ଶ୍ରୀନଗର: ସଙ୍କଟରେ ଦେବଦୂତ ସାଜିଛନ୍ତି ଜମ୍ମୁ-କାଶ୍ମୀରର ଜଣେ ମହିଳା । ଘାଟି ବାସିନ୍ଦାଙ୍କୁ ନିଜ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବାକୁ ଯୋଗାଉଛନ୍ତି ମାଗଣା ଫୋନ ସେବା । ଏହା ସହିତ ବାସହରାଙ୍କୁ ସହାୟତା ଯୋଗାଇବା ପାଇଁ ନେଇଛନ୍ତି ପଦକ୍ଷେପ ।
ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରଠାରୁ ପ୍ରଦେଶରେ ଲାଗିଛି କଟକଣା । ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମୋବାଇଲ ଏବଂ ଇଣ୍ଟରନେଟ ସେବା ଉପରେ ପ୍ରତିବନ୍ଧକ ଲାଗିଛି । ଏପରିକି ଟେଲିଫୋନ ସେବାରେ ମଧ୍ୟ ଲାଗିଛି ରୋକ । ତେବେ ଏହା ଦ୍ବାରା ସ୍ଥାନୀୟ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବାହାର ଅଞ୍ଚଳରେ ଥିବା ନିଜ ଲୋକଙ୍କ ସହ ସମ୍ପର୍କ କରିବା ବି କଷ୍ଟକର ହେଉଛି । ତେବେ ଏହି ସମୟରେ ମାନବିକତା ଦେଖାଇ ଶ୍ରୀନଗର ରାଜବାଘର ଜଣେ ମହିଳା ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ।
ଗତ 19 ତାରିଖରେ ଏହି ମହିଳାଙ୍କ ଟେଲିଫୋନ ସେବା ସ୍ବଭାବିକ ହୋଇଥିବା ସେ ଜାଣିବାକୁ ପାଇଥିଲେ । ଏହାପରେ ସେ ଲୋକଙ୍କୁ ମାଗଣାରେ ଫୋନ ସେବା ଯୋଗାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ଏନେଇ ସେ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ପୋଷ୍ଟ ଲଗାଇଥିଲେ । ଏହାପରଠାରୁ ଅନେକ ଲୋକ ତାଙ୍କ ପାଖକୁ ଆସୁଥିବା ସେ କହିଛନ୍ତି । ଏହା ସହିତ ବାସହରାଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ସେ ଏକ ଦାନବାକ୍ସ ମଧ୍ୟ ରଖିଛନ୍ତି । ଫୋନ କରିବାକୁ ଆସୁଥିବା ବ୍ୟକ୍ତି ନିଜ ଇଚ୍ଛା ମୁତାବକ ସେହି ଦାନବାକ୍ସରେ ଦାନ କରିଥାନ୍ତି । ସେପଟେ ଏଥିରୁ ସଂଗୃହୀତ 6 ହଜାର ଟଙ୍କା ସେ ଅସହାୟଙ୍କୁ ଦାନ କରିଥିବା କହିଛନ୍ତିି ।