ଜଣେ ଅଭିଭାବକ ଆସି କହିଲେ ଯେ, ତାଙ୍କ ପିଲା ପଢାପଢିରେ ଜମା ଆଗ୍ରହ ଦେଖାଉ ନାହିଁ । ଦୀର୍ଘଦିନ ଧରି ଚିକିତ୍ସିତ ହେବା ପରେ ଏମିତି ହୋଇଥିବା ସେ କହିଲେ । ଆଉ ଜଣେ ଅଭିଭାବକ କହିଲେ ଯେ, ତାଙ୍କ ପିଲା ଖେଳିବା ପରେ କ୍ଲାନ୍ତ ହୋଇଯାଉଛି । ତେଣୁ ତାକୁ ପଢାଇବା ବେଳେ ସେ ସ୍ଥିର ହୋଇ ବସୁନାହିଁ । ପିଲାଙ୍କୁ ପଢିବା ପାଇଁ ମନାଇବା ସବୁବେଳ ମାଆବାପାଙ୍କ ପାଇଁ ଏକ ବଡ ଆହ୍ୱାନ ହୋଇଆସିଛି । କିନ୍ତୁ ଏହା ବି ମନେ ରଖିବାକୁ ହେବ ଯେ,ଛୋଟ ପିଲାମାନଙ୍କ ପାଇଁ ‘ଖେଳ’ ହିଁ ସବୁକିଛି । ତେଣୁ ପିଲାଙ୍କ ପାଠପଢା ଓ ଖେଳ ମଧ୍ୟରେ ଏକ ସନ୍ତୁଳନ କିପରି ବଜାୟ ରଖାଯାଇପାରିବ , ସେ ନେଇ ବି ମାଆବାପା ମାନେ ଧ୍ୟାନ ଦେବା ଦରକାର ।
ଏହା କିପରି ସମ୍ଭବ ? ଖେଳ ଖେଳରେ ପିଲାମାନଙ୍କୁ କେମିତି ପଢାଯାଇପାରିବ, ସେ ସଂପର୍କରେ ସାଇକୋଲୋଜିଷ୍ଟ ଓ ପ୍ଲେ ଥେରାପିଷ୍ଟ କାଜଲ ଡଭେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ଖେଳାଖେଳି କଲେ ଶିଶୁ ନିଜକୁ ଶକ୍ତିଶାଳି ଅନୁଭବ କରିବା ସହ ଚିନ୍ତା ମୁକ୍ତ ହୋଇଥାଏ । ବଡ କଥା ହେଲା ଖେଳ ମାଧ୍ୟମରେ ସେ ସୃଜନଶୀଳତା ଶିଖେ । କିଛି ଟିପ୍ସ ନିମ୍ନରେ ଦିଆଗଲା । ଯଦି ଶିଶୁ ବହିର ପାଠ ପଢିବାକୁ ଭଲ ପାଏ ନାହିଁ, ତାହା ହେଲେ ସେହି ପାଠକୁ କାହାଣୀ ଜରିଆରେ ତାକୁ ଶିଖାନ୍ତୁ । ସେହି କାହାଣୀର ବିଭିନ୍ନ ଚରିତ୍ର ମାଧ୍ୟମରେ ଶିଶୁକୁ ପଢାଯାଇପାରିବ ।
ଯଦି ପିଲା କୌଣସି ଅର୍ଥ ବୁଝିପାରେ ନାହିଁ , ତାହା ହେଲେ ସେହି ପ୍ରସଙ୍ଗର ଗୁଣାତ୍ମକ ମାନ ସଂପର୍କରେ ତାକୁ ବୁଝାଇବାକୁ ଚେଷ୍ଟା କରନ୍ତୁ । ଗେସିଂ ଗେମ୍ର ସାହାର ନିଅନ୍ତୁ । ଯଦି ସେ ଚିତ୍ରାଙ୍କନରେ ଆଗ୍ରହୀ, ତାହା ହେଲେ ଆପଣ ପିକଚର୍ ଡିକସନାରି ମାଧ୍ୟମ ବ୍ୟବହାର କରିପାରିବେ । ଶିଶୁ ସାମଗ୍ରିକ ଭାବେ ଯେପରି ପାଠ ଶିଖିପାରିବ, ବିଷୟବସ୍ତୁ ପ୍ରତି ଯେପରି ଆଗ୍ରହ ଦେଖାଇପାରିବ, ତାହା ମାଆବାପାଙ୍କୁ ନିଶ୍ଚିତ କରିବାକୁ ହେବା ଯଦି ପିଲାର ଆଗ୍ରହ ନ ଥାଏ, ତାହା ହେଲେ ସେହି ବିଷୟବସ୍ତୁ ପ୍ରତି ତାର କୌଣସି ଅମୂଳକ ଆଶଙ୍କା ରହିଥିବ ।
ଯେମିତିକ ଗଣିତ ଭଳି ବିଷୟରେ ପିଲାମାନେ ଆଗ୍ରହ ଦେଖାନ୍ତି ନାହିଁ ବା ସେମାନେ ସେହି ବିଷୟକୁ ଭୟ କରନ୍ତି । ପିଲାମାନଙ୍କ ମନରୁ ଏହି ଭୟ ଦୂର କରିବା ହିଁ ପ୍ରାଥମିକତା ହେବା ଦରକାର । ସୃଜନଶୀଳ ଭାବେ ଓ ଅଭିନବ ଉପାୟରେ ଭୟ କରୁଥିବା ପାଠକୁ ପିଲାକୁ ଶିଖାଇବାକୁ ହେବ । ଇଂରାଜୀ ଭାଷାର ବ୍ୟବହାର ଦ୍ୱାର ପିଲା ଚାପରେ ରହିବା ଭଳି ମନେ ହେଲେ, ଡ୍ରାମା ବା ଚରିତ୍ର ଅଂକନ, ଗପ, ଡାଏଲଗ୍ ଭଳି ହାଲୁକା ଶୈଳୀରେ ତାକୁ ଶିଖାଯାଇପାରେ ।
ପାଠପଢାରେ ଗେଜେଟ୍ ବ୍ୟବହାର ଯଦି ପାଠପଢାରେ ଗେଜେଟ୍ ବ୍ୟବହାର ବହୁଳ ଭାବେ ହେଉଛି ଓ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ଆପଣ ମନେ କରୁଛନ୍ତି, ତାହା ହେଲେ ଶିଶୁର ପାଠାପଢା ପାଇଁ ଏହାର ଫାଇଦା ନିଅନ୍ତୁ । ପିଲା ଯଦି କଂପ୍ୟୁଟର ପ୍ରତି ଆଗ୍ରହ ଦେଖାଏ, କିନ୍ତୁ କେବଳ ଗେମ୍ ଖେଳୁଥାଏ,ତାହା ହେଲେ ହ୍ୱାଇଟ୍ ବୋର୍ଡ ସଫଟୱେୟାର ବ୍ୟବହାର କରନ୍ତୁ । ଶିଶୁକୁ ଟାଇପିଂ, କୁଇଜ୍ ବା ମେଂଟିମିଟର ଇତ୍ୟାଦି ଶିଖିବା ପାଇଁ ଉତ୍ସାହିତ କରନ୍ତୁ । ଯଦି ଶିଶୁ ଗୀତ ଗାଇବାରେ ଆଗ୍ରହୀ, ତାହା ହେଲେ ତା ପାଇଁ କୋରାଓକେ ଆପ୍ ବ୍ୟବହାର କରି ତାକୁ ଗୀତ ଶିଖାନ୍ତୁ । ଭିନ୍ନ ଭିନ୍ନ ଭାବପ୍ରବଣତା ସାଧାରଣତଃ ପିଲାମାନେ ବେଳେବେଳେ ଭିନ୍ନ ଭିନ୍ନ ଭାବପ୍ରବଣତା ଦେଖାଇଥାଆନ୍ତି । ତାଙ୍କର ନିତିଦିନିଆ ସୂଚୀରେ ପରିବର୍ତନ ହେଲେ ସେମାନେ ଭିନ୍ନ ଧରଣର ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି ।
ଏଭଳି ପରିସ୍ଥିତିରେ ନୂଆ ରୁଟିନ ଓ କାର୍ଯ୍ୟସୂଚୀ ସହ ପିଲାମାନେ ଯେଭଳି ଖାପ ଖୁଆଇ କରିବେ,ସେଥିପାଇଁ ମାଆବାପାମାନେ ପଦକ୍ଷେପ ନେବା ଦରକାର । ନୂଆ ପରିସ୍ଥିତି ସହ ପିଲାଙ୍କୁ ପରିଚିତ ପାଇଁ ସେମାନଙ୍କୁ ଆଗୁଆ ପ୍ରସ୍ତୁତ କରିବା ଜରୁରୀ । ଏହା ହେଲେ ପିଲାଙ୍କ ମଧ୍ୟରେ କୌଣସି ଭୟ ରହିବ ନାହିଁ ।