ତେଲେଙ୍ଗାନା: ଜିଦରେ ଅଟଳ ତେଲେଙ୍ଗାନା ରାଜ୍ୟ ସଡକ ପରିବହନ ନିଗମ (ଟିଏସଆରଟିସି) କର୍ମଚାରୀ। ଆଜି ସମଗ୍ର ରାଜ୍ୟରେ ଟିଏସଆରଟିସି କର୍ମଚାରୀଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଉଛି। ସମସ୍ତ ବିରୋଧି ଦଳ, କ୍ୟାବ ଡ୍ରାଇଭର, ଆଇନଜୀବୀ ଏବଂ ଛାତ୍ର ସଂଘ ଏହି ବନ୍ଦ ପାଳନରେ ସାମିଲ ହୋଇଛନ୍ତି। ସେପଟେ ଟିଏସଆରଟିସି ସହ ସହ ଆଲୋଚନା କରିବା ଲାଗି ତେଲେଙ୍ଗାନା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇଦ୍ରାବାଦ ହାଇକୋର୍ଟ।
ଟିଏସଆରଟିସିରେ କାର୍ଯ୍ୟରତ ମହିଳା କର୍ମଚାରୀ, ନାଲଗୋଣ୍ଡା ଜିଲ୍ଲାରେ ଥିବା ଏକ ବସଷ୍ଟାଣ୍ଡରେ କବାଡି ଖେଳି ଏକ ନିଆରା ଢଙ୍ଗରେ ସରକାରଙ୍କ ବିରୋଧରେ ସ୍ବରଉତ୍ତୋଳନ କରିଛନ୍ତି। ଏହା ସହିତ ଖମାମ ଜିଲ୍ଲାରେ ଚାଲିଥିବା ବନ୍ଦ ପାଳନକୁ ନେଇ ଜଣେ ଜେଏସି ନେତାଙ୍କୁ ପୋଲିସ ଗିରଫ କରିଛି।
ତେଲେଙ୍ଗାନା ରାଜ୍ୟ ସଡକ ପରବହନ ନିଗମ ଏବଂ ଏଥିରେ କାର୍ଯ୍ୟରତ ବିଭାଗୀୟ କର୍ମଚାରୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ ସହ ଖାଲି ପଡିଥିବା ବିଭିନ୍ନ ପଦରେ ନିଯୁକ୍ତି ପାଇଁ ବିଗତ 15 ଦିନ ଧରି ଅନିର୍ଦ୍ଦିଷ୍ଟକାଳ ପାଇଁ ଆନ୍ଦୋଳନକୁ ଓହ୍ଲାଛନ୍ତି ପ୍ରାୟ 50 ହଜାର ଟିଏସଆରଟିସି କର୍ମଚାରୀ। ରାଜ୍ୟରେ ଜାରି ରହିଥିବା ଆନ୍ଦୋଳନ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଆନ୍ଦୋଳନରତ ଟିଏସଆରଟିସି କର୍ମଚାରୀଙ୍କୁ ପୁନର୍ବାର ଚାକିରୀରେ ଯୋଗ ଦେବାକୁ ଦିଆଯିବ ନାହିଁ ବୋଲି କହିଥିଲେ ତେଲେଙ୍ଗେନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ।