ଜୟପୁର: ଦ୍ବିତୀୟ ବିବାହ ପାଇଁ ମନା କରିବାରୁ ସମ୍ପର୍କୀୟଙ୍କ ବର୍ବର କାଣ୍ଡ । 28 ବର୍ଷୀୟା ବିଧବା ମହିଳାଙ୍କ ନାକ ଏବଂ ଜିଭ କାଟିଲେ ସମ୍ପର୍କୀୟ । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ରାଜସ୍ଥାନର ଜୟସାଲମିର ଅଞ୍ଚଳରେ । ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଯୋଧପୁରର ଏକ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ 3 ଜଣଙ୍କୁ ଗିରଫ କରାଯାଇଥିବା ନେଇ ବୁଧବାର ପୋଲିସ ସୂଚନା ଦେଇଛି ।
ସୂଚନାଯୋଗ୍ୟ, ଜୟସାଲମିର ଜିଲ୍ଲାର ଶଙ୍କରା ଅଞ୍ଚଳରେ ରହୁଥିବା ଗୁଡ୍ଡି 6 ବର୍ଷ ତଳେ କୋଜେ ଖାନ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ହେଲେ ଗୋଟିଏ ବର୍ଷ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଗୁଡ୍ଡିଙ୍କ ନଣନ୍ଦ ଆଉ ଜଣେ ସମ୍ପର୍କୀୟଙ୍କ ସହ ତାଙ୍କୁ ଦ୍ବିତୀୟ ବିବାହ କରିବାକୁ ବାଧ୍ୟ କରିଥିଲେ । ମାତ୍ର ମହିଳାଟି ଏଥିରେ ଅରାଜି ହୋଇଥିଲେ ।
ମଙ୍ଗଳବାର ଅପରାହ୍ନରେ ମହିଳା ଜଣକ ନିଜ ମାଆଙ୍କ ସହିତ ଘରେ ଥିବା ସମୟରେ ତାଙ୍କ ମୃତ ସ୍ବାମୀଙ୍କ କିଛି ସମ୍ପର୍କୀୟ ତାଙ୍କ ଘରକୁ ଆସିଥିଲେ। ଏକ ଧାରୁଆ ଅସ୍ତ୍ରରେ ସେମାନେ ମହିଳାଙ୍କୁ ଆକ୍ରମଣ କରି ତାଙ୍କ ନାକ, ଜିଭ କାଟିବା ସହିତ ତାଙ୍କ ଡାହାଣ ପଟ ହାତ ମଧ୍ୟ ଭାଙ୍ଗି ଦେଇଥିବା ଜଣାପଡିଛି । ମହିଳାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ମାଆ ମଧ୍ୟ ଆହାତ ହୋଇଛନ୍ତି । ଏନେଇ ପୀଡିତାଙ୍କ ଭାଇ ଏକ ମାମଲା ରୁଜୁ କରିଛନ୍ତି । ପୋଲିସ ଘଟଣାରେ ପୀଡିତାଙ୍କ ସମ୍ପର୍କୀୟ ଅଭିଯୁକ୍ତ ଜାନୁ ଖାନ, ଅନଓ୍ବାର ଖାନ ଏବଂ ନଓ୍ବାବ ଖାନଙ୍କୁ ଗିରଫ କରିଛି । ଏଫଆଇଆରରେ ଆଉ 9 ଜଣଙ୍କ ନାମରେ ମଧ୍ୟ ଅଭିଯୋଗ ରହିଛି । ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ