ବିଶ୍ଵର ୬୨ ଲକ୍ଷ ଲୋକଙ୍କ ସଙ୍ଗେ ମୃତ୍ୟୁର ଖେଳ ଖେଳୁଥିବା କରୋନା ଭୁତାଣୁ ହେତୁ ଏବେ ପ୍ରାୟ ୩ ଲକ୍ଷ ୭୧ ହଜାର ଲୋକଙ୍କ ମୃତ୍ୟୁ ଘଟିଲାଣି। ଏହି ମହାମାରୀର ଭୟାବହତାକୁ ରୋକିବା ଲାଗି ବିଭିନ୍ନ ଦେଶ ଦୁଇ ସପ୍ତାହ ଲକ୍ଡାଉନ୍ କଟକଣା ଆପଣାଇଛନ୍ତି। ଯାହାଦ୍ଵାରା କୋରୋନା ଭୁତାଣୁ ସଂକ୍ରମଣକୁ କିଛି ପରିମାଣରେ ରୋକାଯାଇ ପାରିଛି। ଏପରିକି ଏହି ଭୁତାଣୁ ଗଲା କିଛିଦିନ ହେଲା ଶୁପ୍ତ ଅବସ୍ଥାରେ ରହିଛି କହିଲେ ଭୁଲ୍ ହେବ ନାହିଁ। କିନ୍ତୁ ଏହି ଲକ୍ଡାଉନ୍ ପ୍ରଭାବରେ ବିଶ୍ଵ ଅର୍ଥନୀତି ପଥଚ୍ୟୁତ ହୋଇଛି ଏବଂ ସମଗ୍ର ବିଶ୍ଵ ଆର୍ଥିକ ମାନ୍ଦାବସ୍ଥା ଆଡ଼କୁ ଗତି କରିଛି। ପରିସ୍ଥିତି ଏପରି ହୋଇଛି ଯେ, ଅର୍ଥନୀତି ବିପର୍ଯ୍ୟୟକୁ ପଛରେ ପକାଇ ସମଗ୍ର ବିଶ୍ଵ ଏବେ ଲୋକଙ୍କ ଜୀବନ ଓ ଜୀବିକା ବଞ୍ଚାଇବାକୁ ଅଧିକ ଗୁରୁତ୍ଵ ଦେଉଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଯେତେବେଳେ ଭାରତ ୬୦୦ କୋରୋନା ଭୁତାଣୁ ଆକ୍ରାନ୍ତଙ୍କୁ ଚିହ୍ନଟ କଲା ସେତେବେଳେ ଦେଶ ବ୍ୟାପୀ ଲକ୍ଡାଉନ୍ ଘୋଷଣା କରିଲା। ଏହା ମାର୍ଚ ୨୫ ତାରିଖର ଘଟଣା।
ଏହା ପରେ ପ୍ରାୟ ୧୦ ସପ୍ତହ ଧରି ଭାରତରେ ଲକ୍ଡାଉନ ଜାରି ରହିଥିଲେ ମଧ୍ୟ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ହାରାହାରି ୮ ହଜାର ଟପିଛି। କିନ୍ତୁ ପରିସ୍ଥିତିକୁ ସ୍ଵଭାବିକ କରିବାକୁ ଯାଇ ସରକାର ଲକ୍ଡାଉନ୍କୁ କେବଳ ଅବରୋଧ ଅଞ୍ଚଳରେ ସୀମିତ ରଖିବା ଲାଗି ଘୋଷଣା କରିଛନ୍ତି। ଏହାଛଡ଼ା ପର୍ଯ୍ୟାୟ ଅନୁସାରେ ଲକ୍ଡାଉନ୍ କଟକଣାକୁ ଉଠାଉଛନ୍ତି। ଚଳିତ ମାସ ୮ ତାରିଖରୁ ଧାର୍ମିକ ସ୍ଥଳ, ହୋଟେଲ୍, ସେବା ସଂସ୍ଥା ଓ ଶପିଂ ମଲ୍କୁ ଖୋଲିବା ଲାଗି ସରକାର ଆଦେଶ ଦେଇଛନ୍ତି। ପୁଣି ଶିକ୍ଷାନୁଷ୍ଠାନ, ସିନେମା ହଲ୍, ମେଟ୍ରୋ ଟ୍ରେନ୍ ସେବା ଓ ଆନ୍ତର୍ଜାତୀୟ ବିମାନ ସେବାକୁ ଆସନ୍ତା ମାସରେ ଆଲୋଚନା କରାଯାଇ ପର୍ଯ୍ୟାୟ ଭିତ୍ତିରେ ଖୋଲିବା ଲାଗି ନିଷ୍ପତ୍ତି ନିଆଯିବ। ସମଗ୍ର ଲସିଆ ମହାଦେଶରେ ଏବେ ଭାରତ କୋରୋନା ଭୁତାଣୁ ସଂକ୍ରମଣରେ ସର୍ବାଧିକ ରହିଛି। ଏଠାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧.୯ ଲକ୍ଷ ଟପିଛି।
ଯେହେତୁ ଏହି ସଂକ୍ରମଣ ୭୦ ପ୍ରତିଶତ ଦେଶର ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ, ଅହମ୍ମଦାବାଦ, ଥାନେ, ହାଇଦ୍ରାବାଦ୍ ଭଳି ୧୩ଟି ସହରରେ ଅବରୋଧ ରହିଛି ଏଣୁ କେନ୍ଦ୍ର ସରକାର ପର୍ଯ୍ୟାୟ ଭିତ୍ତିରେ ଲକ୍ଡାଉନ୍ ଉଠାଇବା ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏହି ସଙ୍କଟଜନକ ସ୍ଥିତିରେ ଲୋକଙ୍କୁ ସଚେତନ ରହି ନିଜ ସ୍ଵାସ୍ଥ୍ୟାବସ୍ଥାର ଯତ୍ନ ନେବାକୁ ଅନୁରୋଧ କରିଛନ୍ତି। ଏହା ସହ କହିଛନ୍ତି ଯେ, ଲୋକଙ୍କ ସ୍ଵାସ୍ଥ୍ୟ ସୁରକ୍ଷାକୁ ଲୋକେ ନିଜେ ସତର୍କତାର ସହ ରକ୍ଷା କରି ଦେଶର ଅର୍ଥନୀତିକ କାର୍ଯ୍ୟକ୍ରମରେ ଯୋଗ ଦେବା ଉଚିତ। କାରଣ ସବୁବେଳେ ଓ ସବୁ ସ୍ଥାନରେ ଅର୍ଥନୀତିକ କାର୍ଯ୍ୟକଳାପକୁ ସବୁଦିନ ପାଇଁ ବନ୍ଦ କରିହେବ ନାହିଁ। ଏହାଦ୍ଵାରା ଦେଶରେ କୋରୋନା ସଂକ୍ରମଣ ଆଶଙ୍କା ଅନେକ ପରିମାଣରେ ବଢ଼ିଛି। ଆମ ଦେଶରେ କରୋନା ଜନିତ ମୃତ୍ୟୁ ହାର ୨.୮ ପ୍ରତିଶତ ରହିଥିବା ବଳେ ୪୭ ପ୍ରତିଶତ ଆକ୍ରାନ୍ତ ଏବେ ସୁସ୍ଥ ହୋଇଛନ୍ତି। ଏହି ତଥ୍ୟକୁ ଉପସ୍ଥାପନ କରି କେନ୍ଦ୍ର ସରକାର କହୁଛନ୍ତି ଯେ, ଲକ୍ଡାଉନ୍ ଦ୍ଵାରା ଭାରତକୁ ଅଭୁତପୂର୍ବ ସଫଳତା ମିଳିଛି।
ଭାରତ ଭଳି ଏକ ଦେଶ ଯେଉଁଠାରେ ଦୁର୍ବଳ ସ୍ଵାସ୍ଥ୍ୟସେବା ବ୍ୟବସ୍ଥା ଏବଂ ସ୍ଵଳ୍ପ ସଂଖ୍ୟକ ଡାକ୍ତରଖାନା ପାଇଁ ବିଶ୍ଵର ଅନ୍ୟ ଦେଶମାନେ ସମାଲୋଚନା କରନ୍ତି ସେଠାରେ କୋରୋନା ଭୁତାଣୁ ଯଥେଷ୍ଟ ପ୍ରଭାବ ପକାଇବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା ତାହା ଏହି ଲକ୍ଡାଉନ୍ କଟକଣା ଦୂର କରିଛି। ବିଶ୍ଵର ପ୍ରତି ୧୦ ଲକ୍ଷ କୋରୋନା ସଂକ୍ରମଣ ବ୍ୟକ୍ତିଙ୍କ ଭିତରୁ ଯୁକ୍ତରାଷ୍ଟ୍ର ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୫୧୯୭ ଥିବାବେଳେ ୩୮୨୫ ଜଣ ହେଉଛନ୍ତି ଇଟାଲୀର। କେବଳ ୧୧୭ ଜଣ ହେଉଛନ୍ତି ଭାରତର! ଅବଶ୍ୟ ଏହି ଏହି କମ୍ ସଂଖ୍ୟା ପାଇଁ କମ୍ ସଂଖ୍ୟକ ଟେଷ୍ଟିଂକୁ ଦାୟୀ କରାଯାଉଛି।
ଆମେରିକାରେ ଭାରତ ଅପେକ୍ଷା ୧୯ ଗୁଣା ଅଧିକ ଲୋକଙ୍କ ପରୀକ୍ଷଣ କରାଯାଇଥିବା ବଳେ ଇଟାଲୀରେ ୨୫ ଗୁଣା ଅଧିକ ପରୀକ୍ଷଣ କରାଯାଉଛି। ଏହା ବି ଏକ ଯଥାର୍ଥ କାରଣ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ନିକଟରେ ଏହା ମଧ୍ୟ କହିଛନ୍ତି ଯେ, ଯେହେତୁ ଭୁତାଣୁ ସଂକ୍ରମଣ ହେଲା ପରେ ଏକ ଶରୀର ଅନେକ ସମୟରେ ଲକ୍ଷ୍ୟଣ ପ୍ରକାଶ କରେ ନାହିଁ ବା ଡେରିରେ ଲକ୍ଷଣ ପ୍ରକାଶ କରେ ସେତେବଳେ କୋଭିଡ୍କୁ ନିୟନ୍ତ୍ରଣ କରିବା ପାଇଁ ଅଧିକରୁ ଅଧିକ ସଂଖ୍ୟକ ପରୀକ୍ଷଣ ହିଁ ଏକ ଉଚିତ ମାଧ୍ୟମ। ଦକ୍ଷିଣ କୋରିଆ ଏ କ୍ଷେତ୍ରରେ ଆଗୁଆ ରହିଛି। ଭାରତଠାରୁ ୭ ଗୁଣା ଅଧିକ ପରୀକ୍ଷା କରୁଥିବା ଦକ୍ଷଣି କୋରିଆରେ ସଂକ୍ରମଣ କିଛି ହଜାରରେ ସୀମିତ ରହିଥିବା ବଳେ ସଂକ୍ରମଣର ମାତ୍ର ଦୁଇ ପ୍ରତିଶତଙ୍କ ମୃତ୍ୟୁ ହୋଇଛି। ଯଦିଓ ଭାରତ ଦିନକୁ ଦେଢ଼ ଲକ୍ଷ କୋରୋନା ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷଣ ପାଇଁ ସକ୍ଷମ ତଥାପି ଆମ ଦେଶ ବିଶ୍ଵର ଅନ୍ୟ ୮୪ ଦେଶ ତୁଳନାରେ କୋରୋନା ସଂକ୍ରମଣ ପରୀକ୍ଷା କରାଇବାରେ ୭୧ ତମ ସ୍ଥାନରେ ରହିଛି। ରାଜ୍ୟଗୁଡ଼ିକ ଏହା ମଧ୍ୟ ଆଶଙ୍କା ରହିଛନ୍ତି ଯେ, ଯଦି କୋରୋନା ପରୀକ୍ଷଣକୁ ଅଧିକ ବଢ଼ାଯାଏ ତେବେ ଏହା ଅଯଥାରେ ଏକ ସମସ୍ୟା ସୃଷ୍ଟି କରିବ।
ଗୁଜରାଟ ହାଇକୋର୍ଟଙ୍କ ଆଡ୍ଭୋକେଟ୍ ଜେନେରାଲଙ୍କ ବକ୍ତବ୍ୟ ଅନୁସାରେ ଯଦି ପରୀକ୍ଷଣ ବ୍ୟାପକ କରାଯିବ ତେବେ ରାଜ୍ୟର ୭୦ ପ୍ରତିଶତ ଲୋକ କରୋନା ଭୁତାଣୁ ସଂକ୍ରମିତ ହୋଇଥିବା ଜଣାପଡ଼ିବ। ଏହାଦ୍ଵାରା ଜନସାଧାରଣରେ ଏକ ଅଦୃଶ୍ୟ ଆତଙ୍କ ସୃଷ୍ଟି ହେବ ।ଆଡ୍ଭୋକେଟ୍ ଜେନେରାଲ୍ଙ୍କ ଏହି ଉକ୍ତି ରାଜ୍ୟ ସରକାରଙ୍କ ଆଶଙ୍କାକୁ ପ୍ରତିପାଦନ କରୁଛି। ସରକାରମାନେ ଏହା ସ୍ଵୀକାର କରିବା ଆବଶ୍ୟକ ଯେ, ଏହିପରି ମହାମାରୀକୁ କେବଳ ସ୍ଵାସ୍ଥ୍ୟ ସେବାର ନିୟମିତ ସମ୍ପ୍ରସାରଣ ଏବଂ ବ୍ୟାପକ କୋରୋନା ପରୀକ୍ଷଣ ଦ୍ଵାରା ରୋକାଯାଇପାରିବ। ଲୋକମାନେ ମାସ୍କ ପିନ୍ଧିବାର ଗୁରୁତ୍ଵକୁ ଗ୍ରହଣ କରିବା ଆବଶ୍ୟକ। ପରସ୍ପର ଭିତରେ ଦୂରତ୍ଵ ରକ୍ଷା ସହ ସରକାରଙ୍କ ଦ୍ଵାରା ବିଭନ୍ନ ସମୟରେ ଦିଆଯାଉଥିବା ଆଦେଶକୁ ପାଳନ କରିବା ଦ୍ଵାରା ଲୋକଙ୍କ ଜୀବନ ବଞ୍ଚାଯାଇପାରିବ।