ନୂଆଦିଲ୍ଲୀ: ଭାରତୀୟ କ୍ରୀଡା ଇତିହାରେ ପ୍ରଥମଥର ଜଣେ ମହିଳା ଆଥଲେଟ ଦେଶର ଦ୍ବିତୀୟ ସର୍ବବୃହତ ନାଗରିକ ସମ୍ମାନର ଅଧିକାରୀ ହେବାକୁ ଯାଉଛନ୍ତି । 6 ଥରର ବିଶ୍ବ ଚମ୍ପିଆନ ବକ୍ସର ଏମ.ସି ମେରିକମଙ୍କ ନାଁକୁ ‘ପଦ୍ମ ବିଭୂଷଣ’ ସମ୍ମାନ ପାଇଁ କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ସୁପାରିଶ କରାଯାଇଛି । ମେରିକମ ୨୦୧୩ରେ ପଦ୍ମ ଭୂଷଣ ଓ ୨୦୦୬ ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି ।
ସବୁଠାରୁ ବଡ଼ କଥା, କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଚଳିତଥର ୯ ଜଣ ଆଥଲେଟଙ୍କ ନାମକୁ ପଦ୍ମ ସମ୍ମାନ ପାଇଁ ପଠାଯାଇଛି । ଦେଶର ତୃତୀୟ ସର୍ବବୃହତ ନାଗରିକ ସମ୍ମାନ କୁହାଯାଉଥିବା ପଦ୍ମ ଭୂଷଣ ପାଇଁ ୱାର୍ଲ୍ଡ ଚମ୍ପିଅନ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁଙ୍କ ନାମ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ସିନ୍ଧୁଙ୍କୁ ୨୦୧୫ରେ ପଦ୍ମଶ୍ରୀ ମିଳିଥିବାବେଳେ ପୂର୍ବରୁ ୨୦୧୭ରେ ମଧ୍ୟ ପଦ୍ମ ଭୂଷଣ ସମ୍ମାନ ପାଇଁ ପ୍ରସ୍ତାବ ପଠାଯାଇଥିଲା ମାତ୍ର ଚୂଡ଼ାନ୍ତ ତାଲିକାରେ ତାଙ୍କୁ ସାମିଲ କରାଯାଇ ନଥିଲା ।
ପଦ୍ମ ବିଭୂଷଣ ସମ୍ମାନ ଏଯାଏଁ ତିନିଜଣ ପୁରୁଷ ଖେଳାଳିଙ୍କୁ ମିଳି ସାରିଛି । ଏମାନେ ହେଲେ ଚେସ ଖେଳାଳି ବିଶ୍ବନାଥ ଆନନ୍ଦ (୨୦୦୭), କ୍ରିକେଟର ସଚିନ ତେନ୍ଦୁଲକର (୨୦୦୮) ଓ ପର୍ବତାରୋହୀ ସାର ଏଡମଣ୍ଡ ହିଲାରି (୨୦୦୮ ମରଣୋତ୍ତର) ।
ମେରି କମ ଓ ସିନ୍ଧୁଙ୍କ ବ୍ୟତୀତ ଅନ୍ୟ ୭ ଜଣ ମହିଳା ଖେଳାଳିଙ୍କ ନାମ ମଧ୍ୟ ପଦ୍ମ ସମ୍ମାନ ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି । ସେମାନେ ହେଲେ କୁସ୍ତିଯୋଦ୍ଧା ଭିନେଶ ଫୋଗଟ, ଟେବୁଲ ଟେନିସ ଷ୍ଟାର ମୋନିକା ବାତ୍ରା, ମହିଳା କ୍ରିକେଟ ଟିମର ଟି-୨୦ ଅଧିନାୟିକା ହରମନପ୍ରୀତ କୌର, ହକି ଅଧିନାୟିକା ରାନୀ ରାମପାଳ, ପୂର୍ବତନ ସୁଟର ସୁମା ଶିରୁର ଓ ପର୍ବତାରୋହୀ ଯମଜ ଭଉଣୀ ତାଶୀ ଓ ନୁଙ୍ଗଶୀ ମଲ୍ଲିକ।