ଜୟପୁର: ଅନେକ ଅଜଣା, ଶୁଣାଯାଇନଥିବା କିମ୍ବା ସ୍ବଳ୍ପସୀମାରେ ସୀମିତ କଥାବସ୍ତୁ, କାହାଣୀ, ଗଳ୍ପ ଓ ସତ୍ୟ ଘଟଣାବଳୀରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲା । ଏମିତି ଅନେକ ଲୋକକଥା ଇତିହାସରୁ ଜାଣିଲା ଶୁଣିଲା ପରେ ସେ ସ୍ଥାନକୁ ଯିବା ପାଇଁ, ବୁଲିବା ପାଇଁ ଓ ସେହି ସ୍ଥାନ ବିଷୟରେ ଅଧିକରୁ ଅଧିକ ତଥ୍ୟ ଏକାଠି କରିବା ପାଇଁ ମନରେ ଇଚ୍ଛା ସୃଷ୍ଟି ହୋଇଥାଏ । ସେମିତି ଏକ ସ୍ଥାନ ହେଲା କୋରାପୁଟ ଜିଲ୍ଲାର ପ୍ରାଣକେନ୍ଦ୍ର କୁହାଯାଉଥିବା ଜୟପୁର । ଜୟପୁର ସହରଠାରୁ ପ୍ରାୟ 70 କିଲୋମିଟର ଦୂରରେ ଅବସ୍ଥିତ ନନ୍ଦପୁର ଓ ବତ୍ରିଶ ସିଂହାସନ କଥା ଏବେ ବି ଓଡିଶାର ବିଭିନ୍ନ ପ୍ରାନ୍ତରେ ଅଜଣା । ଏହାର ଇତିହାସ ଓ ବତ୍ରିଶ ସିଂହାସନକୁ ନେଇ ରହିଛି ରହସ୍ୟ ଓ ରୋମାଞ୍ଚକର କଥା, କାହାଣୀ ।
ବହୁ ପୁରାତନ ସମୟରେ ନନ୍ଦପୁର ଥିଲା ଜୟପୁରର ରାଜଧାନୀ । ଏହା ଯେତିକି ଶକ୍ତିଶାଳୀ ଥିଲା ତାହାଠାରୁ ଅଧିକ ସମୃଦ୍ଧଶାଳୀ ମଧ୍ୟ ରହିଥିଲା । ଘଞ୍ଚ ଜଙ୍ଗଲ ଓ ବଣପାହାଡ, ଅଗନାଅଗନି ବନସ୍ତରେ ଘେରା ନନ୍ଦପୁରରେ ଥିଲା ବତ୍ରିଶ ସିଂହାସନ । ଏହି ସିଂହାସନ ନାମକରଣ ପଛରେ ରହିଛି ଅନେକ ଲୋକକଥା, ଜନଶ୍ରୁତି । ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ।
ଏହି ସ୍ଥାନ ଓ ସିଂହାସନ ପଛର ଇତିହାସ...
କୁହାଯାଏ ଦ୍ବାଦଶ ଶତାବ୍ଦୀରେ ଶିଳାବଂଶୀ ରାଜା ଏବଂ ପଞ୍ଚଦଶ ଶତାବ୍ଦୀର ସୂର୍ଯ୍ୟବଂଶୀ ରାଜାମାନେ ନନ୍ଦପୁରରେ ରାଜତ୍ବ କରୁଥିଲେ । ସୂର୍ଯ୍ୟବଂଶୀ ଶାସନ କାଳରେ ବିନାୟକ ଦେବ ରାଜା ହେବା ପରେ ବିକ୍ରମାଦିତ୍ୟ ଦ୍ୱିତୀୟଙ୍କ ଦ୍ବାରା ତାଙ୍କ ଜ୍ବାଇଁକୁ ପ୍ରଦତ୍ତ ବତ୍ରିଶ ସିଂହାସନକୁ ପୂର୍ଣ୍ଣ ନିର୍ମାଣ କରାଇଥିଲେ । ଏହା 32 ଟି ପାହାଚ ବିଶିଷ୍ଟ ଗୋଲାକାର ଶିଳାରେ ନିର୍ମିତ ହୋଇଥିଲା । ବିନାୟକ ଦେବଙ୍କ ପରଠାରୁ ରାଜ ବଂଶର ପ୍ରତ୍ୟେକ ରାଜା ଏହି ସିଂହାସନରେ ବସି ରାଜ୍ୟାଭିଷେକ ହେଉଥିଲେ । ପରେ ପରେ ରାଜା ବିକ୍ରମାଦିତ୍ୟଙ୍କ ସ୍ମୃତିରେ ପୁନଃ ନିର୍ମିତ ହେଲା ଏହି 32 ସିଂହାସନ ।
କୁହାଯାଏ ଯେ, ଜୟପୁରର ରାଜା ବିକ୍ରମଦିତ୍ୟ ଏହି ସ୍ଥାନକୁ ଶାସନ, ପ୍ରଶାସନ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରୁଥିଲେ । ସାଧାରଣତଃ ଅନେକ ସମୟରେ ରାଜା ନିକଟସ୍ଥ ଜଙ୍ଗଲରେ ଶିକାର ପରେ ଶ୍ରମକ୍ଲାନ୍ତ ରାଜା ବିକାରାମଦିତ୍ୟ ଏହି ସ୍ଥାନକୁ ଆସି ସିଂହାସନରେ ବସି ଆରାମ କରିଥାନ୍ତି । ଏହି ସ୍ଥାନର ନିମ୍ନ ଭାଗରେ 32 ପାହାଚ ସଂଯୁକ୍ତ ଓ ଉପରି ଭାଗ ଏକ କ୍ଷୁଦ୍ର ପାହାଡ ସଦୃଶ ଥିଲା । ଏହା ଏକ ପ୍ରକାର ସିଂହାସନ ପ୍ରାୟ ଦେଖାଯାଉଥିଲା । ଏହି ସିଂହାସନ ବତ୍ରିଶ ସିଂହାସନ ଭାବେ ଜଣାଶୁଣା । ଏହି ସିଂହାସନରେ ବସି ରାଜା ପ୍ରଜାଙ୍କ ସମସ୍ୟାର ସର୍ବୋତ୍କୃଷ୍ଟ ବିଚାର ପ୍ରଦାନ କରନ୍ତି । ଏହି 32 ସିଂହାସନକୁ ନେଇ ଅନେକ ରୋଚକ ଲୋକକଥା, କାହାଣୀ, ଗପ ଓ ଜନଶ୍ରୁତି ରହିଛି ।
ଲୋକେ କୁହନ୍ତି ସିଂହାସନର ଅଲୌକିକ, ଦୈବୀକ ଶକ୍ତି କାରଣରୁ ଯେ କେହି ଏହା ଉପରେ ବସେ ତାର କ୍ଷଣିକ ମଧ୍ୟରେ ମନରେ ପରିବର୍ତ୍ତନ ଆସେ, ସକରାତ୍ମକ ଶକ୍ତି ଜାଗରିତ ହୋଇଉଠେ । ସିଂହାସନର ଦୈବୀଶକ୍ତି କାରଣରୁ ରାଜା ଏହା ଉପରେ ବସିବା ପରେ ତାଙ୍କ ମନରେ ପ୍ରଜାପାଳନ ପାଇଁ ଅହିଂସା, ଶାନ୍ତି, ମୈତ୍ରୀ ସ୍ଥାପନର ଓ ନିରପେକ୍ଷ ବିଚାରଧାରା ଆପେ ଆସିଯାଉଥିଲା । ଏହାଥିଲା ଏହି ସିଂହାସନର ମହିମା, ଶକ୍ତି, ସାମର୍ଥ୍ୟ ।