ଲକ୍ଷ୍ନୌ: ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଏହି ଦିନ ଶୈବପୀଠରେ ଅପୂର୍ବ ଭିତ ଦର୍ଶନ ହେବା କଥା , ହେଲେ କୋରୋନା କାରଣରୁ ଖାଲି ପଡିଛି ସମସ୍ତ ମନ୍ଦିର ଓ ପୂଜା ସ୍ଥାନ । ତେବେ ଆଜି ଶ୍ରାବଣ ମାସର ହରିୟାଲି ଅମାବାସ୍ୟା ବା ସୋମବତୀ ଅମାବାସ୍ୟା । ଯଦି ଶ୍ରାବଣ ମାସର ସୋମବାର ଦିନ ଏହି ଅମାବାସ୍ୟା ପଡେ ତେବେ ଏହାକୁ 'ସୋମାବତୀ ଅମାବାସ୍ୟା' କୁହାଯାଏ । ଚଳିତଥର ସୋମାବତୀ ଅମାବାସ୍ୟା ଅନେକ ବର୍ଷ ପରେ ଅଦ୍ଭୁତ ସଂଯୋଗରେ ପଡିଛି । ସୋମବତୀ ଅମାବାସ୍ୟା ପ୍ରାୟ 20 ବର୍ଷ ପରେ ଶ୍ରାବଣର ସୋମବାର ଦିନ ପଡିଛି । ଏହି ଦିନ, ପ୍ରଭୁ ଭୋଳାନାଥଙ୍କ ପୂଜା କଲେ ସମସ୍ତ ଦୁଃଖ, ଦାରିଦ୍ର୍ୟ, ରୋଗ, ଶୋକ ସହିତ ପିତା ଦୋଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥାଏ ।
ବିଶ୍ବାସ ରହିଛି ଯେ, ପ୍ରଭୁ ଶିବ ଶଙ୍କରଙ୍କୁ ଦର୍ଶନ କରି ଏହି ଦିନରେ ଯଦି ଏକ ଗଛ ଲଗାଯାଏ, ତେବେ ଏହାଦ୍ବାରା ଚମତ୍କାର ଫଳ ପ୍ରାପ୍ତ ହୋଇଥାଏ । ସେଥିପାଇଁ ଅନେକ ଲୋକ ମଧ୍ୟ ଏହି ଦିନ ଅଶ୍ବଥ ଗଛ ଏବଂ ତୁଳସୀ ଗଛକୁ ପୂଜା କରିଥାନ୍ତି । ଏହା ପୂର୍ବରୁ 31 ଜୁଲାଇ 2000ରେ ସୋମବତୀ ଆମାବାସ୍ୟା ଶ୍ରାବଣ ସୋମବାରେ ପଡିଥିଲା ।
ତେବେ ଏହି ଦିନରେ ପବିତ୍ର ନଦୀ ଓ ପୋଖରୀରେ ବୁଡ ପକେଇବାର ମଧ୍ୟ ଅନେକ ମହତ୍ତ୍ବ ରହିଛି । ବୁଡ ପକେଇସାରି ପୂଜା ଓ କିଛି ଦାନ କଲେ ବହୁ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ । ଯାହାକୁ ନେଇ ପ୍ରୟାଗରାଜର ସଂଗମ ସ୍ଥଳରେ ବହୁ ଶ୍ରଦ୍ଧାଳୁ ବୁଡ ପକେଇବାର ଦେଖିବାକୁ ମିଳିଛି । ତଥାପି ପୂର୍ବ ଅପେକ୍ଷା ଚଳିତବର୍ଷ କୋରୋନା କାରଣରୁ କମ ଭିଡ ପରିଲିକ୍ଷିତ ହୋଇଛି ।
ଶ୍ରାବଣ ମାସରେ ଯେଉଁଠି ଶିବାଳୟରେ ଭକ୍ତ ଓ କାଉଡିଆଙ୍କ ଭିଡ ଲାଗିବା କଥା ସେଠି ଆଜି ଖାଁ ଖାଁ ଦେଖାଯାଉଛି । କୋରୋନା କଟକଣା ପାଇଁ ସମସ୍ତ ଶୈବପୀଠରେ ପ୍ରଶାସନ ପକ୍ଷରୁ କଡା କଟକଣା ଜାରି ରହିଛି । ତେବେ ବୁଡ ପକାଇ ବାହାରୁ ମୁଣ୍ଡିଆ ମାରି ଆସୁଛନ୍ତି ।