ଭୁବନେଶ୍ବର: ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବାଧକ ସୃଷ୍ଟି କରିଛି ମହାମାରୀ । ଏପରିସ୍ଥଳେ ଭଗବାନ ଶିବଙ୍କ ପବିତ୍ର ଶ୍ରାବଣ ମାସ ଆରମ୍ଭ ହୋଇ ସାରିଛି । ଶିବଙ୍କ ପ୍ରିୟ ଶ୍ରାବଣ ମାସ ଜୁଲାଇ ୬ରୁ ଅଗଷ୍ଟ ୩ଯାଏଁ ରହିବ। ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଶ୍ରାବଣ ମାସରେ ଶିବଙ୍କ ଉପାସନାର ବଡ଼ ମହତ୍ତ୍ବ ରହିଛି। ଚଳିତ ବର୍ଷ 5ଟି ସୋମବାର ରହିଛି । ମାତ୍ର କୋରୋନା କଟକଣା କାରଣରୁ ଚଳିତ ବର୍ଷ କାଉଡିଆ ଯାତ୍ରା ବା ବୋଲ୍ ବମ ଯାତ୍ରା ବନ୍ଦ ରହିଛି । ଶ୍ରାବଣ ମାସ ପବିତ୍ର ମାସ ଏହି ଶ୍ରାବଣ ବ୍ରତର ମହିମା ଅବର୍ଣ୍ଣନୀୟ । ମହାଦେବଙ୍କୁ ଶ୍ରାବଣରେ ଜଳାଭିଷେକ କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଶ୍ରାବଣ ଯାତ୍ରା, ବୋଲବମ ତଥା କାଉଡି ଯାତ୍ରାର ପୌରାଣିକ କଥା । କିଏ, କେବେ ପ୍ରଥମେ ଏହି ଶ୍ରାବଣରେ ପାଣି ଭାର ନେଇ ଶିବଙ୍କ ମସ୍ତକରେ ଅଭିଷେକ କରିଥିଲେ । କିଏ ଥିଲେ ପ୍ରଥମ କାଉଡିଆ ?
ଆଷାଢ଼ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମସ୍ତ ସୋମବାରରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନେ ଶିବଙ୍କ ମସ୍ତକରେ ପାଣି ଢାଳନ୍ତି । ବୋଲ ବମ ଯାତ୍ରାରେ ଭାଗ ନେଉଥିବା ଭକ୍ତଙ୍କୁ 'କାଉଡ଼ିଆ' କହାଯାଏ । କୁହାଯାଏ ଶ୍ରାବଣ ସୋମବାରରେ ଜଳପ୍ରିୟ ଶିବଙ୍କୁ ଜଳରେ ଅଭିଷିକ୍ତ କରିଲେ ସୁନ୍ଦର ବାସସ୍ଥାନ, ଇଚ୍ଛାନୁରୂପଧନ, ସନ୍ତାନ, ସନ୍ତତି, ସୁଗଠିତ ଶରୀର, ଆରୋଗ୍ୟ ଜୀବନ, ବସ୍ତ୍ର, ଆଭୂଷଣ, ଜ୍ଞାନ, ଆସାଧାରଣ ପ୍ରତିଷ୍ଠା, ଦୀର୍ଘାୟୁ, ଉତ୍ତମ ମିତ୍ର, ମାନ ସମ୍ମାନର, ସକଳ ପାପ ଓ ସକଳ ସଙ୍କଟମୋଚନ ହୋଇଥାଏ ।
ଭଗବାନ ରାମ
ଏହି ଧାର୍ମିକ ପଦଯାତ୍ରାକୁ ପ୍ରଥମେ ଭଗବାନ ଶ୍ରୀରାମ ତ୍ରେତୟା ଯୁଗରେ ଆରମ୍ଭ କରିଥିବା ମତ ରହିଛି । ମତ ଅନୁସାରେ ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଝାଡଖଣ୍ଡର ସୁଲତନଗଞ୍ଜରୁ କାନ୍ଧରେ ପାଣି ଭାର ନେଇ ବୈଦନାଥସ୍ଥିତ ଜ୍ୟୋତିର୍ଲିଙ୍ଗ ମହାପ୍ରଭୁଙ୍କୁ ଶିବଙ୍କୁ ଜଳାଭିଷେକ କରିଥିଲେ ।
ପର୍ଶୁରାମ
ଅନେକ ପୁରାଣ ପଣ୍ଡିତ, ବିଦ୍ବାନଙ୍କ କଥା ଅନୁସାରେ ପର୍ଶୁରାମ ଭଗବାନ ପ୍ରଥମ କାଉଡିଆ ଥିଲେ । ସେ ଉତ୍ତରପ୍ରଦେଶ ବାଗପତ ନିକଟସ୍ଥ ‘ପୁରା ମହାଦେବ’ଙ୍କୁ ଗଙ୍ଗାନଦୀରୁ ଜଳଭାର ଆଣି ମହାଦେବଙ୍କୁ ଅଭିଷିକ୍ତ କରିଥିଲେ । ପ୍ରାଚୀନ କଥା ଅନୁସାରେ ପର୍ଶୁରାମ ଗଡମୁକ୍ତେଶ୍ବର ଘାଟରୁ ପାଣି ଭାର ଉଠାଇଥିଲେ । ଏହାର ପୌରାଣିକ ମହିମାକୁ ଲକ୍ଷ୍ୟ କରି ଗଡମୁକ୍ତେଶ୍ବର ବର୍ତ୍ତମାନ ବ୍ରଜଘାଟରୁ ଲକ୍ଷାଧିକ ଭକ୍ତ ଶ୍ରାବଣ ମାସରେ ପାଣି ଭାର ଉଠାଇଥାନ୍ତି ।
ଶ୍ରବଣ କୁମାର
ସେହିଭଳି ଅନେକ ପୁରାଣ, ଶାସ୍ତ୍ର, ବେଦରେ ଜ୍ଞାନୀଜନଙ୍କ ତଥ୍ୟ ଅନୁସାରେ ଶ୍ରାବଣରେ ବୋଲବମ୍ ଯାତ୍ରା ଶ୍ରବଣକୁମାର ତ୍ରେତୟା ଯୁଗରେ ଆରମ୍ଭ କରିଥିବା କୁହନ୍ତି । ସେ ତାଙ୍କ ମାତାପିତାଙ୍କୁ ତୀର୍ଥ ଯାତ୍ରା କରିବା କ୍ରମରେ ପାଇଁ ହିମାଚଳର ଉନା କ୍ଷେତ୍ରରେ ଅବସ୍ଥାପିତ ଥିଲେ । ତତପରେ ତାଙ୍କ ଅନ୍ଧ ମାତା-ପିତା ହରିଦ୍ବାରରେ ଗଙ୍ଗା ସ୍ନାନ କରିବା ପାଇଁ ଇଚ୍ଛା କରିଥିଲେ ।
ମାତାପିତାଙ୍କୁ ଗଙ୍ଗାସ୍ନାନ କରାଇବା ଲକ୍ଷ୍ୟରେ ସେ ବାହୁଙ୍ଗୀରେ ଭାର କରି ପିତା-ମାତାଙ୍କୁ ବୋହି ନେବା ପରେ ଗଙ୍ଗାସ୍ନାନ କରାଇଥିଲେ । ଏହିଠାରୁ ଦେଶରେ କାଉଡିଆ ଯାତ୍ରାର ଶୁଭାରମ୍ଭ ବୋଲି କୁହାଯାଉଛି ।
ରାବଣ ଥିଲେ ପ୍ରଥମ କାଉଡିଆ
ଅନେକ ଶାସ୍ତ୍ରଜ୍ଞ ଏହାର ଶ୍ରେୟ ରାବଣକୁ ପ୍ରଦାନ ଦେଇଥିବା ମତ ରହିଛି । ସମୁଦ୍ର ମନ୍ଥନବେଳେ ମହାଦେବ ହଳାହଳ ବିଷ ପାନ କରିଥିଲେ । ତାଙ୍କର ବିଷ ଜ୍ବାଳା ଶାନ୍ତ କରିବା ଲାଗି ରାବଣ ପ୍ରତ୍ୟେକ ଦିନ ଆରାଧ୍ୟ ମହାଦେବଙ୍କୁ ଜଳାଭିଷେକ କରୁଥାନ୍ତି । ଏହା ଫଳରେ ଶିବ ବିଷ ବେଦନାରୁ ମୁକ୍ତ ହେବାରେ ଲାଗିଥିଲେ । ଏହାପରେ ଏହାକୁ ଅନ୍ୟ ଦେବାଦେବୀ ଅନୁସରଣ କରି ମହାଦେବଙ୍କୁ ସୁବାସିତ, ଶୀତଳ ଜଳାର୍ପିତ କରିଥିଲେ । ଏହିଠାରୁ ବୋଲବମ ଯାତ୍ରା ଆରମ୍ଭ ହୋଇଥିବା ଜଣାଯାଏ ।
ପୌରାଣିକ କଥାବସ୍ତୁ, ବିଶ୍ଳେଷଣକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଶ୍ରାବଣ ମାସରେ ନୀଳକଣ୍ଠଙ୍କ ଜଳଲାଗି ଉତ୍ସବ ପାଳନ କରାଯାଏ । ଏହି ଯାତ୍ରା ପାଇଁ ଦେଶର ବିଭିନ୍ନ ଶୈବକ୍ଷେତ୍ରରେ ଏହି ଉତ୍ସବ ପାଳନ କରାଯାଇଥାଏ । ଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ କଳସୀ ଭାର ଧରି ଚାଲି ଚାଲି ସଂପୂର୍ଣ୍ଣ ପଥ ଅତିକ୍ରମ କରିଥାନ୍ତି । ଭୋଲା ବାବା ପାର କରେଗା, ବୋଲ ବମ ହରହର ବମ୍ ଧ୍ବନିରେ ଗଗନପବନ ମୁଖରିତ ହୋଇଥାଏ । ବର୍ଷା, ପବନ, ବନ୍ଧୁର ରାସ୍ତାରେ ମାନସିକଧାରୀ, ବ୍ରତଧାରୀ କାଉଡିଆ ଯାତ୍ରା ଶ୍ରାବଣ ମାସ ଶିବଙ୍କ ମାସ ବୋଲି ଦର୍ଶାଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ