ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ନିର୍ଭୟା ଭଳି ଅମାନବୀୟ କାଣ୍ଡ । ଦିଲ୍ଲୀରେ ଜଣେ 12 ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଦିଲ୍ଲୀର ପଶ୍ଚିମ ବିହାର ୱେଷ୍ଟର ପିରାଗଡି ଅଞ୍ଚଳରେ ଏଭଳି ଘଟଣା ଘଟିଛି । ନାବାଳିକା ଜଣକ କୋଠରୀରେ ଏକୁଟିଆ ଥିବାର ସୁଯୋଗ ନେଇ ତାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ନାବାଳିକା ଏହାକୁ ବିରୋଧ କରିବାରୁ ଏକ କଇଁଚି ସାହାଯ୍ୟରେ ତା ମୁଣ୍ଡ ସହିତ ବିଭିନ୍ନ ଅଙ୍ଗକୁ ଖଣ୍ଡିଆ ଖାବରା କରାଯାଇଛି। ରକ୍ତ ଯୁଡୁବୁଡୁ ହୋଇଥିବା ଝିଅଟିର ମୃତ୍ୟୁ ହୋଇଥିବା ସନ୍ଦେହ କରି ଅଭିଯୁକ୍ତ ସେଠାରୁ ଫେରାର୍ ହୋଇଯାଇଥିଲା।
ତେବେ ପିଡୀତାକୁ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ସେ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ତେବେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ ଆଜି ଏମ୍ସ ପହଞ୍ଚି ପୀଡିତା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି । ଏଥିସହ ପୀଡିତାଙ୍କ ଅବସ୍ଥା ସମ୍ପର୍କରେ ଡାକ୍ତରଙ୍କଠାରୁ ସୂଚନା ନେଇଛନ୍ତି।
ତେବେ ଏହି ମାମଲାରେ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛି ମହିଳା ଆୟୋଗ । ବର୍ତ୍ତମାନ ଏହି ପ୍ରସଙ୍ଗରେ ଆୟୋଗ ଦିଲ୍ଲୀ ପୋଲିସକୁ ସମନ ଜାରି କରିବ ବୋଲି ସ୍ବାତୀ ମାଲିୱାଲ କହିଛନ୍ତି । ଏହାପୂର୍ବରୁ ଏକ ବିଜ୍ଞପ୍ତି ଜାରି କରି ଏହି ଘଟଣାର ଉତ୍ତର ଦେବା ପାଇଁ ଦିଲ୍ଲୀ ପୋଲିସକୁ କୁହାଯାଇଛି । ଘଟଣାର 2 ଦିନ ପରେ ମଧ୍ୟ ଏହି ମାମଲାରେ ଦିଲ୍ଲୀ ପୋଲିସ କାହାକୁ ଗିରଫ କରିନାହିଁ । ଏହା ବ୍ୟତୀତ ଅଭିଯୁକ୍ତର ପରିଚୟ ଏବେ ସୁଦ୍ଧା ମିଳିପାରିନାହିଁ । ଦିଲ୍ଲୀ ପୋଲିସ ଏବାବଦରେ କିଛି କରିବାକୁ ସକ୍ଷମ ନୁହେଁ ବୋଲି ମହିଳା ଆୟୋଗ କହିଛି । ସେପଟେ ଏହି ମାମଲାରେ ଦିଲ୍ଲୀ ପୋଲିସ ପରେ ଡିସିପିଙ୍କୁ ସମନ ଜାରି କରିଛି ଦିଲ୍ଲୀ ମହିଳା ଆୟୋଗ ।
ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ପୀଡିତାର ମା-ବାପା ଘରେ ନଥିବା ବେଳେ ତା ସହ ଏଭଳି ଅମାନବିୟ କାଣ୍ଡ ଘଟାଇଛି ଅଭିଯୁକ୍ତ । ତେବେ ପୀଡିତା ଘଟଣା ପରେ ଘରୁ ବାହାରି ପଡୋଶୀଙ୍କୁ ଏବାବଦରେ କହିଥିଲା । ଏହି ସମୟରେ ତା ଶରୀରର ବିଭିନ୍ନ ସ୍ଥାନରୁ କ୍ରମାଗତ ରକ୍ତସ୍ରାବ ହେଉଥିଲା । ପଡୋଶୀମାନେ ମଧ୍ୟ ଝିଅର ଅବସ୍ଥା ଦେଖି ଭୟଭୀତ ହୋଇଯାଇଥିଲେ ଏବଂ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ। ଏହାପରେ ପଡୋଶୀମାନେ ଏହି ଘଟଣା ସମ୍ପର୍କରେ ତାଙ୍କ ପିତାମାତାଙ୍କୁ ମଧ୍ୟ ଜଣାଇଥିଲେ।
ପୀଡ଼ିତାର ଗୁପ୍ତାଙ୍ଗରେ ଜୋର ଆଘାତ ଲାଗିଥିବା ଡାକ୍ତରୀ ପରୀକ୍ଷାରେ ଜଣାପଡ଼ିଛି । ପୋଲିସ ଅଧିକାରୀଙ୍କ କହିବାନୁସାରେ, ବିଲଡିଂରେ ରହୁଥିବା ସମସ୍ତ ଲୋକଙ୍କୁ ପଚାରା ଉଚାରା କରାଯାଇଛି। ନିକଟସ୍ଥ ସିସିଟିଭି କ୍ୟାମେରା ମଧ୍ୟ କଏଦ ହୋଇଛି। ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।