ରାଞ୍ଜି: ସାରା ଦେଶରେ କୋରୋନା ସଙ୍କଟ ଏବଂ ଲକଡାଉନ ଜାରି ରହିଛି । ଏହାରି ଭିତରେ ଝାଡ଼ଖଣ୍ଡରେ ଆରମ୍ଭ ହୋଇଯାଇଛି ଅନଲାଇନ ମଦ ବିକ୍ରି । ଫୁଡ୍ ଡେଲିଭରୀ ପ୍ଲାଟଫର୍ମ ସ୍ବିଗୀ ରାଜ୍ୟରେ ଅନଲାଇନ ବୁକିଂରେ ମଦର ଡେଲିଭରୀ ଆରମ୍ଭ କରିଛି । ଏହି ସେବା କେବଳ ରାଞ୍ଚିରେ ଆରମ୍ଭ ହୋଇଛି । ଏକ ସପ୍ତାହ ମଧ୍ୟରେ ରାଜ୍ୟର ଅନ୍ୟାନ୍ୟ ସହରରେ ମଧ୍ୟ ଉପଲବ୍ଧ କରାଇବ ବୋଲି ସ୍ବିଗି ଯୋଜନା କରୁଛି ।
ସ୍ବିଗି ନିଜର ଆପ୍ ରେ ୱାଇନ ସପ୍ କ୍ୟାଟେରୀ ରଖିଛି । ସେପଟେ ଜୋମାଟୋ ମଧ୍ୟ କହିଛି ଯେ ସେ ମଧ୍ୟ ଝାଡ଼ଖଣ୍ଡରେ ଅନଲାଇନ ଡେଲିଭରୀରେ ମଦ ରଖିବ । କିଛିଦିନ ମଧ୍ୟରେ ଜୋମାଟୋ ମଧ୍ୟ ଏହି ସେବା ଆରମ୍ଭ କରିବାକୁ ଯାଉଛି । ତେବେ ଡେଲିଭରୀ ସମୟରେ ସୋସିଆଲ ଡିଷ୍ଟାନ୍ସ ନିୟମ ପାଳନ କରାଯିବ ।
ସୂଚନା ଥାଉକି କେନ୍ଦ୍ର ସରକାର ମେ 4 ଠାରୁ ଲକଡାଉନ 3.0 କୁ କୋହଳ କରିବା ପରେ ମଦ ଦୋକାନ ଗୁଡିକ ମଧ୍ୟ ଆରମ୍ଭ ହୋଇଛି । ସେବେଠାରୁ ଝାଡ଼ଖଣ୍ଡରେ ମଦର ହୋମ ଡେଲିଭରୀ ପାଇଁ ସମସ୍ତେ ଆଗ୍ରହ ଦେଖାଇଛନ୍ତି । ବର୍ତ୍ତମାନ ମଦ ଦୋକାନ ମାନଙ୍କରେ ଭିଡ଼ ଜମୁଛି । ଏହାକୁ ଦୃଷ୍ଟିରେ ରଖି ହୋମ ଡେଲିଭରୀ ସୁବିଧା ଆରମ୍ଭ ହୋଇଛି । ଝାଡ଼ଖଣ୍ଡରେ ବୁଧବାର ପ୍ରଥମ ଥର ପାଇଁ ମଦ ଦୋକାନ ଖୋଲାଯାଇଛି । ରାଜ୍ୟସରକାର ମଦ ଉପରେ 25 ପ୍ରତିଶକତ ଟ୍ୟାକ୍ସ ଘୋଷଣା କରିଛନ୍ତି । ଏହା ସତ୍ତ୍ବେ ମଦଦୋକନାରେ ଭିଡ଼ କମୁନାହିଁ ।