ଥିରୁଅନନ୍ତପୁରମ: ଦୁନିଆରେ ଏମିତି କିଛି ଅଦ୍ଭୁତ ସ୍ଥାନ ଅଛି ଯାହା ବୈଜ୍ଞାନିକଙ୍କ ଚିନ୍ତାଧାରାକୁ ଚ୍ୟାଲେଞ୍ଜ କରିଥାଏ । ସେମାନଙ୍କ ସମସ୍ତ ଗବେଷଣା ସେଠାରେ ଫେଲ ମାରେ । ସେମିତି ଏକ ସ୍ଥାନ ହେଉଛି କେରଳର କୋଡିନହି ଗାଁ । ତେବେ ଏହି ଗାଁରେ କିଛି ଏମିତି ଘଟୁଛି ଯାହା ସଭିଁଙ୍କୁ କରିଛି ଆଶ୍ଚର୍ଯ୍ୟ, ଆଉ ସେହି ଆଶ୍ଚର୍ଯ୍ୟଜନକ କଥା ହେଉଛି 2000 ପରିବାର ବାସ କରୁଥିବା ଏହି ଗାଁରେ ଅଛନ୍ତି ପ୍ରାୟ 400 ଯାଆଁଳା ବା ଯମଯ ଯୋଡ଼ି ।
ଭାରତରେ ଯାଆଁଳା ଶିଶୁଙ୍କ ଜନ୍ମର ହାର ବିଶ୍ବରେ ସବୁଠାରୁ କମ । ପ୍ରତି 1000 ଜନ୍ମରେ ହାରାହାରି 9ଟି ଯାଆଁଳା ହୋଇଥାନ୍ତି ଜନ୍ମ । କିନ୍ତୁ କୋଡିନହିରେ ଏହି ହାର ପ୍ରାୟ 1000 ଜନ୍ମରେ 45ଟି ରହିଥାଏ । ଯାହା ବିଶ୍ବର ଯେକୌଣସି ସ୍ଥାନ ଠାରୁ ସର୍ବାଧିକ । ତେବେ ଏତେ ମାତ୍ରାରେ ଯାଆଁଳାଙ୍କ ଜନ୍ମ ପଛରେ କଣ ରହିଛି ରହସ୍ୟ ? ବୈଜ୍ଞାନିକ ମାନେ ମଧ୍ୟ ଏହାର କାରଣ ଖୋଜି ପାଇନାହାଁନ୍ତି ।
ତେବେ ବୈଜ୍ଞାନିକ ମାନେ ଏହାର କାରଣ ଯେ ଖୋଜିବାକୁ ଚେଷ୍ଟା କରି ନାହାଁନ୍ତି ତାହା ନୁହେଁ । କିନ୍ତୁ ଅନେକ ଗବେଷଣା ସତ୍ତ୍ବେ ସେମାନେ ଏହାର ପ୍ରକୃତ କାରଣ ଖୋଜିବାରେ ସକ୍ଷମ ହୋଇ ନଥିଲେ ।
କେଉଁଠୁ ଆସନ୍ତି ଏତେ ଯାଆଁଳା ?
ତେବେ ଏହାର ଗୋଟିଏ କାରଣ କୋଡିନହି ଗ୍ରାମର ଲୋକଙ୍କ ଖାଦ୍ୟାଭ୍ୟାସ ହୋଇପାରେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ସେମାନଙ୍କ ପାଣି କିମ୍ବା ଖାଦ୍ୟରେ ମଧ୍ୟ ସେପରି କିଛି ଉପାଦାନ ମିଳିନାହିଁ । ତେଣୁ ଖାଦ୍ୟ ଏହାର କାରଣ ବୋଲି ମଧ୍ୟ କହିହେବ ନାହିଁ ।
ଏହି ଗାଁ ବିଷୟରେ କଣ ଖାସ ରହିଛି ? କିଛି ପୀଢ଼ି ପୂର୍ବରୁ ଏଠାରେ କ’ଣ ଘଟିଥିଲା ? ତେବେ ଏହା କହିବା କଷ୍ଟକର ଯେ ଯାଆଁଳା ଜନ୍ମ ହେବା ସେଠାକାର ଲୋକଙ୍କର କିଛି ବିଶେଷତ୍ବ ନା ସେହି ଅଞ୍ଚଳର କିଛି ବିଶେଷତ୍ବ । ଏପରି ଖବର ଅଛି ଯେ ଯେଉଁ ମହିଳାମାନେ କୋଡିନହିର ଲୋକଙ୍କୁ ବିବାହ କରିଛନ୍ତି ଏବଂ ସେଠାକୁ ଯାଇଛନ୍ତି ସେମାନେ ମଧ୍ୟ ଯାଆଁଳା ଜନ୍ମର ଏକ ଉଚ୍ଚ ହାର ପ୍ରଦର୍ଶନ କରିଛନ୍ତି ।
ଗବେଷକ ମାନେ ଏହାର ଉତ୍ତର ପାଇବା ଆଶାରେ କୋଡିନହିରେ ଜେନେଟିକ ଅଧ୍ୟୟନ ଜାରି ରଖିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କୌଣସି ସିଦ୍ଧାନ୍ତ ପାଇ ନଥିବା କୁହନ୍ତି ବୈଜ୍ଞାନିକ, ଭବିଷ୍ୟତରେ ମଧ୍ୟ ପାଇବେ କି ନାହିଁ ତାର ଆଶା କମ । ତେବେ ଏମିତି କିଛି ଜିନିଷ ଥାଏ ଯାହାର ତଥ୍ୟ ବିଜ୍ଞାନ ଯେତେ ଚେଷ୍ଟା କଲେ ବି ପାଇ ପାରେ ନାହିଁ । ଆଉ ତାହା ସବୁବେଳ ପାଇଁ ରହସ୍ୟ ହୋଇ ରହିଯାଏ ।