ଲଦାଖ: ପୂର୍ବ ଲଦାଖରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଉପୁଜିଥିବା ଉତ୍ତେଜନା ଥମିବାକୁ ନାଁ ନେଉନାହିଁ । ଏଲଏସିରେ ଦୁଇ ଦେଶ ମଧ୍ୟରେ ଗତ 20 ଦିନ ମଧ୍ୟରେ 3 ଥର ଗୁଳିବିନିମୟ ହୋଇଛି । ଦୀର୍ଘ 45 ବର୍ଷ ପରେ ଏଲଏସିରେ ଗୁଳିବିନିମୟର ଘଟଣା ସାମ୍ନାକୁ ଆସିଛି ।
ନ୍ୟୁଜ ଏଜେନ୍ସି ଏନଏନଆଇ ଅନୁଯାୟୀ ସେନା ସୂତ୍ରରୁ ପ୍ରକାଶ ଯେ, ପ୍ରଥମ ଘଟଣା 29ରୁ 31 ଅଗଷ୍ଟ ମଧ୍ୟରେ ଘଟିଥିଲା । ଏହି ସମୟରେ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଅବସ୍ଥିତ ଅଞ୍ଚଳକୁ ଚୀନ ସେନା କବଜା କରିବା ପ୍ରୟାସକୁ ବିଫଳ କରିଦେଇଥିଲେ ଭାରତୀୟ ଯବାନ । ପରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ଗୁଳି ବିନିମୟର ଦ୍ବିତୀୟ ଘଟଣା 7 ସେପ୍ଟେମ୍ବରରେ ମୁଖପାରୀ ଶିଖର ନିକଟରେ ଘଟିଥିଲା ।
ସେନାର ସୂତ୍ର ଅନୁଯାୟୀ ତୃତୀୟ ଘଟଣା ସେପ୍ଟେମ୍ବର 8ରେ ପାଙ୍ଗୋଙ୍ଗ ହ୍ରଦର ଉତ୍ତର କୂଳରେ ଘଟିଥିଲା । ଏଥିରେ ଉଭୟ ପକ୍ଷର ଯବାନ ପାଖିପାଖି 100ରୁ ଅଧିକ ରାଉଣ୍ଡ ଗୁଳି ଚଳାଇଥିଲେ । ଚୀନ ସୈନିକମାନେ ଅତ୍ୟଧିକ ଆକ୍ରମଣାତ୍ମକ ବ୍ୟବହାର କରୁଥିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା । ଏହି ଦିନ ଚୀନ ସେନାର ପ୍ରାୟ 50 ଯବାନ ସନ୍ଧ୍ୟା ସମୟରେ ମୁଖପାରି ଶିଖର ନିକଟରେ ଭାରତୀୟ ପୋଷ୍ଟ ଆଡକୁ ଆକ୍ରମଣ କରିବାର ମାନସିକତା ରଖି ଆସିଥିଲେ। ମୁଖପରୀ ଶିଖର ଏବଂ ଲଦାଖର ରେଞ୍ଜାଗଲା ଅଞ୍ଚଳରେ ଭାରତୀୟ ସୈନ୍ୟଙ୍କୁ ହଟାଇ ଏହାକୁ କବଜା କରିବା ଥିଲା ଚୀନ ସେନାର ଲକ୍ଷ୍ୟ | ଏନେଇ ପୂର୍ବ ଲଦାଖରେ ଭାରତୀୟ ପୋଷ୍ଟ ନିକଟରେ ଶାବଳ, ବାଡ଼ି, ବର୍ଚ୍ଛା ଏବଂ ଧାରୁଆ ଅସ୍ତ୍ରଶସ୍ତ୍ର ନେଇ ପହଞ୍ଚିଥିଲେ ଚୀନ ସୈନିକ । ଏହି ଘଟଣା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଦୁଇ ଦେଶ ମଧ୍ୟରେ ତିକ୍ତତା ଏବେ ଚରମ ସ୍ଥିତିରେ ପହଞ୍ଚିଛି ।
ଏହି ଘଟଣା ଏକ ସମୟରେ ଘଟିଥିଲା ଯେତେବେଳେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଋଷ ରାଜଧାନୀ ମସ୍କୋରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବାକୁ ଯାଇଥିଲେ। ସେଠାରେ ସେ ଚୀନ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ମଧ୍ୟ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ସୀମା ବିବାଦ ସହ ଜଡିତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ସମସ୍ୟାର ସମାଧାନ କିପରି ହେବ ସେ ବିଷୟରେ ଉଭୟ ଆଲୋଚନା କରିଥିଲେ ।
ଆଲୋଚନା ସମୟରେ ଦୁହେଁ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା କରିବାକୁ ରାଜି ହୋଇଥିଲେ। ତେବେ ଚୀନ ପକ୍ଷ ଏପର୍ଯ୍ୟନ୍ତ ଏହି ଆଲୋଚନା ସମ୍ପର୍କରେ ତାରିଖ ଏବଂ ସମୟ ସ୍ଥିର କରି ନାହିଁ। ଏପ୍ରିଲରୁ ମେ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସାମରିକ ଏବଂ କୂଟନୈତିକ ସ୍ତରରେ ଅନେକ ପର୍ଯ୍ୟାୟରେ ଆଲୋଚନା ହୋଇଛି । ତଥାପି ଏହାର କୌଣସି ଠୋସ ଫଳାଫଳ ମିଳିପାରିନାହିଁ ।
ଭାରତ-ଚୀନ ସୀମା ବିବାଦକୁ ନେଇ ମଙ୍ଗଳବାର ଲୋକସଭାରେ ବିବୃତ୍ତି ରଖିଥିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ସୀମା ବିବାଦ ଏକ ଗମ୍ଭୀର ସମସ୍ୟା ବୋଲି କହିଥିଲେ ରାଜନାଥ । ପ୍ରତିରକ୍ଷାମନ୍ତ୍ରୀ କହିଥିଲେ ଯେ ଦୁଇ ଦେଶ ଶାନ୍ତିକୁ ନେଇ ସହମତ । ଶାନ୍ତିପୂର୍ଣ୍ଣ ଆଲୋଚନାରେ ହିଁ ସମାଧାନର ରାସ୍ତା ବାହାରିବ । ଚୀନ ଅନେକ ଥର ସୀମାରେ ସ୍ଥିତାବସ୍ଥା ବଦଳାଇବାକୁ ଏକପାଖିଆ ପ୍ରୟାସ କରିଥିବା ବେଳେ ଆମର ବୀର ଯବାନ ଚୀନ ସେନାର ଏହି ପ୍ରୟାସକୁ ବିଫଳ କରିଛନ୍ତି । ଗଲୱାନ ଘାଟିରେ ହୋଇଥିଲା ରକ୍ତାକ୍ତ ସଂଘର୍ଷରେ ଚୀନ ସେନାର ବ୍ୟାପକ କ୍ଷତି ହୋଇଥିବା ସୂଚନା ଦେଇଥିଲେ ରାଜନାଥ ।
@ANI