ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି । ପ୍ରଦର୍ଶନ ପାଇଁ ଦିଲ୍ଲୀ ଅଭିମୁଖେ ମାଡି ଚାଲିଛନ୍ତି ହଜାର ହଜାର ଚାଷୀ । ଗୋଟିଏ ପକ୍ଷେ ଦିଲ୍ଲୀ ପୋଲିସ ଚାଷୀଙ୍କୁ ରାଜଧାନୀରେ ପ୍ରବେଶ ପାଇଁ ଅନୁମତି ଦେଇସାରିଥିବା ବେଳେ ଅନ୍ୟପକ୍ଷେ ବୁରାଡି ଗ୍ରାଉଣ୍ଡରେ ଏମାନଙ୍କ ପ୍ରଦର୍ଶନ ପାଇଁ ଖାସ ପ୍ରସ୍ତୁତି କରିଛି କେଜ୍ରିୱାଲଙ୍କ ନେତୃତ୍ବାଧିନ ଆମ ଆଦମୀ ପାର୍ଟି ସରକାର । ସେପଟେ ଦିଲ୍ଲୀର ସିନ୍ଧୁ ସୀମାରେ ଧାରଣାରେ ବସିଥିବା ଚାଷୀଙ୍କ ଆଗମୀ ରଣନୀତି କଣ ରହିଛି ? ତାହା ଏଯାଏଁ ଜଣାପଡିନାହିଁ ।
ଯେ ପର୍ଯ୍ୟନ୍ତ ସରକାର ଦାବି ମାନି ନାହାନ୍ତି, ସେଯାଏଁ ଚାଷୀମାନେ ଧାରଣାରୁ ହଟିବେ ନାହିଁ ବୋଲି ଖୋଲା ଚେତାବନୀ ଦେଇଛନ୍ତି । ନୂଆ କୃଷି ଆଇନ ବିରୋଧରେ ପଞ୍ଜାବ ଓ ହରିୟାଣାର ଚାଷୀ ସବୁଠୁ ଅଧିକ ଆକ୍ରୋଶ ଥିବା ନଜର ଆସୁଛନ୍ତି । ସ୍ଥାନେ ସ୍ଥାନେ ହିଂସା ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳୁଛି । ପ୍ରଶାସନ ସହ ଚାଷୀମାନେ ମୁହାଁମୁହିଁ ହେଉଥିବା ବେଳେ କେଉଁଠି ବ୍ୟାରିକେଡ ଭାଙ୍ଗୁଛନ୍ତି ତ ଆଉ କେଉଁଠି ପୋଲିସ ଖାତିର ନକରି ଜୋର ଜବରଦସ୍ତି ଧସେଇ ପଶିବାକୁ କରୁଛନ୍ତି ପ୍ରୟାସ ।
ଏପରିସ୍ଥିତିରେ ଚାଷୀମାନଙ୍କ ପ୍ରଦର୍ଶନ ମଧ୍ୟରେ କିଛି ଅସାମାଜିକ ତତ୍ତ୍ବ ଲୁଚି ରହିଥିବା ନେଇ ସନ୍ଦେହ ପ୍ରକଟ କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ମୁଖ୍ୟମନ୍ତ୍ରୀ ଖଟ୍ଟର ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ଚାଷୀଙ୍କ ଭିଡ଼ରେ କିଛି ଅସାମାଜିକ ତତ୍ତ୍ବ ରହିଥିବା ସୂଚନା ମିଳିଛି । ଏହା ନିଶ୍ଚିତ ହେବା ପରେ ସାର୍ବଜନୀନ କରାଯିବ । ସେମାନେ ସରକାର ବିରୋଧୀ ସ୍ଲୋଗାନ ଦେଉଥିବା କହିଛନ୍ତି ଖଟ୍ଟର । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ସିଧାସଳଖ ଖାଲିସ୍ତାନୀ ଅତଙ୍କବାଦୀଙ୍କ ଆଡକୁ ଇଙ୍ଗିତ କରୁଛି ।
ସେପଟେ ଚାଷୀଙ୍କୁ ଆନ୍ଦୋଳନର ରାସ୍ତା ଛାଡି ଆଲୋଚନା ପାଇଁ ଆସିବାକୁ ଅପିଲ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । କୃଷିମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ କୃଷକ ସଂଗଠନ ସହ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଡିସେମ୍ବର 3ରେ ଆମେ ସେମାନଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରିଛୁ । ମୁଁ ଆଶା କରୁଛି ସେମାନେ ଆସିବେ । ତେବେ ଚାଷୀଙ୍କ ନାଁରେ ଆନ୍ଦୋଳନ ନକରିବାକୁ ରାଜନୈତିକ ଦଳଗୁଡିକୁ ଅନୁରୋଧ କରିଛନ୍ତି ତୋମାର ।