣ୍ଡେସନ ଉପରେ ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଏହା ଏକ ପାରିବାରିକ ଫାଉଣ୍ଡେସନ ଏବଂ ଚୀନ ଠାରୁ ଏହି ଫାଉଣ୍ଡେସନକୁ ଫଣ୍ଡିଂ ହେଉଥିଲା ।
ରବି ଶଙ୍କର ପ୍ରସାଦ କହିଛନ୍ତି, ଆଜି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିଛି ଯେଉଁଥିରେ ପିଏମ କେୟାର ଫଣ୍ଡକୁ ଏନଡିଆରଏଫକୁ ହସ୍ତାନ୍ତର ପାଇଁ ଆବେଦନ କରାଯାଇଥିଲା। ଦୀର୍ଘ ଦିନର ବିତର୍କ ପରେ ଆଜି କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି ଏବଂ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି।
ପିଏମ କେୟାର ପାଣ୍ଠିରୁ 50 ହଜାର ଭେଣ୍ଟିଲେଟର କିଣାଯାଇଛି
ରବି ଶଙ୍କର ପ୍ରସାଦ କହିଛନ୍ତି, କୋରୋନା ବିରୋଧରେ ଲଢେଇରେ ଏପର୍ଯ୍ୟନ୍ତ ପିଏମ କେୟାର ପାଣ୍ଠିରୁ 3100 କୋଟି ଟଙ୍କା ଦିଆଯାଇଛି । ସେଥିମଧ୍ୟରୁ ଭେଣ୍ଟିଲେଟର ପାଇଁ 2000 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଟଙ୍କାରେ 50 ହଜାର ଭେଣ୍ଟିଲେଟର କିଣାଯାଇଛି |
ବିଜେପି ନେତା ଆହୁରି କହିଛନ୍ତି, ପ୍ରବାସୀ ଶ୍ରମିକଙ୍କ ଥଇଥାନ ପାଇଁ ରାଜ୍ୟମାନଙ୍କୁ ପିଏମ କେୟାର ଫଣ୍ଡରୁ 1000 କୋଟି ଟଙ୍କା ଦିଆଯାଇଥିଲା। କୋରୋନା ଟିକା ଅନୁସନ୍ଧାନ ପାଇଁ 100 କୋଟି ଟଙ୍କା ଦିଆଯାଇଛି। ଏପର୍ଯ୍ୟନ୍ତ କୌଣସି ସତ୍ୟପାଠ ସହ କୌଣସି ଦୁର୍ନୀତି ଅଭିଯୋଗ କରିବାକୁ କେହି ସାହସ କରି ନାହାଁନ୍ତି। ମୋଦି ସରକାର ସଚ୍ଚୋଟତାର ସହ କାମ କରନ୍ତି। ଏହି ସଚ୍ଚୋଟତା ପିଏମ କେୟାର ଫଣ୍ଡରେ ମଧ୍ୟ ପ୍ରତିଫଳିତ ହୋଇଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।