ଇତିହାସ ସାବଧାନ କରୁଛି… ମୂଳରେ ମାନବିକତା ‘ଜଣେ ଫୁଟ୍ବଲ ଖେଳାଳୀଙ୍କୁ ମାସକୁ ୧୦ ଲକ୍ଷ ୟୁରୋ ପ୍ରଦାନ କରାଯାଉଛି। ତାଙ୍କୁ ଦ୍ଵିତୀୟ ଭଗବାନ ବୋଲି ଲୋକ କହୁଛନ୍ତି। ଆଉ ଜଣେ ଜୈବ ବିଜ୍ଞାନୀ, ଗବେଷକଙ୍କୁ ମାସକୁ ଦରମା ମିଳୁଛି ମାତ୍ର ୧୮୦୦ ୟୁରୋ। ଏବେ ଯାଆନ୍ତୁ ସେଇ ଫୁଟ୍ବଲ ଖେଳାଳୀ ଖ୍ରୀଷ୍ଟିନା ରୋନାଲେ୍ଡୋଙ୍କୁ କହନ୍ତୁ କରୋନା ଚିକିତ୍ସା ପାଇଁ ଔଷଧ ବାହାର କରିବେ!’ ସ୍ପେନ୍ରେ ଏହି ବାର୍ତ୍ତା ଗୋଟିଏ ମୋବାଇଲ୍ କହିଲେ ଆର ମୋବାଇଲ୍କୁ ପାଠାଯାଉଛି। ଜଣେ ଜୀବ ବିଜ୍ଞାନୀଙ୍କ ପକ୍ଷରୁ ଏହି ବାର୍ତ୍ତା ହ୍ବାଟ୍ସଆପ୍ରେ ଘୁରିବୁଲୁଛି। ଏଥିରେ ସମ୍ପୃକ୍ତ ଫୁଟ୍ବଲ୍ ଖେଳାଳୀଙ୍କ ବିରୋଧରେ ଲୋକ ତାତୁଛନ୍ତି ତାହା ନୁହେଁ। ତାଙ୍କ ପ୍ରତି କେହି ଈର୍ଷା ଭାବ ବି ପୋଷଣ କରୁନାହାନ୍ତି। କିନ୍ତୁ ସାରା ବିଶ୍ଵରେ ଯେଉଁ ପ୍ରକାର ଶାସନ ଚାଲିଛି ତା ବିରୁଦ୍ଧରେ ଲୋକଙ୍କ ରୋଷର ଏହା ଏକ ପ୍ରତୀକ ବୋଲି ସ୍ପଷ୍ଟ ହେଉଛି। ପ୍ରତି ସରକାର, ନେତା, ଏବଂ ରାଷ୍ଟ୍ର ନୀତି ବିରୁଦ୍ଧରେ ଏହା ଏକ ଜନ ଅସନ୍ତୋଷ। ଏଭଳି ବିପର୍ଯ୍ୟୟ ସମୟ ଯେଉଁଠାରେ କରୋନା ପରି ଏକ ମହାମାରୀକୁ ସାରା ବିଶ୍ଵ ମୁକାବିଲା କରୁଛି ସେଠି ସମସ୍ତେ ଅସହାୟ। ଏହି ଅସହାୟ ଜନତାଙ୍କ ମନରେ କ୍ଷୋଭ ଯେ, ଆମ ଶିକ୍ଷା, ବିଜ୍ଞାନ ସବୁ କିଛି ଅକାମୀ, ଏହାର କିଛି ଲାଭ ନାହିଁ।
ଆମେ ପ୍ରକୃତରେ ଆମର ଅସ୍ତିତ୍ଵ ପ୍ରତି ଆସିୁଥିବା ବିପଦକୁ ଚିହ୍ନଟ କରିବାରେ ଅସମର୍ଥ!
ମହାମାରୀ ଆମ ପାଇଁ କିଛି ନୂଆ କଥା ନୁହେଁ। ସଭ୍ୟତାର ଆରମ୍ଭରୁ ଏମିତି ଅନେକ ମହାମାରୀର ଉଦାହରଣ ଦିଆଯାଇପାରେ। ଖ୍ରୀଷ୍ଟପୂର୍ବ ୪୩୦ରେ ଏମିତି ଏକ ମହାମାରୀ ଏଥେନ୍ସରେ ଆରମ୍ଭ ହୋଇଥିଲା ଯାହା ସେତେବେଳେ ମାନବ ସମାଜ ପ୍ରତି ଏକ ଆହ୍ବାନ ହୋଇଥିଲା। ଆଉ ଏବେ ନିକଟରେ ପୃଥିବୀ ସାର୍ସ ଏବଂ ଏବୋଲା ଭଳି ମହାମାରୀର ସାକ୍ଷୀ ହୋଇଛି। ତଥାପି ମଣିଷ ଜାତି ସେଗୁଡ଼ିକ ଆଗରେ ହାର୍ ନମାନି ପୁଣି ମୁଣ୍ଡ ଟେକି ଠିଆ ହୋଇଛି। ବିପର୍ଯ୍ୟୟକୁ ଭୁଲି ପୁଣି ନୂଆ ଚିନ୍ତା କରିଛି। ଇତିହାସରେ ଏପରି ମହାମାରୀ କେବେ ମାନବ ସମାଜକୁ ଧ୍ବଂସ କରିଦେଇପାରି ନାହିଁ। କରୋନା ବି ଏହାଠୁ ଅଲଗା ନୁହେଁ। କିଛିଦିନ ପରେ ଆମେ ଏହାକୁ ରୋକ୍ ଦେଇପାରିବା। ଏହାର ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିପାରିବା। ହୁଏତ କିଛି ଗୋଟିଏ ଔଷଧ ବାହାର କରି ଆମେ ଏହାର ଚିକିତ୍ସା କରିପାରିବା ବା ଟୀକାକରଣ କରି ମଣିଷ ଦେହରେ ଏହାର ସଂକ୍ରମଣକୁ ରୋକିପାରିବା। କିନ୍ତୁ ପ୍ରଶ୍ନ ଉଠେ କାହିଁକି ଆମେ ଆଜି ଅସହାୟ? ଯେଉଁ ସମୟରେ ଆମେ ୫ଜି ଟେକ୍ନୋଲୋଜି କଥା କହୁଛୁ, କୃତ୍ରିମ ବୁଦ୍ଧିମତ୍ତାରେ ମଣିଷର ପ୍ରତିଟି କାର୍ଯ୍ୟକୁ ଆଗରୁ ନିର୍ଦ୍ଧାରଣ କରିପାରୁଛୁ ସେତେବେଳେ ଆମେ କାହିଁକି କୋରୋନା ସଙ୍ଗେ ମୁକାବିଲା କରିବାରେ ଅସମର୍ଥ ହେଉଛୁ? ଏହା ଅର୍ଥ ଯେ, ମଣିଷ ଜାତି ଯେତେ ବିଜ୍ଞାନ ଓ ଟେକ୍ନୋଲୋଜିରେ ଅଗ୍ରଗତି କରିଲେ ବି ଅଜେୟ ନୁହେଁ। ଯଦି ଆମେ ଏହା ଭାବୁଛୁ ତେବେ ତା’ଠୁ ବଡ଼ ଭ୍ରାନ୍ତ ଧାରଣା ଆଉ କିଛି ଥାଇ ନପାରେ!
ମାନବିକତା ଅନେକ ପ୍ରଶ୍ନ ଏବେ ସମ୍ମୁଖୀନ ହେଉଛି!
କରୋନା ପରିସ୍ଥିତିରୁ ଆମେ କିଛି ଶିକ୍ଷା କରିପାରିବାକି? ଏହା ପରେ ମଣିଷମାନେ କେମିତି ବ୍ୟବହାର କରିବେ? କେମିତି ଆମେ ପ୍ରକୃତି ଓ ଅନ୍ୟ ସତ୍ତାଧାରୀଙ୍କୁ ଗ୍ରହଣ କରିବା? ଯେଉଁ ଯୁବାପିଢ଼ି ଏଯାଏ ଜୀବନକୁ ଏକ ଇନ୍ଷ୍ଟାଣ୍ଟ କଫି ଭଳି ସହଜ ଭାବିଛନ୍ତି ସେମାନଙ୍କ ଚିନ୍ତନ ପ୍ରକ୍ରିୟା କ’ଣ ହେବ? ସରକାର କିପରି ତାଙ୍କ କାର୍ଯ୍ୟକ୍ରମକୁ ପରିଚାଳନା କରିବେ? ରାଜନେତା, ବିଜ୍ଞାନୀ, ଗବେଷକମାନେ କିପରି ପ୍ରତିକ୍ରିୟା ପ୍ରକାଶ କରିବେ? ଏମିତି ଅନେକ ପ୍ରଶ୍ନ ଆମ ଆଗରେ ଠିଆ ହୋଇଛି। ଆଉ ଏସବୁ ପ୍ରଶ୍ନ ଉତ୍ତର ଆଗକୁ ମାନବ ସମାଜର ଭବିଷ୍ୟତ ନିର୍ଦ୍ଧାରଣ କରିବ। ଯେଉଁ ସମୟରେ ଆମେ ଆମ ଭିତରେ ଜାତି, ଧର୍ମ, ବଣ୍ଣ, ସାମନ୍ତବାଦ, ସମାଜବାଦ, କମ୍ୟୁନିଜିମ୍, କ୍ୟାପିଟାଲିଜିମ୍, କଳା, ଗୋରା, ଅଧୁନିକବାଦୀ, ପରମ୍ପରାବାଦୀ, ବିକାଶଶୀଳ, ବିକଶିତ, ଅନୁନ୍ନତ, ସୁପର ପାୱାର ଭଳି ଆଖ୍ୟା ଦେଇ ବିଭାଜିତ କରୁଛୁ ସେତେବେଳେ କରୋନା ଆମକୁ ଆମର ବାସ୍ତବ ଚିତ୍ର ଦେଖାଉଛି। ଆମେ ଯେଉଁ ତଥାକଥିତ ବିକଶିତ ଏବଂ ଅତ୍ୟାଧୁନିକ କଥା କହୁଛୁ ତାହାକୁ ନିମିଷକେ ଫୁ’ କରିଦେଇ ଆମକୁ ଆମର ଔକାତ୍ ଦେଖାଉଛି। ଏହା ଆଉ ଅସ୍ପଷ୍ଟ ନାହିଁ ବରଂ ମଙ୍ଗଳ ଗ୍ରହର ହାଇ ରିଜୋଲ୍ୟୁସନ୍ ଫଟୋ ଭଳି ଅତ୍ୟନ୍ତ ସ୍ପଷ୍ଟ। କରୋନା ଚୀନ ଭଳି ରାଷ୍ଟ୍ରକୁ ତା’ର ସୀମା ଦେଖାଇବାରେ ସକ୍ଷମ ହୋଇଛି। ଯେଉଁ ରାଷ୍ଟ୍ର ସାରା ବିଶ୍ଵକୁ ନିଜ ଆଙ୍ଗୁଠିର ଇଙ୍ଗିତରେ ନଚାଇବାର ସ୍ଵପ୍ନ ଦେଖୁଥିଲା ତାହାର ଛାୟାକୁ କରୋନା ସୂଚିତ କରିବାରେ ସକ୍ଷମ ହୋଇଛି। ଆମେରିକା ଓ ୟୁରୋପୀୟ ରାଷ୍ଟ୍ର ଯେଉଁମାନେ ନିଜର ଚିକିତ୍ସା ବିଜ୍ଞାନ, ପୋଷଣ ଏବଂ ବିକାଶ କଥା କହି ସାରା ବିଶ୍ଵର ଧ୍ୟାନ ଆକର୍ଷଣ କରୁଥିଲେ ସେମାନେ ଯେ, ଭିତରେ ଶୂନ୍ୟ ତାହାକୁ ପ୍ରତିପାଦନ କରିଛି ଏହି ଭୁତାଣୁ। କରୋନା ଏହା ପ୍ରମାଣିତ କରିଛି ଯେ, ଭୁତାଣୁ କେବଳ ଗରିବ ରାଷ୍ଟ୍ରରେ ରହେ ନାହିଁ, ଦରିଦ୍ର ରାଷ୍ଟ୍ରରେ ସଂକ୍ରମିତ କରେ ନାହିଁ ବରଂ ଏହା ସମସ୍ତଙ୍କୁ ଆକ୍ରାନ୍ତ କରିପାରେ। ଧନୀ, ଦରିଦ୍ର ସବୁ ରାଷ୍ଟ୍ରକୁ ଧ୍ବଂସ କରିଦେଇପାରେ। ଅର୍ଥାତ୍ ଯେଉଁ ତଥାକଥିତ ବିକାଶ ଏବଂ ଆଧୁନିକତା କଥା ଆମେ କହୁଛୁ ସେସବୁର ସୀମା ରହିଛି। ପ୍ରତିଟି ମହାମାରୀ ମଣିଷ ସଭ୍ୟତାକୁ ଶିକ୍ଷା ଦେଇଛି। ମଣିଷର ତ୍ରୁଟିକୁ ଚିହ୍ନଟ କରି ସେ ବିଷୟରେ ସତର୍କ କରାଇଛି। ପରବର୍ତ୍ତୀ ସମୟରେ ଏଗୁଡ଼ିକୁ ସୁଧାରିବାର ମୌକା ନେଇଛି। ଯେଉଁ ସମୁଦାୟ ଏହାକୁ ନମାନିଛି ତାହା ପରବର୍ତ୍ତୀ ସମୟରେ ଦୁର୍ଯୋଗ ଭୋଗ କରିଛି। ୧୩୪୬-୧୩୫୩ ଭିତରେ କେନ୍ଦ୍ର ଏସିଆରୁ ୟୁରୋପ ମହାଦେଶକୁ ଏକ ମହାମାରୀ ବ୍ୟପିଥିଲା ଯାହା ସେତେବେଳେ ଇତିହାସକୁ ବଦଳାଇବାରେ ସହାୟକ ହୋଇଥିଲା। ମହାମାରୀର ନାଁ ଥିଲା କଳା ମୃତ୍ୟୁ। ଏହା ୟୁରୋପର ପ୍ରାୟ ଅଧା ଲୋକଙ୍କ ପାଇଁ ମୃତ୍ୟୁ ଆଣିଥିଲା। ପରବର୍ତ୍ତୀ ସମୟରେ ଏହି ମହାମାରୀ ୟୁରୋପରେ ସାମନ୍ତ ପ୍ରଥାରେ ପ୍ରଥଳିତ ମଜୁରୀ ବ୍ୟବସ୍ଥାକୁ ବଦଳାଇ ଦେଇଥିଲା। ଯେଉଁମାନଙ୍କର ଏହି କଳା ମୃତ୍ୟୁ ହେଲା ସେମାନଙ୍କ ମଜୁରୀକୁ ଯେଉଁମାନେ ସୌଭାଗ୍ୟ ବଶତଃ ବଞ୍ଚିଗଲେ ସେମାନେ ପାଇଲେ। ଏହା ମଧ୍ୟ କୁହାଯାଏ ଯେ, ଏହି କଳା ମୃତ୍ୟୁ ପରବର୍ତ୍ତୀ ସମୟରେ ୟୁରୋପରେ ଅନେକ କୌଶଳ ଏବଂ ଟେକ୍ନୋଲୋଜି ଉଦ୍ଭାବନ ହୋଇଥିଲା। ପରିସ୍ଥିତି ଏହା ଶିଖାଇଥିଲା। ଇତିହାସ ଏମିତି ଅନେକ ମାହାମାରୀକୁ ଦେଖିଛି। ଯେମିତି ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ପ୍ଲେଗ୍- ଯାହା ବିଶ୍ଵରେ ବିଭିନ୍ନ ଦେଶର ଗର୍ବ ଓ ଅହଙ୍କାରକୁ ମାଟିରେ ମିଶାଇ ଦେଇଥିଲା।
ପ୍ରକୃତିକୁ ବୁଝିଲେ ହିଁ ବିକାଶ ସମ୍ଭବ
ବର୍ତ୍ତମାନ କରୋନା ସହ ଲଢ଼ୁଥିବା ଇଟାଲୀକୁ ନେଇ ୧୯୬୦ ଦଶକରେ ଏକ ଗୋଷ୍ଠୀ ନିର୍ମାଣ ହୋଇଥିଲା ଯାହାର ନାଁ ଥିଲା ‘କ୍ଲବ୍ ଅଫ୍ ରୋମ୍’ । ବିଶ୍ଵର ଅଧିକାଂଶ ବୈଜ୍ଞାନିକ, ଅର୍ଥନୀତିଜ୍ଞ, ଶିଳ୍ପପତି ଏବଂ ରାଜନେତା ଏହି କ୍ଲବ୍ର ସଦସ୍ୟ। ଏହି ଗ୍ରୁପ୍ ୧୯୭୨ ମସିହାରେ ଏକ ରିପୋର୍ଟ ପ୍ରଦାନ କରିଥିଲା ଯାହାର ନାଁ ଥିଲା ‘ଡେଭେଲପ୍ମେଣ୍ଟ ଲିମିଟ୍ସ’ ବା ବିକାଶର ସୀମା। ଏହା ସ୍ପଷ୍ଟ କରିଥିଲା ଯେ, ବିକାଶର ମଧ୍ୟ ସୀମା ରହିଛି। ବିଶ୍ଵର ସନ୍ତୁଳନକୁ ଏହି ବିକାଶ ନଷ୍ଟ କରିବା ଉଚିତ ନୁହେଁ। ଏହି ଗ୍ରୁପ୍ ଏହା ମଧ୍ୟ କହିଥିଲା ଯେ, ଏବେ ଯେଉଁ ଭାବେ ଜନସଂଖ୍ୟାର ବିସ୍ଫୋରଣ ହେଉଛି ତାହା ଆମର ପ୍ରକୃତିର ଭାରସାମ୍ୟକୁ ରକ୍ଷା କରିପାରିବ ନାହିଁ। ପୁଣି ୨୧୦୦ ମସିହା ପରେ ବିକାଶ ଏହିଭଳି ତ୍ଵରାନ୍ବିତ ଗତିରେ ଚାଲିପାରିବ ନାହିଁ। ଆମେ ଗବେଷଣାରେ ଅର୍ଥ ଖର୍ଚ କରୁନାହୁଁ, ତାନୁହେଁ, ବରଂ କୋଟି କୋଟି ଟଙ୍କା ଖର୍ଚ କରି ମଧ୍ୟ ଆମେ ଏହିପରି ଅଦେଖା ଅଣୁଜୀବକୁ ନିୟନ୍ତ୍ରଣ କରିବା ଲାଗି ସମର୍ଥ ହୋଇପାରୁ ନାହୁଁ। ଆମେ ଏଯାଏ ମ୍ୟାଲେରିଆ ଲାଗି ଠିକଣା ଭ୍ୟାକ୍ସିନ୍ ଉଦ୍ଭାବନ କରିପାରି ନାହୁଁ। ମିଳିମିଳା ପରି ରୋଗ ବିଭିନ୍ନ ଦେଶରେ ବାରମ୍ବାର ନିଜର ତାଣ୍ଡବ ଦେଖାଉଛି ଏମିତି କି ଇଂଲଣ୍ଡରେ ମଧ୍ୟ। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିବା ସ୍ଵଭାବିକ ଯେ, ବିଶ୍ବରେ ଅଣୁଜୀବଙ୍କୁ ନେଇ କି ଗବେଷଣା ହେଉଛି? ଯଦିଓ ଆମେ ଏ ବିଷୟକୁ ବିଜ୍ଞାନ ଓ ଟେକ୍ନୋଲୋଜି ବୋଲି କହୁଛୁ କିନ୍ତୁ ଅଧିକାଂଶ ଛାତ୍ର କେବଳ ଟେକ୍ନୋଲୋଜି ଆଡ଼କୁ ମୁହାଁଇଛନ୍ତି। କଲେଜ୍ ସରିବା କ୍ଷଣି ସେମାନେ କିପରି ଟେକ୍ନୋଲୋଜି କ୍ଷେତ୍ରରେ ଚାକିରି ପାଇବେ ଏବଂ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବେ ସେଥିଲାଗି ଆଗ୍ରହ ଦେଖାଉଛନ୍ତି। ଏହି ‘ଇନ୍ଷ୍ଟାଣ୍ଟ’ ଯୁଗରେ କାହା ପାଖରେ ସମୟ କି ଧୈର୍ଯ୍ୟ ନାହିଁ। ଗବେଷଣାରେ ଦୀର୍ଘ ବର୍ଷ ବିତାଇବ କିଏ!
ବିକାଶର ଫଳ ସମସ୍ତଙ୍କ ପାଖରେ ପହଞ୍ଚିବା ଦରକାର
ସମ୍ପ୍ରତି ସରକାର ତଥା ରାଷ୍ଟ୍ରର ମୁଖ୍ୟମାନେ କିପରି ଆଗକୁ ନିର୍ବାଚନ ଜିତିବେ, ବାଣିଜ୍ୟ ସମ୍ପର୍କ କିପରି ବଢ଼ିବ, ଯୁଦ୍ଧ ଜିତିବେ ଏବଂ ସାରା ବିଶ୍ଵକୁ କିପରି ନିଜ କବଳରେ ରଖିବେ ସେଥିନେଇ ଚିନ୍ତିତ। କିଏ ଏ ମାନବ ସମାଜର ତିଷ୍ଠିବା ନେଇ ଚିନ୍ତା କରୁଛି ବା ନିଜର ବିଶାଳ ହୃଦୟକୁ ଦର୍ଶାଉଛି! ଆମେ କେବଳ ଆମର ଶତ୍ରୁକୁ ହରାଇବା ବା ଗଣ ହତ୍ୟା କରିବା ଲାଗି ଅସ୍ତ୍ରଶସ୍ତ୍ର ତିଆରି କରୁଛୁ, ଟେକ୍ନୋଲୋଜି ବ୍ୟବହାର କରି ତାହାକୁ ଡ୍ରୋନ୍ ସହାୟତାରେ ପରିଚାଳନା କରୁଛୁ କିନ୍ତୁ ଲୋକଙ୍କ ସ୍ଵାସ୍ଥ୍ୟ କ୍ଷେତ୍ରର ବିକାଶ ଲାଗି ସମୟଦେବା ଲାଗି ଆମ ପାଖରେ ନିମିଷକଟିଏ ବି ନାହିଁ। ସବୁଠାରୁ ବଡ଼ ସମସ୍ୟା ଏହି ମୁହୂର୍ତ୍ତରେ କ’ଣ ଜାଣନ୍ତି, ଆମର ବଡ଼ବଡ଼ ରାଜନୀତିକ ପଣ୍ଡିତମାନେ କେବଳ କିଛି ଅଯଥା ଚର୍ଚାରେ ନିଜକୁ ନିୟୋଜିତ କରି ରଖିଛନ୍ତି। ଅନେକ ମତବାଦ ଏବଂ ଆଦର୍ଶକୁ ପ୍ରଚାର କରିବାରେ ଲାଗିଛନ୍ତି। କିନ୍ତୁ ଆମେ ଜାଣିବା ଦରକାର ଯେ, ମାନବ ସମାଜକୁ ବଞ୍ଚଇବା ଲାଗି ଏହି ତଥାକଥିତ ମତବାଦ ବା ତତ୍ତ୍ଵ କାମ ଦେବନାହିଁ। କୌଣସି ଧର୍ମ ମାନବିକତା ଧର୍ମଠୁ ବଡ଼ ନୁହେଁ। ଏହା ହିଁ ସତ୍ୟ, ସଭ୍ୟତାର ଇତିହାସ ଆମକୁ ବାରମ୍ବାର ଏହା କହି ଆସିଛି। ତେବେ କାହିଁକି କ୍ୟାପିଟାଲିଜିମ୍, କମ୍ୟୁନିଜିମ୍ ନାଁରେ ଏ କପଟ, ଛଳନା। କାହିଁକି ଆମେ ବାମ ପନ୍ଥୀ ଦକ୍ଷିଣ ପନ୍ଥୀ, ହିନ୍ଦୁ, ମୁସଲ୍ମାନ, ଖ୍ରୀଷ୍ଟିୟାନ୍? ଏବେ ସମୟ ଆସିଛି ଆମେରିକା ଏବଂ ଚୀନ ଭଳି ବିକଶିତ ରାଷ୍ଟ୍ର ନିଜ ଭିତରେ ଆତ୍ମ ସମୀକ୍ଷା କରନ୍ତୁ। ସେମାନେ ଏହି ଜରୁରୀ ସମୟରେ ପରସ୍ପରର ନାଗରିକଙ୍କୁ ସହଯୋଗ କରିବେ ନା ନିଜ ନିଜ ସ୍ଵାର୍ଥ ହାସଲ ପାଇଁ ବିଶ୍ଵକୁ ଭାଗଭାଗ କରିବେ? ନାଗରିକଙ୍କ ଜୀବନଧାରଣର ମାନ ବୃଦ୍ଧି ନକରିବା ଯାଏ ବିକାଶର କିଛି ମୂଲ୍ୟ ନାହିଁ। ଯେଉଁ ବିକାଶରେ ନାଗରିକ ନିଜକୁ ଖାପ ଖୁଆଇ ପାରୁନାହିଁ କାହା ମୂଲ୍ୟହୀନ। କୌଣସି ବାଛ ବିଚାର ବିନା ଏବେ ବିଶ୍ଵର ସମସ୍ତ ରାଷ୍ଟ୍ର ସୂକ୍ଷ୍ମ ଏବଂ ନୀଚ୍ଚ ରାଜନୀତିକ ଆଦର୍ଶରେ ବନ୍ଧା ପଡ଼ିଛନ୍ତି। ଅତିକମ୍ରେ ଏବେ ସବୁ ରାଷ୍ଟ୍ର ପାଇଁ ବିସ୍ତୃତ ଜନସ୍ଵାସ୍ଥ୍ୟ ନୀତି ସବୁଠାରୁ ଅଧିକ ଗୁରୁତ୍ଵ ପାଇବା ଦରକାର। ଏକ ସୁସ୍ଥ ବିଶ୍ଵକୁ ପ୍ରାଥମିକତା ଦେଇ ଦେଶମାନେ ଜନ ସ୍ଵାସ୍ଥ୍ୟ କ୍ଷେତ୍ରର ବିକାଶ ଲାଗି ଏକୁଟିଆ ବା ଅନ୍ୟର ସହଯୋଗରେ ନିବେଶ କରିବା ଦରକାର। ଯେତେବଳେ କୌଣସି ରାଷ୍ଟ୍ର କରୋନା ଭଳି ମହାମାରୀର ସମ୍ମୁଖୀନ ହେଉଛି ସେତେବେଳେ ସବୁ ବିବାଦ, ମତାନ୍ତରକୁ ପଛରେ ପକାଇ ପରସ୍ପରର ସହଯୋଗ ପାଇଁ ରାଷ୍ଟ୍ରଗୁଡ଼ିକ ହାତ ବଢ଼ାଇବା ଜରୁରୀ। ବିପଦକୁ ଟାଳିବା ପାଇଁ ନିଜ ନିଜର ଜ୍ଞାନ କୌଶଳକୁ ବିତରଣ କରିବା ଦରକାର। ସନ୍ଦେହ, ଆରୋପ ଏବଂ ବିଶ୍ଵାସଘାତକତା ମାନବ ସମାଜର ବଡ଼ ଶତ୍ରୁ। ଏହା ମାନବ ସମାଜର ସୁଖ ଏବଂ ଉନ୍ନତିର ପ୍ରଧାନ ବାଧକ ଏହା ଆମକୁ ଜାଣିବାକୁ ହେବ। କୋରୋନା ଆମକୁ ଜଣେ ବ୍ୟକ୍ତି ଏବଂ ମାନବ ସମାଜ ଭାବେ ଆମ ଜୀବନଯାପନ ବାବଦରେ ଚିନ୍ତା କରିବାକୁ ସୁଯୋଗ ଦେଇଛି। ଏହା ପ୍ରମାଣିତ କରିଦେଇଛି ଯେ, ପ୍ରକୃତି ଆଗରେ ଆମେ ତୁଚ୍ଛ ପ୍ରାୟ। ଏଣୁ ରୋବଟ, କୃତ୍ରିମ ବୁଦ୍ଧିମତ୍ତା ଓ ଭର୍ଚୁଆଲ୍ ରିଆଲିଟି ସହ ବଞ୍ଚିବା ପୂର୍ବରୁ ପ୍ରଥମେ ଶିଖିବାକୁ ହେବ ଯେ, ମାନବ ସମାଜ ତିଷ୍ଠି ରହିବା ପାଇଁ ପ୍ରକୃତି ଓ ଏହାର ସୃଷ୍ଟି ଭାବେ ଅନ୍ୟ ଜୀବଜନ୍ତୁଙ୍କ ସହ ବଞ୍ଚି ରହିବା ଏକ ଜରୁରୀ ଆବଶ୍ୟକତା। ଯଦି ଆମେ ଏହି ବାସ୍ତବତାକୁ ଭୁଲିଯିବା ତେବେ ଆଗକୁ ମରଣାନ୍ତକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଆମେ ବାଧ୍ୟ ହେବା। ଅର୍ଥାତ୍ ଆଗକୁ ଯେତେବଳେ କିଏ ଇତିହାସର ପୃଷ୍ଠା ଓଲଟାଇବ ସେ ଖ୍ରୀଷ୍ଟ ପୂର୍ବ ବା ଖ୍ରୀଷ୍ଟାବ୍ଦ ନକହି ସମୟର କ୍ୟାଲେଣ୍ଡରକୁ କରୋନା ପୂର୍ବ ଓ କରୋନା ପର ସମୟ ବୋଲି ଅଭିହିତ କରିବ। କରୋନା ଆକ୍ରମଣ ପୂର୍ବରୁ ଆମେ ଭଲ ନଥିଲୁ ନିଶ୍ଚୟ କିନ୍ତୁ ଅତି କମ୍ରେ ଏହି ସମୟରେ ଆମେ ଉନ୍ନତ ମାନବ ସମାଜର ଅଙ୍ଗ ଭାବେ ତ ନିଜକୁ ପରିଗଣିତ କରିବାକୁ ଚେଷ୍ଟା କରିପାରିବା, ନୁହେଁ କି?
ଭୁତାଣୁ ଦ୍ଵାରା ପ୍ରଭୁତ କ୍ଷତି
ନାଁ ଭିନ୍ନ ଭିନ୍ନ ହୋଇପାରେ କିନ୍ତୁ ଏହି ଭୁତାଣୁ ଜନିତ ମୃତ୍ୟୁ ସଂଖ୍ୟା ଗଲା ଦୁଇ ତିନି ଦଶକରେ ଯଥେଷ୍ଟ ବଢ଼ିଛି। ଏହା ପୂର୍ବରୁ ଏତେ ନଥିଲା। ସାର୍ସ ହେଉ ବା ସ୍ଵାଇନ୍ ଫ୍ଲୁ, ଏବୋଲା, ମର୍ସ, ଜାଇକା, ୟେଲୋ ଫିଭର ପ୍ରଭୃତି ମାନବ ସମାଜ ପାଇଁ ବିପଦ ସାବ୍ୟସ୍ତ ହୋଇଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପ୍ରତି ମାସରେ ୫୦୦୦ ନୂଆ ଲକ୍ଷଣ ଜାଣିବାକୁ ପାଉଛି। ଏସବୁ ଏପରି ମୁତାଣୁ ଆକ୍ରମଣର ଗୋଟିଏ ଗୋଟିଏ ସୂଚନା। ବିଶ୍ଵବ୍ୟାଙ୍କ ଆକଳନ ଅନୁସାରେ ପ୍ରତିବର୍ଷ ପୃଥିବୀର ବିଭିନ୍ନ କୋଣରେ ଯେଉଁ ମହାମାରୀ ହେଉଛି ସେଥିରେ ବାର୍ଷିକ ୫୭ ବିଲିୟନ୍ ଡଲାରର ଅର୍ଥନୀତି କ୍ଷତି ହେଉଛି। ଏହା ଭୁଲ୍ ହେବ ଯଦି ଆମେ ଭାବୁଥିବା ଯେ ଦେଶ ଦେଶ ଭିତରେ ହେଉଥିବା ଯୁଦ୍ଧ ଦ୍ଵାରା ପ୍ରଭୁତ କ୍ଷତି ହେଉଛି। ଯଦି ଚତୁରତାର ସହ ଆମେ ଏହି ଅଣୁ ଜୀବଙ୍କ ସହ ଲଢ଼େଇକୁ ବିଚାର ନକରିବା ତେବେ ହୁଏତ ଏହା ବିପକ୍ଷରେ ଖର୍ଚ ଆହୁରି କେତେଗୁଣ ବଢ଼ିଯିବ ତାହା କହିବା ସମ୍ଭବ ନୁହେଁ!