ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶର ବିଭିନ୍ନ ପ୍ରାନ୍ତରେ ଜାରି ରହିଛି ବିକ୍ଷୋଭ । ଉତ୍ତର-ପୂର୍ବାଞ୍ଚଳରେ ଆନ୍ଦୋଳନ ପ୍ରଶମିତ ହୋଇଯାଇଥିଲେ ମଧ୍ୟ ଏବେ ଏହି ଆନ୍ଦୋଳନ ଦେଶର ଅନ୍ୟ ଭାଗକୁ ବ୍ୟାପିଛି । ବିଶେଷ କରି ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟରେ ଏବେ ଆନ୍ଦୋଳନର ବହ୍ନି ଜଳୁଛି ।
ଦିଲ୍ଲୀର ଜାମିଆ ମିଲିଆ ବିଶ୍ବବିଦ୍ୟାଳୟରେ ଯେଉଁ ଅଭାବନୀୟ ଘଟଣା ଘଟିଲା ତାହାକୁ ପ୍ରତିବାଦ କରିବା ସହ ଦିଲ୍ଲୀ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଅନ୍ୟ ବିଶ୍ବବିଦ୍ୟାଳୟରେ ମଧ୍ୟ ଚାଲିଛି ପ୍ରତିବାଦ । ଛାତ୍ରଛାତ୍ରୀ ପାଠପଢା ବର୍ଜନ କରି ଏବେ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।
ଆଜି ଆଇନକୁ ବିରୋଧ କରି ଦିଲ୍ଲୀ ଉତ୍ତର-ପୂର୍ବର ସୀଲମପୁର ଅଞ୍ଚଳରେ ବ୍ୟାପକ ହିସାଂ ଦେଖିବାକୁ ମିଳିଛି । ହିସାଂ ଏତେ ବ୍ୟାପକ ଥିଲା ଯେ ଆନ୍ଦୋଳନକାରୀ କେତେକ ବସରେ ନିଆଁ ଲଗାଇବା ସହ ପୋଲିସ ଉପରକୁ ପଥର ମାଡ କରିଛନ୍ତି । ଫଳରେ ଅନେକ ପୋଲିସ କର୍ମୀ ଆହତ ହୋଇଛନ୍ତି । ସେହିପରି କେରଳର ଥିରୁବନନ୍ତପୁରମରେ ଆନ୍ଦୋଳନକାରୀ କେଏସଆରଟିସି ବସରେ ନିଆଁ ଲଗାଇବା ସହ ବଳ ପୂର୍ବକ ଦୋକାନ ବଜାର ବନ୍ଦ କରିଛନ୍ତି । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି 30 ଇସଲାମିକ ସଂଗଠନ ଓ ରାଜନୈତିକ ଦଳ ଏକ ସାମୁହିକ ପ୍ରତିବାଦ ଶୋଭାଯାତ୍ର ବାହାର କରିଥିଲେ । ପୋଲିସ ପ୍ରାୟ 200ରୁ ଉର୍ଦ୍ଧ୍ବ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି । ସିପି ସିନୋଜ ନାମକ ଜଣେ ସଂଘର କାର୍ଯ୍ୟକର୍ତ୍ତାଙ୍କୁ ଆନ୍ଦୋଳନକାରୀ ମାଡ ମାରିଛନ୍ତି । ଏହାସହ ଶାସକ ସିପିଏମ-ଏଲଡିଏଫ ଏବଂ ବିରୋଧୀ କଂଗ୍ରେସ ସହିଦ ସ୍ତମ୍ଭ ନିକଟରେ ଆଇନ ଅମାନ୍ୟ ଆନ୍ଦୋଳନ କରିଛନ୍ତି ।
ସେହିପରି ଶ୍ରୀନଗରରେ ମଧ୍ୟ ସିଏଏକୁ ବିରୋଧ କରି ଇସଲାମିକ କଲେଜର ଛାତ୍ରଛାତ୍ରୀ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଆଲିଗଡ ବିଶ୍ବବିଦ୍ୟାଳୟ ଓ ଜାମିଆ ମିଲିଆ ଇସଲାମିକ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସପକ୍ଷରେ ଏକ ଶୋଭାଯାତ୍ରା ବାହାର କରିଛନ୍ତି । ଏଠାରେ ମଧ୍ୟ ଆନ୍ଦୋଳନକାରୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଏଥିସହ ଦିଲ୍ଲୀ ସ୍ଥିତି ଗୁରୁ ଗୋବିନ୍ଦ ସିଂ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ଅନ୍ୟପଟେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇକୁ ମଧ୍ୟ ବ୍ୟାପିଛି ଆନ୍ଦୋଳନ । ଜାମିଆ ମିଲିଆ ଇସଲାମିକ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସପକ୍ଷରେ ମାଡ୍ରାସ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।