ଜୟପୁର: ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସିକୁ ସାରା ଦେଶରେ ବିରୋଧ କରାଯାଉଛି । ଗୋଟେ ପଟେ ବିଜେପି ଓ ତାର ଦଳୀୟ ସଦସ୍ୟ ଏହାକୁ ସମର୍ଥନ କରି ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି । ଅନ୍ୟପଟେ କଂଗ୍ରେସ ଏହାକୁ ଜୋରସୋର ବିରୋଧ କରୁଛି । ଇତିମଧ୍ୟରେ ରାଜସ୍ଥାନର ସୀକର ଅଞ୍ଚଳର ଜଣେ ଯୁବକ ସିଏଏ ଏବଂ ଏନଆରସିକୁ ନୂତନ ଢଙ୍ଗରେ ସମର୍ଥନ କରିଛନ୍ତି । ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଏହି ଯୁବକ ଜଣକ ନିଜ ବିବାହ କାର୍ଡ ଜରିଆରେ ସିଏଏ ଏବଂ ଏନଆରସିକୁ ସମର୍ଥନ କରୁଥିବା ଘୋଷଣା କରିଛନ୍ତି ।
ଯୁବକ ଜଣକ ନିଜ ବିବାହ କାର୍ଡରେ ‘ମୁଁ ସିଏଏ ଏବଂ ଏନଆରସିକୁ ସମର୍ଥନ କରୁଛି’ ଲେଖା ଛାପିଛନ୍ତି । ସୀକରର ରଣୀ ସତୀ ରୋଡ ଅଞ୍ଚଳରେ ବାସ କରୁଥିବା ଅମିତ ଖଣ୍ଡେୱାଲ ଫେବୃଆରୀ 9 ତାରିଖରେ ବିବାହ ହେବାକୁ ଯାଉଛନ୍ତି । ଅମିତ ନିଜ ବିବାହ କାର୍ଡ ଏବେଠାରୁ ଛାପିଦେଇଛନ୍ତି । ଏହି ସମସ୍ତ କାର୍ଡରେ ସିଏଏ ଏବଂ ଏନଆରସିକୁ ସର୍ମଥନ କରୁଛି ବୋଲି ଲେଖାଯାଇଛି । ଏହାସହ ଏହି କାର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଏବଂ ସ୍ବଚ୍ଛ ଭାରତ ଅଭିଯାନର ଲୋଗୋ ମଧ୍ୟ ଛପାଯାଇଛି । ଏପରି କରିବାର କାରଣ କେବଳ ଲୋକଙ୍କୁ ଏସମସ୍ତ ବିଷୟରେ ସଚେତନା କରିବା ବୋଲି କହିଛନ୍ତି ଅମିତ ।
ଅମିତଙ୍କ କହିବା କଥା ହେଲା ନରେନ୍ଦ୍ର ମୋଦି ଏବଂ ଅମିତ ଶାହ ଦେଶର ହିତ ପାଇଁ ବହୁତ ଭଲ ଭଲ ପଦକ୍ଷେପ ଗ୍ରହଣ କରିଛନ୍ତି । କିନ୍ତୁ ଦେଶରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି । ଏହି ଆଇନକୁ ନେଇ ଲୋକଙ୍କ ମଧ୍ୟରେ ଜାଗ୍ରତ କରିବା ନିହାତ ଆବଶ୍ୟକତା ରହିଛି । ତେଣୁ ବିବାହ କାର୍ଡ ଜରିଆରେ ଲୋକଙ୍କ ଗହଣରେ ଏପରି ସଚେତନତାର ବାର୍ତ୍ତା ପଠାଇବାର ଛୋଟିଆ ପ୍ରୟାସ ବୋଲି କହିଛନ୍ତି ଅମିତ ।