ଗଲା କିଛିଦିନ ହେଲା ମୋ ପୁଅ କିଛି ଗୋଟେ ଜିନିଷ ଖାଉଛି। ଏହାଦ୍ଵାରା ସେ ପ୍ରତିଦିନ ଦଶ ଘଣ୍ଟାରୁ ଅଧିକ ସମୟ ଶୋଉଛି। ଯେତେବେଳେ ମୁଁ ସେ ବିଷୟରେ ଜାଣିବାକୁ ଚେଷ୍ଟା କଲି ସେତେବେଳେ ସେ ତାର ନିରୀହପଣ ମୋତେ ଦେଖାଇଲା। ପୂର୍ବରୁ ଏମିତି ଅଭ୍ୟାସ ତା’ର କେବେ ନଥିଲା। ରଚକୋଣ୍ଡା ପୁଲିସ ଷ୍ଟେସନ୍ରେ ଜଣେ ବାପା ଦ୍ଵାରା ଦାଖଲ ହୋଇଥିବା ଏତଲାର ଏହା ହେଉଛି ସାରାଂଶ। ସେହିପରି କିଛିଦିନ ତଳେ ହାଇସ୍କୁଲ୍ରେ ପଢ଼ୁଥିବା ଜଣେ ଝିଅର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟକୁ ତାଙ୍କ ମା’ ଦେଖିବାକୁ ସୁଯୋଗ ପାଇଲେ। ଏହାପରେ ସେ ଜାଣିଲେ ଯେ ତାଙ୍କ ଝିଅ କିଛି ଅଜଣା ଲୋକଙ୍କ ସହ ଚାଟ୍ କରୁଛି। ଆଉ ସେ ଗଞ୍ଜେଇ ସେବନ କରୁଛି। ଯେତେବେଳେ ମା’ ଏ ବିଷୟରେ ଝିଅକୁ ପଚରା ଉଚୁରା କଲେ ସେତେବେଳେ ଝିଅ ତାଙ୍କର ଖାଇବା ପିଇବା ବନ୍ଦ କରିଦେଲେ। ଜଣେ ୧୮ ବର୍ଷର ଯୁବକ, ଲକ୍ଡାଉନ୍ ସମୟରେଜାରି ହୋଇଥିବା କଟକଣାକୁ ଉଲ୍ଲଙ୍ଘନ କରିବାରୁ ପୁଲିସ ଜୋରିମାନା ଦେବାକୁ ବାଧ୍ୟ ହେଲେ। ଏହାପରେ ପରିବାର ଲୋକଙ୍କୁ ସେ କର୍କସ ବ୍ୟବହାର କଲେ। ଯେତେବେଳେ ତାଙ୍କ ମା’ ତାଙ୍କୁ ଏପରି ବ୍ୟବହାର ସମ୍ପର୍କରେ ପଚାରିଲେ ସେ ବାଧ୍ୟ ହୋଇ ସ୍ଵୀକାର କଲେ ଯେ ସେ ଜଣେ ଗଞ୍ଜେଇ ସେବନକାରୀ। ପରିବାର ଲୋକେ ଏହା ଜାଣିବା ପରେ ତାଙ୍କୁ ବୁଝା ସୁଝା କଲେ ଏବଂ ତାଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ଚିକିତ୍ସା ଲାଗି ନେଇଗଲେ।
ଗୋଟିଏ କି ଦୁଇଟି ନୁହେଁ, ଏପରି ଅନେକ ଉଦାହରଣ ରହିଛି, ଯେଉଁଥିରେ ପିଲାମାନଙ୍କ ଏପରି ଆଚାର ବ୍ୟବହାର ସାମ୍ନାକୁ ଆସିଛି। ଏଥିପାଇଁ ଲକ୍ଡାଉନ୍କୁ ଧନ୍ୟବାଦ, ଯେ ଏ ସମୟରେ ପିଲାମାନେ ସବୁବେଳେ ବାପା-ମା’ଙ୍କ ପାଖରେ ରହିବା ହେତୁ ସେମାନେ ପିଲାଙ୍କ ବଦଅଭ୍ୟାସ ବାବଦରେ ଜାଣିପାରିଲେ। ଯେଉଁମାନେ ଭାବୁଥିଲେ ଯେ, ତାଙ୍କ ପିଲାମାନେ କିଛି ଜାଣନ୍ତି ନାହିଁ ଏବଂ ସେମାନେ ବଡ଼ ନିରୀହ ଏବେ ସେମାନେ ବେଶ୍ ଭଲ ଭାବେ ତାଙ୍କ ଭିତରେ ଆସିଥିବା ପରିବର୍ତ୍ତନ ବାବଦରେ ଜାଣିପାରିଲେ। ଏହିପରି ଆଚରଣ ଦେଖି କିଛି ବାପା ମା’ ସେମାନଙ୍କ ପିଲାମାନଙ୍କୁ ନେଇ ମାନସିକ ଚିକିତ୍ସକଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଏହି ସମୟରେ ସେମାନେ ପିଲାମାନଙ୍କ ଏହିପରି ମାନସିକ ପରିବର୍ତ୍ତନ ଲାଗି ଲକ୍ଡାଉନ୍କୁ ଦାୟୀ କରିଛନ୍ତି। ଅପରପକ୍ଷେ ଡାକ୍ତରମାନେ ଏହାକୁ ଏକ ସାଧାରଣ ସମସ୍ୟା ବୋଲି କହିଛନ୍ତି। ୧୭ରୁ ୨୧ ବର୍ଷ ବୟସ୍କଙ୍କ ଭିତରେ ସେମାନେ ଏପରି ଅନେକ ପରିବର୍ତ୍ତନ ଦେଖିଥିବା କହିଛନ୍ତି। ଏଣୁ ଲକ୍ଡାଉନ୍ ସମୟରେ ସବୁଠାରୁ ଭଲ ସମୟ ଭାବେ ଅଭିହିତ କରି ସେମାନେ କହିଛନ୍ତି ଯେ, ଏହି ସମୟ ଅଭିଭାବକମାନଙ୍କୁ ସେମାନଙ୍କ ପିଲାମାନଙ୍କୁ ସୁସ୍ଥ କରିବା ଲାଗି ଏକ ଉଚିତ ସମୟ ଆଣିଛି ବୋଲି କହିଛନ୍ତି।
ଲକ୍ଡାଉନ୍ର ଏକ ସପ୍ତାହ ଯାଏ ସେମିତି କିଛି ବିଶେଷ ପରିବର୍ତ୍ତନ ପିଲାଙ୍କ ଭିତରେ ଦେଖିବାକୁ ମିଳି ନଥିଲା। କିନ୍ତୁ ଯେତେବେଳେ ଦିନକୁ ଦିନ ବିତିବାରେ ଲାଗିଲା ଏହିପରି ନିଶା ସେବନ କରୁଥିବା ଯୁବାବର୍ଗଙ୍କ ଭିତରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା। ଯେଉମାନେ ଗଞ୍ଜେଇ ଓ ସିଗାରେଟ୍ ସେବନ କରୁଥିଲେ ସେମାନେ ଘରେ ଡ୍ରଗ୍ ଖାଇବା ପରି ଭଳି ପରିସ୍ଥିତି ସୃଷ୍ଟି କରିଥିଲେ। ଯେଉଁ କିଶୋର ( ଟୀନ୍ ଏଜର୍)ମାନେ ପର୍ନ ସାଇଟ୍ ଦେଖୁଥିଲେ ସେମାନେ ଘରେ ଏକୁଟିଆ ପରିବେଶ ନ ମିଳିବାରୁ ପରିବାର ଲୋକଙ୍କ ଉପରେ ଚିଡ଼ଚିଡ଼ା ଭାବ ଦେଖାଉଥିଲେ। ଏହି ଲକ୍ଡାଉନ୍ ସମୟରେ କେବଳ ୨୦ ପ୍ରତିଶତ କିଶୋର ନଗ୍ନ ଛବି ଓ ଡ୍ରଗ୍ସ୍ ଅଭ୍ୟାସରେ ପଡ଼ିଛନ୍ତି। ବାକି ୮୦ ପ୍ରତିଶତ ବହୁ ପୂର୍ବରୁ ଏପରି ଅଭ୍ୟାସରେ ପୀଡ଼ିତ। ମାନସିକ ରୋଗ ବିଶେଷଜ୍ଞ ଡ. କଲ୍ୟାଣ ଚକ୍ରବର୍ତ୍ତି ଏହି ସମୟରେ ମତ ଦିଅନ୍ତି ଯେ, ଯୁବା ବର୍ଗଙ୍କୁ ଠିକଣା ରାସ୍ତାକୁ ଆଣିବା ଲାଗି ଏହା ହେଉଛି ପ୍ରକୃଷ୍ଟ ସମୟ। ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କ ଅଭ୍ୟାସକୁ ନେଇ ଧୈର୍ଯ୍ୟ ରଖିବା ଦରକାର। ଏହା ଜାଣିବା ଦରକାର ଯେ, କିଶୋର ବୟସରେ ଆଚାର ବ୍ୟବହାରରେ ପରିବର୍ତ୍ତନ ହୋଇଥାଏ। ହେଲେ ଏଥିରେ ଧେର୍ଯ୍ୟ ହରାଇ ବଳ ପୂର୍ବକ ଆଚରଣ କଲେ ଏହା ଆଗକୁ ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିବ। ଯଦି ପରିସ୍ଥିତି ଅଣାୟତ ହେଉଛି ତେବେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ।
ବିଶେଷଜ୍ଞଙ୍କ କହିବା ଅନୁସାରେ ବର୍ତ୍ତମାନର ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ଅଭିଭାବକମାନେ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟରେ ଯଥେଷ୍ଟ ବ୍ୟସ୍ତ ରହନ୍ତି। ସେମାନେ ପିଲାଙ୍କ ଭଲ ଓ ଭବିଷ୍ୟତ କଥାକୁ ଏହି ଅମୟରେ ଅବହେଳା କରିଥାଆନ୍ତି। ଅପରପକ୍ଷେ ଖରାପ ପ୍ରଭାବ ଏବଂ ଘରୋଇ ଲୋକଙ୍କ ଚାପ ଏହି ଯୁବା ମସ୍ତିଷ୍କ ଉପରେ ଯଥେଷ୍ଟ ପ୍ରଭାବ ପକାଉଛି। ଅନେକ କିଶୋର ସେମାନଙ୍କ ବାପା ମା’ ତଥା ଅନ୍ୟ ଅଭିଭାକଙ୍କ ବିନା ଘରେ ଏକୁଟିଆ ରହିଥାଆନ୍ତି। ବାସ୍ତବରେ କହିବାକୁ ଗଲେ ସ୍ମାର୍ଟ ଫୋନ୍ ଓ ଇଲେକ୍ଟ୍ରନିକ ଗାଜେଟ୍ରେ ଅନେକ ସମୟ ବିତାଉଥିବା ଏହି କିଶୋରମାନଙ୍କ ଲାଗି ଲକ୍ଡାଉନ୍ ସମୟ ଆଶୀର୍ବାଦ ଭଳି ହୋଇଛି। ଏହି ପରିବଶ ଅଭିଭାବକମାନଙ୍କୁ ତାଙ୍କ ପିଲାମାନଙ୍କ ସହ ଏକାଠି ସମୟ ବିତାଇବା ଲାଗି ଏକ ବଢ଼ିଆ ସମୟ ଦେଇଛି ।