ହାଇଦ୍ରାବାଦ: ଦୀର୍ଘ 11 ଦିନ ହେବ ତେଲେଙ୍ଗାନାରେ ରାଜ୍ୟ ସଡ଼କ ପରିବହନ ନିଗମ(ଟିଏସଆରଟିସି)ରେ କାର୍ଯ୍ୟରତ କର୍ମଚାରୀଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନରେ ଏବେ ସାରା ରାଜ୍ୟ ଉଠୁଛିପଡୁଛି । ଏହା ଫଳରେ ତେଲେଙ୍ଗାନାରେ ବସ ସେବା ସହିତ ଯାତ୍ରୀ ପରିବହନ ବାଧାପ୍ରାପ୍ତ ହୋଇଛି । ତେବେ ଏହି ଆନ୍ଦୋଳନ ଚାଲିଥିବା ସମୟରେ ରାଜ୍ୟର ୱାରଙ୍ଗଲ ଜିଲ୍ଲାରେ ଜଣେ ଟିଏସଆରଟିସି କର୍ମଚାରୀ ଆତ୍ମହତ୍ୟା କରିଛନ୍ତି । ତାଙ୍କର ପରିଚୟ ମିଳିଛି । ସେ ହେଉଛନ୍ତି ସୁରେନ୍ଦ୍ର ଗୌଡ଼ (46) ।
ମୃତକ ଜଣକ ୱାରଙ୍ଗଲର ବଞ୍ଜାରେୱାଡୀ ସ୍ଥିତ ନିଜ ବାସଭବନରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏ ଘଟଣା ସମ୍ପର୍କରେ ତାଙ୍କର ପରିବାର ଲୋକେ ଜାଣିବା ପରେ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେପଟେ ପୋଲିସ ଏ ସମ୍ପର୍କରେ ଖବର ପାଇବା ପରେ ମୃତଦେହକୁ ଜବତ କରି ହାଇଦ୍ରାବାଦ ସ୍ଥିତ ଓସମାନିୟା ମେଡିକାଲ କଲେଜକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ତାଙ୍କର ପରିବାର ପକ୍ଷରୁ କୁହାଯାଇଛି, କିଛି ଦିନ ହେବ ସେ ନିଜ ଚାକିରୀକୁ ନେଇ ଚିନ୍ତିତ ଥିଲେ । ଶେଷରେ ଆତ୍ମହତ୍ୟା କରିଛନ୍ତି । ଏନେଇ ପରିବାର ଲୋକେ ସରକାରଙ୍କୁ ଦାୟୀ କରିଛନ୍ତି । ବିଗତ କିଛି ଦିନ ମଧ୍ୟରେ ସୁରେନ୍ଦ୍ରଙ୍କୁ ମିଶାଇ ମୋଟ 3 ଜଣ ଆତ୍ମହତ୍ୟା କରିସାରିଲେଣି । ଅନ୍ୟ ମୃତକଦ୍ବୟ ହେଉଛନ୍ତି ଖମାମ ଜିଲ୍ଲାର ଶ୍ରୀନିବାସ ରେଡ୍ଡୀ ଏବଂ ୱାରଙ୍ଗଲର ରବି ।
ବର୍ତ୍ତମାନ ଟିଏସଆରଟିସି ଆର୍ଥିକ ଦୃଷ୍ଟିକୋଣରୁ କ୍ଷତିରେ ଚାଲିଛି । ଟିଏସଆରଟିସି ମାସକୁ ପାଖାପାଖି 12 ଶହ କୋଟି ଟଙ୍କାର କ୍ଷତି ସହୁଛି । ଏଥି ଲାଗି ରାଜ୍ୟ ସରକାର 48 ହଜାର ଟିଏସଆରଟିସି କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଏହାର ପ୍ରତିବାଦରେ ଅନିର୍ଦ୍ଧିଷ୍ଟକାଳ ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି ବିଭାଗୀୟ କର୍ମଚାରୀ । ଏ ସମ୍ପର୍କରେ ମତ ରଖି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କହିଛନ୍ତି, ଆନ୍ଦୋଳନରତ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଦିଆଯାଇଥିଲା । ମାତ୍ର ଯେଉଁମାନେ କାର୍ଯ୍ୟରେ ଯୋଗ ଦେଇନାହାଁନ୍ତି, ସେମାନଙ୍କୁ ପୁନର୍ବାର କାର୍ଯ୍ୟରେ ଯୋଗ ଦେବାକୁ ଦିଆଯିବ ନାହିଁ ।