ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଜର୍ସିକୁ ନେଇ ଏବେ ତେଜିଛି ବିବାଦ । ସାଧାରଣତଃ ନୀଳ ରଙ୍ଗର ଜର୍ସି ପିନ୍ଧୁଥିବା ଭାରତୀୟ ଟିମ ଆଇସିସିର ‘ହୋମ’ ଓ ‘ଆୱେ’ ନିୟମ ଅନୁସାରେ ନିଜ ଜର୍ସି ରଙ୍ଗ ବଦଳାଇବ । ଜୁନ 30ରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ନାରଙ୍ଗୀ ରଙ୍ଗର ଜର୍ସି ପିନ୍ଧିବ ଟିମ ଇଣ୍ଡିଆ । ତେବେ ଏହି ରଙ୍ଗକୁ ନେଇ ଏବେ ଦେଶରେ ରାଜନୀତି ସରଗରମ । ମହାରାଷ୍ଟ୍ରର କିଛି ବିଧାୟକ ଜର୍ସିର ଏହି ରଙ୍ଗ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।
କଂଗ୍ରେସ ଓ ସମାଜବାଦୀ ପାର୍ଟି ଜର୍ସିର ଏହି ନାରଙ୍ଗୀ ବା ଗେରୁଆ ରଙ୍ଗକୁ ବିରୋଧ କରିଛନ୍ତି । କଂଗ୍ରେସ ନେତା ନସିମ ଖାନ କହିଛନ୍ତି, ‘ମୋଦି ସରକାର ଆସିବା ପରଠାରୁ ଗେରୁଆ ରଙ୍ଗ ରାଜନୀତି ଚାଲିଛି । ନିଶ୍ଚିତ ଭାବେ ତ୍ରିରଙ୍ଗାର ସମ୍ମାନ ହେବା କଥା କିନ୍ତୁ ଏହି ସରକାର ସବୁ ଜିନିଷକୁ ଗେରୁଆକରଣ କରିବାରେ ଲାଗିଛି ।’
ସେପଟେ ମହାରାଷ୍ଟ୍ର ସମାଜବାଦୀ ପାର୍ଟି ନେତା ଅବୁ ଆସିମ ଆଜମି କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦି ସାରା ଦେଶକୁ ଗେରୁଆ ରଙ୍ଗରେ ରଙ୍ଗେଇବାକୁ ଚାହୁଁଛନ୍ତି । ତ୍ରିରଙ୍ଗା ତିଆରି କରିବା ଲୋକ ମୁସଲମାନ ଥିଲା । ତ୍ରିରଙ୍ଗାରେ ଆହୁରି ଅନେକ ରଙ୍ଗ ଅଛି, ତେବେ କେବଳ ଗେରୁଆ ବା ନାରଙ୍ଗୀ ରଙ୍ଗ କାହିଁକି ? ତ୍ରିରଙ୍ଗା ରଙ୍ଗର ହେଉ ଭାରତୀୟ ଟିମର ଜର୍ସି ।
ବିଜେପି ରଖିଲା ପ୍ରତିକ୍ରିୟା
ସେପଟେ ବିଜେପି କହିଛି ବିରୋଧୀ କେତେବେଳେ ଗେରୁଆ ଆତଙ୍କ କଥା କହୁଛନ୍ତି ତ କେତେବେଳେ ଗେରୁଆ ରଙ୍ଗ କଥା ଉଠାଉଛନ୍ତି । ବିଜେପି ନେତା ରାମ କଦମ କହିଛନ୍ତି, ଗେରୁଆ ରଙ୍ଗ ନେଇ ବିରୋଧୀଙ୍କୁ ଏତେ ଆପତ୍ତି କାହିଁକି ? ଖେଳସହ ଏହାର କୌଣସି ସମ୍ପର୍କ ନାହିଁ । ଖେଳଠାରୁ ଏହାକୁ ଦୂରେଇ ରଖନ୍ତୁ । ସମାଜବାଦୀ ପାର୍ଟି ଓ କଂଗ୍ରେସ ପାଖରେ ଆଉ କିଛି ମୁଦ୍ଦା ନାହିଁ ତେଣୁ ରଙ୍ଗକୁ ଏବେ ବଡ ପ୍ରସଙ୍ଗ କରୁଛନ୍ତି ।
ଏନେଇ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଳେ କହିଛନ୍ତି, ଗେରୁଆ ରଙ୍ଗ ତ ବୌଦ୍ଧ ଭିକ୍ଷୁଙ୍କର ବି ହୋଇଥାଏ । ଏହା ସୌର୍ଯ୍ୟ ଓ ବିଜୟର ମଧ୍ୟ ରଙ୍ଗ ଅଟେ । ଏଥିରେ କାହାରିକୁ କୌଣସି ଅସୁବିଧା ହେବା କଥା ନୁହେଁ ।
ଆଇସିସିର ସ୍ପଷ୍ଟିକରଣ
ସେପଟେ ଜର୍ସି ରଙ୍ଗ ନେଇ ସ୍ପଷ୍ଟିକରଣ ରଖିଲା ଆଇସିସି । ରଙ୍ଗ ପାଇଁ ବିସିସିଆଇକୁ କେତେଟି ବିକଳ୍ପ ଦିଆଯାଇଥିଲା, ଆଉ ଯାହା ଟିମ ପାଇଁ ଭଲ ଲାଗିଲା ତାହା ଜର୍ସିର ରଙ୍ଗ ହେଲା । ଏହି ପଦକ୍ଷେପ କେବଳ ଇଂଲଣ୍ଡ ଜର୍ସି ସହ ରଙ୍ଗ ନମିଶିବା ପାଇଁ ନିଆଯାଇଛି । କାରଣ ଇଂଲଣ୍ଡର ମଧ୍ୟ ନୀଳ ରଙ୍ଗର ଜର୍ସି ପିନ୍ଧୁଛି । ଏହି ରଙ୍ଗ ଭାରତର ପୁରୁଣା ଟି-20 ଜର୍ସିରୁ ନିଆଯାଇଛି । ଏଥିସହ ସରକାରଙ୍କର କୌଣସି ସମ୍ପର୍କ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ