ଚେନ୍ନାଇ: ତାମିଲନାଡୁରେ ଲଗାତାର ତୃତୀୟ ଦିନ 1000 ଉପରେ କୋରୋନା ଆକ୍ରାନ୍ତ ବାହାରିଛନ୍ତି । ମଙ୍ଗଳବାର ରାଜ୍ୟରେ 1091ଟି କେସ ସ୍ପଷ୍ଟ ହୋଇଛି । ଫଳରେ ଏବେ ସୁଦ୍ଧା ମୋଟ୍ ଆକ୍ରାନ୍ତ 24 ହଜାର 586 ପହଞ୍ଚିଛି ।
ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଏବେ ଯାଏଁ ରାଜ୍ୟରେ 10 ହଜାର 680 ଆକ୍ଟିଭ କେସ ରହିଛି । ମଙ୍ଗଳବାର ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ 55 ଜଣ ଅନ୍ୟ ରାଜ୍ୟରୁ ଫେରିଛନ୍ତି । ବାକି ସମସ୍ତେ ସ୍ଥାନୀୟ ବାସିନ୍ଦା ବୋଲି ସୂଚନା ରହିଛି । ମଙ୍ଗଳବାର 10 ହଜାର 558ଟି ସାମ୍ପଲର ଫଳାଫଳ ଆସିଛି । ସେଥିରୁ 1091 ଜଣ ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ସେହିପରି ଆଉ 11 ହଜାର 94ଟି ନମୁନା ପରୀକ୍ଷା ପାଇଁ ପଠାଯାଇଛି ।
ପ୍ରକାଶ ଥାଉ କି ପୂର୍ବରୁ 1000 ତଳେ ମାମଲା ରହୁଥିବାବେଳେ ଏବେ ଗତ 3 ଦିନ ହେବ ଏହା 1000 ଟପିଛି । ରବିବାର ପ୍ରଥମ ଥର 1149 ଲୋକ ପଜିଟିଭ ବାହାରିଥିଲେ । ସୋମବାର 1112 ଜଣ ଆକ୍ରାନ୍ତ ସ୍ପଷ୍ଟ ହୋଇଥିଲେ । ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ ଏବେ ଯାଏଁ ମୋଟ୍ 13 ହଜାର ଉପରେ ଲୋକ ସୁସ୍ଥ ହୋଇସାରିଛନ୍ତି । 5 ଲକ୍ଷ 4 ହଜାରରୁ ଅଧିକ ସାମ୍ପଲ ଟେଷ୍ଟ ହୋଇସାରିଛି । 43ଟି ସରକାରୀ ଏବଂ 29ଟି ଘରୋଇ ଲାବରେ ଏହି ସବୁ ପରୀକ୍ଷା ହୋଇଛି । ମୋଟ୍ 4 ଲକ୍ଷ ଉପରେ ରିପୋର୍ଟ ନେଗେଟିଭ ଆସିଛି ।