ଶ୍ରୀନଗର: ସିଆରପିଏଫର ପାଟ୍ରୋଲିଂ ପାର୍ଟି ଉପରକୁ ଆତଙ୍କୀ ହମଲା। ଜାମ୍ମୁକାଶ୍ମୀର ସୋପୋର ଅଞ୍ଚଳରେ ଆତଙ୍କୀ ମାନେ ଏଭଳି କାଣ୍ଡ କରିଛନ୍ତି। ଜାମ୍ମୁକାଶ୍ମୀର ପୋଲିସ ସମେତ ଜି 179 ସିଆରପିଏଫର ଯବାନ ମାନେ ନାକା କରୁଥିବା ବେଳେ ସକାଳ 7.35ରେ ଉକ୍ତ ଅଞ୍ଚଳରେ ଆତଙ୍କୀ ଆକ୍ରମଣ କରିଥିଲେ ।
ଖବର ଅନୁଯାୟୀ ଆତଙ୍କବାଦୀମାନେ ସିଆରପିଏଫ ଦଳ ଉପରକୁ ଗୁଳି ଚଳାଇବା ପରେ 4 ଜଣ ସିଆରପିଏଫ୍ କର୍ମଚାରୀ ଆହତ ହୋଇଛନ୍ତି। ଏହାସହ ଏକ 3 ବର୍ଷର ପିଲାଙ୍କୁ ଘଟଣାସ୍ଥଳରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି।
ସୂଚନା ଥାଉକି ଆହତ ସିଆରପିଏଫ ଦୁଇଜଣ କର୍ମଚାରୀଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଆକ୍ରମଣରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଡିଜିପି ଜାମ୍ମୁ କାଶ୍ମୀର ପୋଲିସର ଦିଲବାଗ ସିଂ କହିଛନ୍ତି, "ସୋପୋରର ମଡେଲ ଟାଉନରେ ଆତଙ୍କବାଦୀମାନେ ଏକ ନାକା ପାର୍ଟି ଉପରେ ଆକ୍ରମଣ କରିଥିଲେ। କିଛି ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଯବାନଙ୍କ ଆଘାତ ଏବଂ ଜଣେ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି।'' ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।