ନୂଆଦିଲ୍ଲୀ: ପ୍ରତିଟି ସ୍ବପ୍ନକୁ ସାକାର କରିବାକୁ ତନ-ମନ-ଧନ ସହକାରେ ଉଦ୍ୟମ ଜାରି ରଖ । ପରୀକ୍ଷା ଜୀବନ ନୁହେଁ କିନ୍ତୁ ଏହା ଜାବନର ଏକ ଅଂଶ । ତେଣୁ ଏହାକୁ ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ । ବଡ଼ ଆଶା ରଖି ବିଫଳ ହେବା ଅପେକ୍ଷା ପ୍ରତିଦିନ କିଛି ନୂଆ କରିବାର ସଂକଳ୍ପ ନିଅ । ଦେଖିବ ନିଶ୍ଚୟ ସେ ବଡ଼ ଆଶା ଦିନେ ଅଜାଣତରେ ଉଜ୍ଜୀବିତ ହୋଇଯାଇଥିବ । ଓଡ଼ିଶାରୁ ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡରୁ ଉତ୍ତରପ୍ରଦେଶ । ପ୍ରତିଟି ରାଜ୍ୟରୁ ଆସିଥିବା ବିଦ୍ୟାର୍ଥୀ ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗଦେଇ ଦେଇଛନ୍ତି ଏପରି ସନ୍ଦେଶ ।
ଜଣେ ଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ପରୀକ୍ଷାକୁ ନେଇ ଛାତ୍ର ସମାଜ ଆଦୌ ଚିନ୍ତିତହେବା ଆବଶ୍ୟକ ନୁହେଁ । କାରଣ କେବଳ ପେପରରେ କିଛି ହୋଇଯାଏ ନାହିଁ । ପରୀକ୍ଷାର ଫଳାଫଳ ବ୍ୟତୀତ ଆଉ ଏକ ଜୀବନ ମଧ୍ୟ ରହିଛି । ଯାହାକୁ ତୁମ ମାନଙ୍କୁ ଜିଇଁବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରତିଟି ବିଫଳତାରେ ହିଁ ସଫଳତାର ମାର୍ଗ ରହିଥାଏ । ଥରେ ବିଫଳ ହେବାପରେ ଭାଙ୍ଗି ପଡ଼ିବା ଠିକ ନୁହେଁ । ବଂର ଆତ୍ମବଳ ଏକଜୁଟ କରି ଆଗକୁ ବଢିବା ଉଚିତ ବୋଲି କହିଛନ୍ତି । ସେହିପରି ଅଭିଭାବକ ମାନଙ୍କୁ କିଛି ବାର୍ତ୍ତା ରଖିବାକୁ ଯାଇ ମୋଦି କହିଛନ୍ତି, ଯେତେବେଳେ ପିଲାଟି ଛୋଟ ଥାଏ ସେତେବେଳେ ମା-ବାପା ତାକୁ ଉତ୍ସାହିତ କରନ୍ତି, କିନ୍ତୁ ଏବେ ମଧ୍ୟ ସେପରି କରିବାକୁ ପଡ଼ିବ ।
ସେ ଆହୁରି କହିଛନ୍ତି, କୌଣସି ଛାତ୍ର-ଛାତ୍ରୀଙ୍କ ଉପରେ ଚାପ ପ୍ରୟୋଗ କରିବା କଥା ନୁହେଁ । ଯାହା ସହ ପିଲାଟି ଚାପମୁକ୍ତ ଏବଂ ଆନନ୍ଦିତ ହୋଇଥାଏ, ତାହା ସହ ମିଶିବାର ସୁଯୋଗ ଦେବାକୁ ଅଭିଭାବକଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ‘ଚନ୍ଦ୍ରାୟନ-2’ ର ଉଦାହରଣ ମଧ୍ୟ ଦେଇଥିଲେ । କିପରି ସାରା ଦେଶ ରାତି ଉଜାଗର ହୋଇ ସଫଳତାକୁ ଚାହିଁ ରହିଥିଲେ । କିନ୍ତୁ କିଛି ସମୟ ମଧ୍ୟରେ ସବୁକିଛି ଗଡବଡ଼ ହୋଇଯାଇଥିଲା । ଫଳରେ ସମଗ୍ର ଦେଶବାସୀ ନିରାଶ ହୋଇଥିଲେ । କିନ୍ତୁ ସେହି ବିଫଳତା ହିଁ ମହାକାଶ ବିଜ୍ଞାନ ସଂସ୍ଥାକୁ ସଫଳତାର ସଠିକ ଦିଶା ଦେଖାଇଥିବା ସେ କହିଛନ୍ତି ।
କାର୍ଯ୍ୟକ୍ରମ ଶେଷରେ ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ରଖିବା ସହ ଭାବବିହ୍ବଳ ହୋଇ କହିଥିଲେ, ଯେତେବେଳେ ଦେଶ ସ୍ବାଧାନତାର ଶହେବର୍ଷ ପାଳନ କରୁଥିବ, ସେତେବେଳେ ଅର୍ଥାତ 30-40 ବର୍ଷ ପରେ ଆପଣମାନେ ସଫଳତାର ଶୀର୍ଷରେ ପହଁଚି ସାରିଥିବେ । ସେ ସମୟରେ ମୁଁ ବଞ୍ଚିଥିବି ଅଥବା ମାଟିରେ ମିଶିଯାଇଥିବି କିନ୍ତୁ ଏକଥା ନିଶ୍ଟୟ କହିବି 2020 ଜାନୁଆରୀ 20 ତାରିଖରେ ଯେଉଁମାନଙ୍କ ସହ ମୁଁ ଭାବ ଆଦାନ ପ୍ରଦାନ କରୁଥିଲି ସେମାନେ ଆଜି ଦେଶର ନେତୃତ୍ବ ନେଉଛନ୍ତି ।
ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ବାରା 1050 ଛାତ୍ରଛାତ୍ରୀ ଦିଲ୍ଲୀ ତାଲକୋଟ ଷ୍ଟାଡ଼ିୟମରେ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରସ୍ତୁତି ନେଇ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ। ଯେଉଁଥିରେ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ମଧ୍ୟ ଉପସ୍ଥିତ ରହିଥିଲେ ।